ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆନ୍ତର୍ଜାତୀୟ ହକିରୁ ଅବସର ନେଲେ ବିରେନ୍ଦ୍ର ଲାକ୍ରା; କହିଲେ ଏହା ଅଚାନକ ନିଷ୍ପତ୍ତି ନୁହେଁ

ଆନ୍ତର୍ଜାତୀୟ ହକିରୁ ଅବସର ନେଲେ ବିରେନ୍ଦ୍ର ଲାକ୍ରା; କହିଲେ ଏହା ଅଚାନକ ନିଷ୍ପତ୍ତି ନୁହେଁ

ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ହକି ଦଳର ଉପ ଅଧିନାୟକ ତଥା ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଷ୍ଟାର ପ୍ଲେୟାର ବୀରେନ୍ଦ୍ର ଲାକ୍ରା ।

ଆନ୍ତର୍ଜାତୀୟ ହକିରୁ ଅବସର ନେଲେ ବିରେନ୍ଦ୍ର ଲାକ୍ରା; କହିଲେ ଏହା ଅଚାନକ ନିଷ୍ପତ୍ତି ନୁହେଁ
ବିରେନ୍ଦ୍ର ଲାକ୍ରା ଭାରତୀୟ ହକି ଦଳର ଉପ ଅଧିନାୟକ ଥିଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 30, 2021, 7:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ହକି ଦଳର ଉପ ଅଧିନାୟକ ତଥା ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଷ୍ଟାରପ୍ଲେୟାର ବୀରେନ୍ଦ୍ର ଲାକ୍ରା । ନିଜର ଏଭଳି ନିଷ୍ପତ୍ତି ଲିଖିତ ଭାବେ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଅବସର ଘୋଷଣା କରିବା ପରେ ବୀରେନ୍ଦ୍ର କହିଛନ୍ତି, "ଏହା ଅଚାନକ ନିଷ୍ପତ୍ତି ନୁହେଁ। ଟୋକିଓ ଅଲିମ୍ପିକରୁ ଫେରିବା ପରେ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ବାବଦରେ ଚିନ୍ତା କରି ଥିଲି।  ତେଣୁ ଏବେ ଏଭଳି ନିଷ୍ପତ୍ତି ବାବଦରେ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛି । ତେବେ ମୁଁ କେବଳ ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛି। କିନ୍ତୁ ଘରୋଇ ଖେଳ ଜାରି ରଖିବି।"

ସେ ଆହୁରି କହିଛନ୍ତି ଯେ,"ଭାରତରେ ହକି ଖେଳ ଏକ ନୂଆ ପରିଚୟ ପାଇପାରିଛି। ବିଶେଷ କରି ଟୋକିଓ ଅଲିମ୍ପିକ ପରେ ହକି ପ୍ରତି ସାରା ଦେଶରେ ଯୁବପୀଢ଼ିଙ୍କ ଆଦର ବଢିଛି। ତେବେ ମୁଁ ଚାହେଁ ଦେଶରେ, ବିଶେଷ କରି ଆମ ରାଜ୍ୟରେ ବହୁତ ଭଲ ଯୁବ ଖେଳାଳି ଅଛନ୍ତି। ସେମାନେ ବି ସୁଯୋଗ ପାଇବା ଉଚିତ।"

ଅବସର ପରେ ଏବେ କଣ କରିବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେନେଇ ସେ କିଛି ଚିନ୍ତା କରିନାହିଁ। ତେବେ ଆଗକୁ ଏ ନେଇ ନିଷ୍ପତ୍ତି ନେବେ। ଆଗକୁ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ପରେ ବିଶ୍ୱକପ ହକି ଥିବା ବେଳେ ବି ସେ ଆନ୍ତର୍ଜାତୀୟ ହକିରୁ ଅଵସର ନେବା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଦୋହରାଇଛନ୍ତି।

ଟୋକିଓ  ଅଲିମ୍ପିକରେ ହକି ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳରେ ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ କରାଯାଇଥିଲା । ଲାକ୍ରା ଭାରତୀୟ ହକି ଟିମର ଷ୍ଟାର ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ । କିନ୍ତୁ ଆହତ କାରଣରୁ ସେ ମଇଦାନକୁ ଓହ୍ଲାଇ ପାରିନଥିଲେ । ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା । ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ କ୍ୟାପଟେନ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ଅପେକ୍ଷାର ଅନ୍ତଃ ଘଟାଇଥିଲା ।

ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ବୀରେନ୍ଦ୍ର ହକି ୱାର୍ଲ୍ଡ କପ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି।

ହକିରୁ ବୀରେନ୍ଦ୍ର ଲାକ୍ରାଙ୍କ ଅବସର ଘୋଷଣା ପ୍ରସଙ୍ଗରେ କୋଚ କାଳୁଚରଣ ଚୌଧୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। "ଏହା ଶୁଣିବା ପରେ ମୁଁ ସ୍ତବ୍ଧ। କଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଁ ଜାଣିନାହିଁ। ଦଳରେ ତାଙ୍କ ସ୍ଥାନ ଭଲ ଥିଲା। କିଛି ବିବାଦ ବି ନଥିଲା। ତାଛଡ଼ା ଆଗକୁ ରାଜ୍ୟଗୋଷ୍ଠୀ  କ୍ରୀଡ଼ା, ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ  ଆଦି ଅଛି। ତାଙ୍କୁ ଭେଟିବା ପରେ ଏ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲି," କହିଛନ୍ତି ବିରେନ୍ଦ୍ରଙ୍କ କୋଚ କାଳୁ ଚରଣ ଚୌଧୁରୀ।
Published by: Soumya Das
First published: September 30, 2021, 7:50 PM IST