ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ବରରେ ବାର୍ଡ ଫ୍ଲୁ: OUATରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଜାନ; ଲାଗିଛନ୍ତି ୧୨ ଟିମ୍‌

ଭୁବନେଶ୍ବରରେ ବାର୍ଡ ଫ୍ଲୁ: OUATରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଜାନ; ଲାଗିଛନ୍ତି ୧୨ ଟିମ୍‌

ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ କଞ୍ଚା ଅଣ୍ଡା ଏବଂ ଦରସିଝା ମାଂସ ନ ଖାଇବା ଲାଗି ପରାମର୍ଶ ଦେଇଛି । ଖାଇବା ପୂର୍ବରୁ ଖାଦ୍ୟକୁ ଭଲ ଭାବରେ ଗରମ କରିବାକୁ କୁହାଯିବା ସହିତ ଯେତେ ସମ୍ଭବ କୁକୁଡ଼ା ମାଂସ ଏବଂ ଅଣ୍ଡା ଠାରୁ ଦୂରେଇ ରହିଲେ ଭଲ ହେବ ବୋଲି ଲୋକଙ୍କୁ କୁହାଯାଇଛି ।

ଭୁବନେଶ୍ବରରେ ବାର୍ଡ ଫ୍ଲୁ: OUATରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଜାନ; ଲାଗିଛନ୍ତି ୧୨ ଟିମ୍‌
OUAT ଅଞ୍ଚଳରେ ହଜାର ହଜାର କୁକୁଡ଼ା ମାରିବାକୁ ପ୍ରସ୍ତୁତ ହେଉଛନ୍ତି କର୍ମଚ଼ାରୀମାନେ ।
  • News18 Odia
  • Last Updated: January 28, 2020, 2:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର OUAT (ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲ୍‌ଚ଼ର ଆଣ୍ଡ୍‌ ଟେକନଲୋଜି) ରେ ଥିବା କୁକୁଡ଼ାମାନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ମାତିଥିବାରୁ ଏହି ରୋଗର ପ୍ରସାର ରୋକିବାକୁ ଆଜି ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ସରକାରଙ୍କ ନିର୍ଦ୍ଦେଶରେ ପ୍ରତିଷେଧମୂଳକ ପଦକ୍ଷେପ ଭାବେ OUAT ଓ ତା’ର ଏକ କିଲୋମିଟର ପରିଧି ଭିତରେ ଥିବା କୁକୁଡା ଫାର୍ମ, ଚିକେନ ସେଣ୍ଟର ଓ ଦୋକାନରେ କୁକୁଡ଼ାମାନଙ୍କୁ ମରାଯାଉଛି ।

ଏ ଅଭିଜାନରେ ଲାଗିଛନ୍ତି ୧୨ଟି ରାପିଡ ରେସପନ୍ସ ଟିମ୍‌ । ସେଥିରୁ ସାତଟି ଟିମ୍‌ କୁକୁଡ଼ାମରା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ, ଅନ୍ୟ ପାଞ୍ଚଟି ଟିମ୍‌ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି ।  ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଥିବା ଟିମ୍ ନିୟମିତ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବେ । ସଂକ୍ରମିତ ଅଞ୍ଚଳରେ ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ବ୍ଲିଚିଂ ପାଉଡର ଦ୍ବାରା ବିଶୋଧନ କରିବାର ବ୍ୟବସ୍ଥା କରାଯାଇଛି ।

ବାର୍ଡ ଫ୍ଲୁକୁ ନଜରରେ ରଖି ନନ୍ଦନ କାନନରେ ମଧ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି । ପ୍ରାଣୀ ଉଦ୍ୟାନରେ ଥିବା ପକ୍ଷୀ ବିହାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ କଞ୍ଚା ଅଣ୍ଡା ଏବଂ ଦରସିଝା ମାଂସ ନ ଖାଇବା ଲାଗି ପରାମର୍ଶ ଦେଇଛନ୍ତି । ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଗରମ କରିବାକୁ କୁହାଯିବା ସହିତ ଯେତେ ସମ୍ଭବ କୁକୁଡ଼ା ମାଂସ ଏବଂ ଅଣ୍ଡା ଠାରୁ ଦୂରେଇ ରହିଲେ ଭଲ ହେବ ବୋଲି ଲୋକଙ୍କୁ କୁହାଯାଇଛି । ତେବେ ଭୁବନେଶ୍ବରର ସବୁ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇନାହିଁ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି କୁହାଯାଇଛି ।

ମାରି ସାରିବା ପରେ କୁକୁଡ଼ାଗୁଡ଼ିକୁ ପୋତିବାକୁ ବ୍ୟବସ୍ଥା କରାଯାଉଛି ।


OUATର ଗବେଷଣା କେନ୍ଦ୍ରରେ ଥିବା କୁକୁଡ଼ାମାନଙ୍କର ଗତ କିଛି ଦିନ ମଧ୍ୟରେ ଅସ୍ୱାଭାବିକଭାବେ ମୃତ୍ୟୁ ହେବା ପରେ ସେଠାକାର କର୍ତ୍ତୃପକ୍ଷ ଭୋପାଳରେ ଥିବା ପ୍ରାଣୀ ରୋଗ ଲେବରେଟରୀକୁ କିଛି ନମୂନା ପଠେଇଥିଲେ । ତା’ର ପରୀକ୍ଷା ହେବା ପରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଧରିଥିବା ଜଣାପଡ଼ିଛି ।

ଏହି ଭୂତାଣୁଜନିତ ଭୟଙ୍କର ଓ ସଂକ୍ରାମକ ରୋଗକୁ ବଢ଼ିବାକୁ ନ ଦେବା ପାଇଁ ରାଜ୍ୟ ସରକାରଙ୍କ ଆଦେଶରେ କୁକୁଡ଼ାମାନଙ୍କୁ ମାରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ।

ଭୀଷଣ ଜ୍ବର ହେବା, ସର୍ଦ୍ଦି ହେବା, ନାକରୁ ପାଣି ବହିବା, ଗଳା ଫୁଲିବା, ତଳିପେଟରେ ଯନ୍ତ୍ରଣା ହେବା ଓ ଭୀଷଣ ମୁଣ୍ଡ ବ୍ୟଥା ହେବା ବାର୍ଡ ଫ୍ଲୁର ଲକ୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ । କାହାରି ଏଭଳି କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ରକ୍ତ ପରୀକ୍ଷା କରାଇ ନେବା ଉଚ଼ିତ । ସେହି ପରି କୁକୁଡ଼ା ମାଂସ ଓ ଅଣ୍ଡାରୁ ନିଜକୁ ଦୂରେଇ ରଖିଲେ ଭଲ ।

କାଶ, ଛିଙ୍କ ଓ ଜ୍ବରରେ ପୀଡିତ ରୋଗୀଙ୍କ ନିକଟକୁ ସୁସ୍ଥ ମଣିଷ ନ ଯିବା ଉଚ଼ିତ । ଅଧିକ ପାଣି ପିଇବା ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଉଚ଼ିତ । ଏଥି ସହ ବାର୍ଡ ଫ୍ଲୁର ଲକ୍ଷଣ ଦେଖାଗଲେ ବା ଏହି ରୋଗ ଧିଛି ବୋଲି ସନ୍ଦେହ ହେଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚ଼ିତ ବୋଲି ବିଶେଷଜ୍ଞମନେ କହିଛନ୍ତି ।
First published: January 28, 2020, 2:29 PM IST