News18 Odia Digital
କଟକ: ବାଡ଼ ଖାଇଗଲା କ୍ଷେତ। ସୁରକ୍ଷା ଦାୟିତ୍ୱରେ ରହିଥିବା ଲୋକ ଚୋରିକଲା ଗାଡି। କଟକ ଏସ.ସି.ବି. ମେଡିକାଲର ପୁର୍ବତନ ସିକ୍ୟୁରିଟି ଗାର୍ଡ ପ୍ରତାପ ସାମଲ ଥିଲା ଏହି ବାଇକ ଲୁଟେରା ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର। ବୁଧବାର କଟକ ମଙ୍ଗଳାବାଗ ପୋଲିସ ହାତରେ ଧରା ପଡ଼ିଲା ପ୍ରତାପ ଓ ତା'ର ଦୁଇ ସହଯୋଗୀ। ସେମାନଙ୍କ ଠାରୁ ପୋଲିସ ୮ଟି ବାଇକ ସହ ଗୋଟିଏ ଅଟୋ'କୁ ଜବତ କରିଛି। ତିନି ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ପୋଲିସ।
ଆମେ ଅନେକ ଦିନ ଧରି ବାଇକ ଚୋର ଗ୍ୟାଙ୍ଗ ଉପରେ ନଜର ରଖିଥିଲୁ ଓ ଶେଷରେ ସଫଳ ହେଲୁ। ଗ୍ୟାଙ୍ଗକୁ ଅପରେଟ କରୁଥିଲା ଭଦ୍ରକ ଜିଲ୍ଲା ବାଁସଡା' ଅଞ୍ଚଳର ପ୍ରତାପ ସାମଲ ଦୀର୍ଘ ଦିନ ଧରି ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚାକିରି କରି ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଗତି ବିଧି ଉପରେ ନଜର ରଖୁଥିଲା। ଜରୁରୀକାଳୀନ କାମରେ ଆସୁଥିବା ରୋଗୀ ସମ୍ପର୍କୀୟଙ୍କୁ କରୁଥିଲା ଟାର୍ଗେଟ। କିଛି ଦିନ ପରେ ସେ ଚାକିରି ଛାଡ଼ି ଦେଇଥିଲା। ତେବେ ସବୁଠୁ ରୋଚକ କଥା ହେଉଛି ପ୍ରତାପ ସିକ୍ୟୁରୀଟି ଚାକିରି ଛାଡ଼ିଲା ପରେ ମଧ୍ୟ ଲୋକଙ୍କୁ ଚକମା ଦେବାକୁ ସିକ୍ୟୁରୀଟି ଡ୍ରେସ ପିନ୍ଧି କରୁଥିଲା ଚୋରି। ତାକୁ ଏହି ଚୋରି କାମରେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲା କଲେଜ ଛକର ଜଣେ ନକଲି ଚାବି ତିଆରି କରୁଥିବା ବ୍ୟକ୍ତି, ଅନ୍ୟ ଜଣେ ସହଯୋଗୀ। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ସୌରଭ ସ୍ୱାଇଁ ଓ ବଲ୍ଲଭ ଜେନା। ଆମେ ସମସ୍ତ ତିନି ଅଭିଯୁକ୍ତକୁ ଗରିଫ କରିଥିଲୁ। ଏମାନଙ୍କ ନାମରେ ବିଭିନ୍ନ କଟକର ବିଭିନ୍ନ ଥାନାରେ ରହିଛି ଅନେକ ମାମଲା। ଏହି ବାଇକ ଚୋରି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଜୋନ ୨ ଏ.ସି.ପି ଅଜୟ ଦାସ।

ବାଇକ ଲୁଟେରାଙ୍କଠୁ ପୋଲିସ ୮ଟି ବାଇକ ସହ ଗୋଟିଏ ଅଟୋ'କୁ ଜବତ କରିଛି
କଟକ ବଡ଼ ମେଡିକାଲ ପରିସରରେ ଘଟୁଥିବା ବଡ଼ ବଡ଼ ଅପରାଧକୁ ରୋକିବା ପାଇଁ ସିସିଟିଭି ଲଗାଇବାକୁ କରାଯାଇଥିଲା ବ୍ୟବସ୍ଥା। ହେଲେ ମେଡିକାଲ ପରିସରରେ ଲାଗିଥିବା କ୍ୟାମେରା କାମ କରୁନଥିବାରୁ ବାରମ୍ବାର ଏହିଭଳି ଅପରାଧ ଘଟୁଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସ ବାରମ୍ବାର ଅବଗତ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ସାଜିଛନ୍ତି ନିରବ ଦ୍ରଷ୍ଟା। ଫଳ ସ୍ୱରୂପ ଘଟୁଛି ଏହିଭଳି ଅନେକ ଅପରାଧ। ହାଇଦର ଭଳି ହାର୍ଡକୋର କ୍ରିମିନାଲର ଫେରାର ହେଉ ଅବା ବାଇକ ଚୋରି ଘଟଣା, କି ରୋଗୀ ସମ୍ପର୍କୀୟଙ୍କ ଠାରୁ ଲୁଟ ଘଟଣା ଏସବୁରେ ମେଡିକାଲ ପରିସରରେ ଲାଗିଥିବା ସିସିଟିଭି ଅନେକ ସମୟରେ ଫେଲ ମାରିଛି। ଯେଉଁଥି ପାଇଁ ଏଭଳି ଅପରାଧ କରୁଛନ୍ତି ଅପରାଧୀମାନେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଚିଠି ଲେଖା ଯାଇ ସିସିଟିଭିକୁ ସଚଳ କରିବାକୁ କୁହା ଯାଇଥିଲେ ବି କାହିଁକି ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ମଙ୍ଗଳାବାଗ ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ଅମିତାଭ ମହାପାତ୍ର।
ଆଗକୁ ଏସ.ସି.ବି. ମେଡିକାଲ ବିଶ୍ୱସ୍ତରୀୟ ହେବ କିନ୍ତୁ ଏବେ ଠାରୁ ଯଦି ସମ୍ପୂର୍ଣ୍ଣ ମେଡିକାଲ ପରିସରକୁ ସିସିଟିଭି ନଜରରେ ରଖା ନଯିବ, ଆଗକୁ ଆହୁରି ବଡ଼ ବଡ଼ ଅପରାଧ ଓ ଅପରାଧୀଙ୍କୁ କାବୁ କରିବା କଷ୍ଟକର ବ୍ୟାପାର ହେବ।