News18 Odia Digital
ଭୁବନେଶ୍ବର: ଲୋକାର୍ପଣ ହେଲା ବିଜୁ ବାବୁଙ୍କ ଡାକୋଟା (Dakota) ବିମାନ। ଯାହା ବଖାଣିବ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ। ଏହି ବିମାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)।
ବିଜୁ ପଟ୍ଟନାୟକ ବିମାନବନ୍ଦରର ଟର୍ମିନାଲ୍-୧ ସାମ୍ନାରେ ହୋଇଛି ଡିସପ୍ଲେ। ଯାହାକୁ ଦେଖିବା ସହିତ ଫଟୋ ନେବାକୁ ପ୍ରଥମ ଦିନରୁ ଭିଡ଼ ପରିଲକ୍ଷିତ ହୋଇଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡାକୋଟାକୁ ଯୁଦ୍ଧକାଳୀନ ଭିତ୍ତିରେ ଦିଆଗଲା ନୂଆରୂପ।
ଡାକୋଟା ବଖାଣିବ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ। ନୂଆପିଢ଼ି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୀବନୀ, ଇଣ୍ଡୋନେସିଆରେ ତାଙ୍କର ବୀରତ୍ୱ ଗାଥା ବାବଦରେ ଜାଣିପାରିବେ। ବିମାନ ବନ୍ଦରରେ ଫିଟ୍ ଆଉ ଫାଇନ୍ ଦିଶୁଥିବା ଡାକୋଟା ବିମାନକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିମାନବନ୍ଦର ଟର୍ମିନାଲ୍-୧ ପରିସରରେ ୧.୧ ଏକର ଜାଗାରେ ଶୋଭା ପାଉଛି ବିଜୁ ବାବୁଙ୍କ ଡାକୋଟା। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଲୋକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ସାଜିବ।
୨୦୧୭ରୁ ରାଜ୍ୟ ସରକାର ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ଦିନ ପରେ ଜାନୁଆରୀ ୧୬ ତାରିଖରେ କୋଲକାତାରୁ ଓଡ଼ିଶା ଫେରିଥିଲା ଡାକୋଟା। ଟର୍ମିନାଲ ୧ ସମ୍ମୁଖ ଭାଗରେ ରହିଛି ଡାକୋଟାର ପ୍ରୋପେଲର୍ ବେସ୍।
ଏଥିରେ ଖଞ୍ଜା ଯାଇଛି ଫ୍ୟୁଜ୍ ଲସ୍। ଯେଉଁଥିରେ କଳିଙ୍ଗ ଏୟାରଲାଇନ୍ସର ଲୋଗୋ ରହିଛି। ଡାକୋଟାର ୱିଙ୍ଗ୍ସ୍ ଦୁଇଟିକୁ ମଧ୍ୟ ଲଗାଯାଇଛି। ଡାକୋଟାକୁ ପୂର୍ଣ୍ଣ ରୂପ ଦିଆଯାଇଛି। ଏଥିରେ ଲାଗିଥିବା ମିଲିଟାରୀ ବିମାନର ଇଞ୍ଜିନ କ୍ଷମତା ୧୮୩୦ ଏଚପିରୁ ଅଧିକ।
ଆଲୁମିନିୟମରେ ନିର୍ମିତ ଏହି ବିମାନର ଡେଣାକୁ ସଂଯୋଗ କରୁଥିବା ସ୍ଥାନରେ କଳଙ୍କି ନ ଲାଗିବା ପାଇଁ ଏକ ସ୍ବତନ୍ତ୍ର ପ୍ରାଇମର ରଙ୍ଗ ଦିଆଯାଇଛି।
ଯାହା ୮୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର ଦେବ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି। ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଥିଲେ।
ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ। ଡଚ୍ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ।
ଏହା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ।
ଏନେଇ ଦକ୍ଷତା ବିକାଶ ସଚିବ ଉଷା ପାଢ଼ୀ କହିଛନ୍ତି, ‘‘ଡାକୋଟା ଇଷ୍ଟଲ କରିବା ପର୍ଯ୍ୟନ୍ତ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଅନ୍ୟ କାମ ସମସ୍ତ ୱାର୍କ ବିଭାଗ କରିଥିବା କହିଛନ୍ତି। ବାକି ସୌନ୍ଦର୍ଯ୍ୟ କରଣ କାମ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଛି।’’
ପଢ଼ନ୍ତୁ ଏହି ଖବର: ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମନ୍ତ୍ରୀ ଉଷା ଦେବୀଙ୍କ ସହ ଶ୍ରୀକାନ୍ତ ସାହୁଅନ୍ୟପଟେ ଡାକୋଟାକୁ ମରାମତି କାମ ନେଇଥିବା ଟେକ୍ନିକାଲ ଇଞ୍ଜିନିୟର ମାନେ ବହୁତ୍ ଖୁସି ଅଛନ୍ତି। ଡାକୋଟା ସହିତ ବିଜୁ ବାବୁ, ଓଡ଼ିଶା, ଭାରତ ବର୍ଷ ଇଣ୍ଡୋନେସିଆର ମଧ୍ୟ ସମ୍ପର୍କ ରହିଛି। କିନ୍ତୁ ଡାକୋଟାରେ ଯେଉଁ ଦୁଃସାହାସିକ କାର୍ଯ୍ୟ କରିଥିଲେ ବିଜୁ ବାବୁ ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।