News18 Odia Digital
ଭୁବନେଶ୍ବର: ବୁଧବାର ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା ବିମାନ। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଥିଲା ଏହି ବିମାନ।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା। ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ବୁଧବାର ଭୁବନେଶ୍ଵରରେ ପହଞ୍ଚି ଥିବାରୁ ମୁଁ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଥିଲେ। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଡଚମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି 'ମୋ ମା' ଜ୍ଞାନ ପଟ୍ଟନାୟକ।’’
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଶନ୍ନ ପ୍ରଧାନ କହିଥିଲେ, "ମାର୍ଚ୍ଚ ୫ରେ ବିଜୁବାବୁ ଜୟନ୍ତୀରେ ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ଟର୍ମିନାଲ ବିଲଡିଂ ସାମ୍ନାରେ ଏହାକୁ ପ୍ରଦର୍ଶିତ କରାଯିବ। ଏହାର ରିନୋଭେସନ ହେବ। ଏହା ପୁରୁଣା ହୋଇଯାଇଥିବା ବେଳେ ତାକୁ ନୂଆ ଭଳି କରାଯିବ। ଏଥିପାଇଁ ୧.୧ଏକର ଜାଗା ଏୟାରପୋର୍ଟ ଅଥରିଟି ଏହାକୁ ଲିଜରେ ରାଜ୍ୟ ସରକାର ଙ୍କୁ ଦେଇଛନ୍ତି। ଏୟାର ପୋର୍ଟ ଅଥରିଟି ଇଣ୍ଡିଆ ର ପୂର୍ବ ଅଧଖ୍ୟ ଗୁରୁ ପ୍ରସାଦ ମହାପାତ୍ର ଏହାର ଚାର୍ଜେସ ଛାଡ କରିଦେଇଥିଲେ। ଏହା ସାଧାରଣତ ଜନତାଙ୍କ ପାଇଁ ପ୍ରଦର୍ଶିତ ହେବ।"
ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଅଣାଯାଇଛି। ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଏହି ସ୍ୱାଗତ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, IT ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।