ପୁରୀ: ବହୁ ବାଦ ବିବାଦର ଅନ୍ତ ଘଟାଇ ଶେଷରେ ପୁରୀର ସ୍ୱର୍ଗଦ୍ୱାରରୁ ହଟିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ । ସ୍ୱର୍ଗଦ୍ୱାରର ଉନ୍ନତିକରଣ ଉଦ୍ଦେଶ୍ୟରେ ସମାଧି ପୀଠକୁ ଉଚ୍ଛେଦ କରାଯିବା ପରେ ଏବେ ସେଠି କେବଳ ବିଜୁ ପଟ୍ଟନାୟକ ସ୍ମୃତି ପୀଠ ଲେଖାଥିବା ଗୋଟିଏ ଗେଟ୍ ଠିଆ ହୋଇଛି । ସମାଧି ପୀଠ ସମ୍ପୂର୍ଣ ମାଟିରେ ମିଶିଯାଇଛି ।
ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳକୁ ସ୍ୱର୍ଗଦ୍ୱାରରୁ ହଟାଯାଉ ବୋଲି ଆଦେଶ ଦେଇଥିଲେ ଖୋଦ୍ ବିଜୁବାବୁଙ୍କ ପୁତ୍ର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବା ପୂର୍ବରୁ ଡିସେମ୍ବର ୧୮ର ବିଳମ୍ବିତ ରାତିରେ ସେହି ସ୍ମୃତି ପୀଠକୁ ସ୍ୱର୍ଗଦ୍ୱାର ଉନ୍ନତିକରଣ ପାଇଁ ଉଚ୍ଛେଦ କରାଯାଇଛି ।
ସ୍ୱର୍ଗଦ୍ୱାରର ଉନ୍ନତିକରଣ ସରିବା ପରେ କେଉଁଠି ସମାଧି ସ୍ଥଳର ପୁନଃନିର୍ମାଣ କରାଯିବ ତାହା ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରାଯିବ ବୋଲି କହିଛନ୍ତି ପୁରୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ।

୧୯୯୯ ରେ ପୁରୀ ପୌରସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିଲା ବିଜୁ ସମାଧି ସ୍ଥଳ ଓ ସ୍ମୃତି ପୀଠ ।
ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିବା ବେଳେ ସ୍ୱର୍ଗଦ୍ୱାର ଉନ୍ନତୀକରଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ନିଜ ବାପାଙ୍କ ସମାଧିକୁ ସେଠାରୁ ଉଚ୍ଛେଦ କରାଯାଉ ବୋଲି ପୂର୍ବରୁ ଆସିଥିବା ନ୍ୟାୟାଳୟର ଆଦେଶକୁ ବେଶ୍ କିଛି ସମୟ ଅଣଦେଖା କରିବା ପରେ ଶେଷରେ ଏକ ବଡ଼ ତ୍ୟାଗ କରି ନବୀନ ନିଜେ ଏହି ନିର୍ଦେଶ ଦେଇଛନ୍ତି । ସମାଧୀ ସ୍ଥଳ ହଟାଯିବା ପରେ ସହରବାସୀ ଓ ବିଜୁ ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବିଳମ୍ବିତ ରାତ୍ରିରେ ବିଜୁଙ୍କ ସମାଧି ପୀଠକୁ ଜିଲ୍ଲାପାଳ, ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟ ପାଇଁ ଉଚ୍ଛେଦ କରୁଥିବା ଓଡିଶା ବ୍ରିଜ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ପକ୍ଷରୁ ଦୁଇଟି ଜେସିବି ମେସିନ୍ ଲଗାଯାଇ ଏହି କାର୍ଯ୍ୟ କରାଯାଇଛି ।
‘‘ସ୍ୱର୍ଗଦ୍ୱାରର ନବୀକରଣ କାମ ଚ଼ାଲିଥିବାରୁ ପ୍ରଥମେ ସ୍ୱର୍ଗଦ୍ୱାରର ତଳ ଅଂଶରୁ ଆରମ୍ଭ କରି ସମ୍ପୂର୍ଣ ଭାବେ ପୌରସଂସ୍ଥାର ଟିକେଟ ଗୃହ, ବିଶ୍ରାମଗାର, ପଥଶ୍ରାଦ୍ଧ ଗୃହ, ବୈଦୁତିକ ଚି଼ମନୀ ଓ ସେଠାରେ ରହିଥିବା ସମସ୍ତ ସମାଧୀ ସ୍ତମ୍ଭ ଓ ବିଜୁବାବୁଙ୍କ ସ୍ମୃତି ପୀଠକୁ ଉଚ୍ଛେଦ କରାଯାଇଛି । ସ୍ୱର୍ଗଦ୍ୱାର ପରିସରରେ କୌଣସି କନଷ୍ଟ୍ରକସନ୍ ରଖାଯିବ ନାହିଁ । ସବୁ ଉଚ୍ଛେଦ ପରେ ସେହି ଜମିରେ ଆରମ୍ଭ ହେବ ନବୀକରଣ କାର୍ଯ୍ୟ,’’ କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ।
ସ୍ୱର୍ଗଦ୍ୱାର ନବୀକରଣ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଆସିଛି ଓ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ
୧୯୯୭ ରେ ପୁରୀର ସ୍ୱର୍ଗଦ୍ୱାରରେ ବିଜୁ ପଟ୍ଟନାୟକଙ୍କ ଶବ ସତ୍କାର କରାଯାଇଥିଲା । ତାର ଠିକ ଦୁଇ ବର୍ଷ ପରେ ୧୯୯୯ ରେ ପୁରୀ ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାର ପରିସରରେ ୧,୬୦୦ ବର୍ଗ ଫୁଟରେ ବିଜୁ ବାବୁଙ୍କ ସ୍ମୃତି ଉଦ୍ଧେଶ୍ୟରେ ନିର୍ମାଣ କରାଯାଇଥିଲା ଏକ ସମାଧି ସ୍ଥଳ ଓ ବିଜୁ ସ୍ମୃତି ପୀଠ ।
୨୦୧୪ ଡିସେମ୍ବରରେ ଏହି ସମାଧି ସ୍ଥଳକୁ ବେଆଇନ ବୋଲି କହି କୋର୍ଟରେ ଆଇନଜୀବୀ ରମେଶ ପ୍ରସାଦ ସିଂଙ୍କ ଦ୍ୱାରା ଏକ ମାମଲା ଦାୟର ହୋଇଥିଲା । କୋର୍ଟଙ୍କ ପକ୍ଷରୁ ମାମଲାର ବିଚାର ହୋଇ ପୌରସଂସ୍ଥାକୁ ସମାଧୀ ସ୍ଥଳ ସେଠାରୁ ହଟାଇବା ପାଇଁ ନିର୍ଦ୍ଦେଶ ଆସିଥିଲା ।
‘‘ଆଜି ସମାଧି ସମ୍ପୂର୍ଣ ହଟିଯିବା ପରେ ସମସ୍ତେ ଏହାକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସାଧିୁବାଦ ଦେଇଛନ୍ତି । ତେବେ ସ୍ୱର୍ଗଦ୍ୱାରରୁ ସମାଧି ହଟାଇ ପୁରୀରେ ଅନ୍ୟ ଏକ ଜାଗାରେ ତାହା କରାଯାଇ ସେ ସ୍ଥାନକୁ ଉନ୍ନତି କରାଯିବା ଉଚ଼ିତ,’’ କହିଛନ୍ତି ସମାଧି ବିରୁଦ୍ଧରେ କୋର୍ଟକୁ ମାମଲା ନେଇଥିବା ଆଇନଜୀବୀ ରମେଶ ପ୍ରସାଦ ସିଂ ।
ହିନ୍ଦୁମାନଙ୍କର ଭାବାବେଗ ଓ ଧର୍ମୀୟ ଭାବନା ସହ ଜଡିତ ରହିଛି ପୁରୀର ସ୍ୱର୍ଗଦ୍ୱାର । ଏଠାରେ ଶବଦାହ କଲେ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଣ୍ଣୟ ଦ୍ୱାରା ସ୍ୱର୍ଗଦ୍ୱାରର କଳେବର ଏବେ ଉନ୍ମୁକ୍ତ ହୋଇଥିବା ଯୋଗୁଁ ସେହି ଆସ୍ଥା ଓ ବିଶ୍ୱାସ ସୁରକ୍ଷିତ ରହିବ ।
ହାଇଦ୍ରାବାଦର ଫିନିକ୍ସ୍ ଫାଉଣ୍ଡେସନ ପକ୍ଷରୁ ତେଲେଙ୍ଗାନାରେ ଗଢ଼ାଯାଇଥିବା ବୈକୁଣ୍ଠ ମହାପ୍ରସ୍ଥାନମ୍ ଢାଞ୍ଚାରେ ହେବ ପୁରୀ ସ୍ୱର୍ଗଦ୍ୱାରର ନବକଳେବର । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ରୁ ପ୍ରଥମ ପର୍ଯ୍ୟାୟରେ ପାଞ୍ଚ କୋଟି ଟଙ୍କାର ସହାୟତା ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟ । ବର୍ତ୍ତମାନ ଏକ ଏକର ଜମିରେ କରାଯିବ ସ୍ୱର୍ଗଦ୍ୱାରର ବିକାଶ । ଆତ୍ମୀୟଙ୍କ ଶବଦାହ ପାଇଁ ଆସୁଥିବା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଉଛି ।
‘‘ସ୍ୱର୍ଗଦ୍ୱାରରେ ଏକ ସଙ୍ଗେ ଶବଦାହ ପାଇଁ ନିର୍ମାଣ କରାଯିବ ୧୪ଟି ପିଣ୍ଡି । ଗୋଟିଏ ଧାଡି଼ରେ ସାତଟି ଲେଖାଏଁ ପିଣ୍ଡି ରହିବ । ସ୍ୱର୍ଗଦ୍ୱାର ପାଇଁ ରହିବ ସ୍ୱତନ୍ତ୍ର କାର୍ଯ୍ୟାଳୟ । ମୃତଦେହ ରଖିବା ପାଇଁ ତିଆରି ହେବ ସ୍ୱତନ୍ତ୍ର ସ୍ଥାନ । ପୂଜା ସାମଗ୍ରୀ ବିକ୍ରି ପାଇଁ ହେବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍, ଚ଼ାରିଟି ପଥଶ୍ରାଦ୍ଧ ପିଣ୍ଡି, କାଠ ରଖିବା ପାଇଁ ସ୍ଥାନ, ଅସ୍ଥି ରଖିବା ପାଇଁ ଲକର ରୁମ୍, ଶୌଚାଳୟ, ପରିଶ୍ରାଗାର ଓ ରିଫ୍ରେସମେଣ୍ଟ୍ ରୁମ୍ ଆଦି ।
ବର୍ଷା ପବନ ସମୟରେ ଯେମିତି ଶବଦାହ ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ପିଣ୍ଡି ଉପରେ ରହିବ ସେଡ୍ । ପବନକୁ ପ୍ରତିହିତ କରିବା ପାଇଁ ବାଡ଼ ରହିବ । ପରିଜନମାନେ ଶବଦାହ ଦେଖିବା ପାଇଁ ରହିବ ବ୍ୟବସ୍ଥା । ସମୁଦ୍ର କୂଳରେ ଏକ ଘାଟ ନିର୍ମାଣ କରାଯିବ । ସେଠାକୁ ଯିବା ପାଇଁ ରୋଡ଼୍ ଓଭର ବ୍ରିଜ ବି ତିଆରି କରାଯିବ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।
ସ୍ୱର୍ଗଦ୍ୱାରର ନବୀକରଣ କରାଯିବା ଯୋଗୁଁ ସେଠାରୁ ହଟିଥିବା ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ପୁରୀରେ ଏକ ସ୍ୱତନ୍ତ୍ର ଜାଗାରେ ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା ହେବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।