News18 Odia Digital
ପୁରୀ: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ଅନୁଷ୍ଠାନ ଲୋକାର୍ପଣ କରିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। କୃଷ୍ଣପ୍ରସାଦରେ ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ କହିଥିଲେ, "ବର୍ତ୍ତମାନ ସମୟରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ତାଲିମର ଆବଶ୍ୟକତା ରହିଛି । ଶିଳ୍ପାୟନ ନିମନ୍ତେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଛନ୍ତି । ଏଥି ନିମନ୍ତେ ଦକ୍ଷତା ବିକାଶ ମାଧ୍ୟମରେ ଆବଶ୍ୟକୀୟ କୁଶଳୀ କାରିଗର ସୃଷ୍ଟି କରାଯାଉଛି । ଦେଶର ୧୨,୦୦୦ ଆଇଟିଆଇ ମଧ୍ୟରୁ ପ୍ରଥମ ୧୦୦ଟି ମଧ୍ୟରେ ରାଜ୍ୟର ୧୦ଟି ଆଇଟିଆଇ ରହିବା ଆନନ୍ଦର କଥା ।’’
"କୃଷ୍ଣପ୍ରସାଦ ସ୍ଥିତ ବିଜୁ ପଟ୍ଟନାୟକ ଆଇଟିଆଇ ନିମନ୍ତେ ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଉନ୍ନତମାନର ଶ୍ରେଣୀଗୃହ, ପାଠାଗାର, ୱାର୍କସପ, ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସ ବ୍ୟବସ୍ଥା ରହିଛି । ପ୍ରାରମ୍ଭରେ ମୁଖ୍ୟ ମନ୍ତ୍ରୀ କୃଷ୍ଣପ୍ରସାଦ ବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଚିଲିକା ଘେରା ବିଚ୍ଛିନ୍ନାଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅନୁଷ୍ଠାନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବ,’’ କହିଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ ଅନୁଷ୍ଠାନ ଲୋକାର୍ପଣ କରିଛନ୍ତି CM ନବୀନ ପଟ୍ଟନାୟକ
ସେହିପରି ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, ‘‘ପ୍ରାଥମିକ ଭାବେ ଇଲେକଟ୍ରିସିଆନ, ଇଲକୋଟ୍ରୋନିକ୍ସ ମେକାନିକ, ଫିଟର, ଡ୍ରେସ ମେକିଂ ଟ୍ରେଡରେ ଆବାସିକ ପାଠ୍ୟକ୍ରମ ଆରମ୍ଭ କରାଯିବ। ଉକ୍ତ ଅଞ୍ଚଳର ଗରିବ ମେଧାବୀ ପିଲାମାନେ ଉଭୟ ବୈଷୟିକ ଓ ବୃତ୍ତିଗତ ତାଲିମ ପାଇବାର ସୁଯୋଗ ମିଳିବ । ଏଠାରୁ ଉପଯୁକ୍ତ ତାଲିମ ପାଇ ଛାତ୍ରଛାତ୍ରୀମାନେ ସ୍ବାବଲମ୍ବୀ ହୋଇପାରିବେ। ଏହି ଶିକ୍ଷାନୁଷ୍ଠାନ ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଇବ। ସମସ୍ତଙ୍କ ସହଯୋଗ ରହିଲେ ଏହି ଅନୁଷ୍ଠାନ ଉନ୍ନତିର ଶିଖର ଛୁଇଁବ ।’’
ପ୍ରକାଶ ଥାଉକି ୫-ଟି ସଚିବ ଭି.କ. ପାଣ୍ତିଆନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉକ୍ତ ଅନୁଷ୍ଠାନର ପରିସରରେ ସବୁଜ ବନାନୀ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଆଇଟିଆଇ ଭାରପ୍ରାପ୍ତ ଅଧ୍ୟକ୍ଷା ଶିଳ୍ପିତା ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଉପ ନିର୍ଦ୍ଦେଶକ ଶିବ ପ୍ରସାଦ ମଲ୍ଲିକ, ଅଜୟ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।