• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • କରୋନା ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଚିଠି; ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

କରୋନା ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଚିଠି; ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ। ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି। ସରକାରଙ୍କର ତା' ଉପରେ ନଜର ରହିଛି। କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି ।

କରୋନା ଟିକା (ପ୍ରତୀକାତ୍ମକ ଛବି)

କରୋନା ଟିକା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ଓ କଟକଣା କୋହଳ ଲାଗି କେନ୍ଦ୍ର ନିର୍ଦ୍ଦେଶ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି। ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ।

ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ। ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି। ସରକାରଙ୍କର ତା' ଉପରେ ନଜର ରହିଛି। କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । ପୁନଶ୍ଚ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା। ଯଦି ଏବେର ଷ୍ଟାଟସ୍ ଦେଖିବା, ୨ ରୁ ୩ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି। ଏବେକାର ସ୍ଥିତିରେ ଆମେ ଭଲ ଆଡ଼କୁ ଯାଉଛେ। କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି। ହସ୍ପିଟାଲିଟି ରେଟ୍ ମଧ୍ୟ କମ ରହୁଛି। ଆଗକୁ ସ୍ଥିତି ଆହୁରି ସୁଧୁରିବ।

ତୃତୀୟ ଲହର ସରିଲାଣି କି ବୋଲି ପ୍ରଶ୍ନରେ କହିଛନ୍ତି ଯେ ଲହର କେବେ ସରେ ନାହିଁ। ମହାମାରୀ ହେଲେ, କିଛିଦିନ ବଢ଼େ, କିଛିଦିନ କମେ। ତା'ପରେ ଧୀରେ ଧୀରେ କମେ। ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛୁ। ରାଜ୍ୟରେ କୋମରବିଡ଼ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ ରହିଛି ।

ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହାକୁ ନ ମାନିବା, ତା'ହେଲେ ସଂକ୍ରମଣ ପୁଣି ବଢ଼ିପାରେ। ତାହା ଆଗକୁ ଜଣାପଡ଼ିବ।

ମହାମାରୀ କରୋନା ସଂକ୍ରମଣ ଏବେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ସତ୍ତ୍ୱେ କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି। ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି।
ଗତ ସପ୍ତାହ ଠାରୁ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେଣୁ ଏବେ ଆଉ ଅତିରିକ୍ତ କଟକଣାର ଆବଶ୍ୟକତା ନଥିବା କେନ୍ଦ୍ର ସରକାର କହିଛନ୍ତି।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ। ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ତେଣୁ ରାଜ୍ୟ ଗୁଡ଼ିକ ତଦ୍‌ନୁଯାୟୀ ପଦକ୍ଷେପ ନିଅନ୍ତୁ।

୨୦୨୨ ଜାନୁଆରୀ ୨୧ ପରଠାରୁ ଦେଶରେ ନିୟମିତ ଭାବେ ସଂକ୍ରମଣ ହ୍ରାସ ପାଉଛି। ଗତ ସପ୍ତାହରେ କରୋନାର ଦୈନିକ ସଂକ୍ରମଣ ହାର ୫୦,୪୭୬ ଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୨୭,୪୦୯ ରହିଥିଲା। ଫେବୃଆରୀ ୧୫ରେ ଦୈନିକ ପଜିଟିଭିଟି ରେଟ୍‌ ୩.୩୬%କୁ ଖସି ଆସିଥିଲା।

ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାରମାନେ ଲୋକଙ୍କ ଯାତାୟାତ ଓ ଆର୍ଥିକ କାରବାରକୁ କ୍ଷତି ପହଞ୍ଚାଉଥିବା ଭଳି ଅତିରିକ୍ତ କଟକଣା ଲାଗୁ କରିବା ଉଚିତ୍ ନୁହେଁ। ଯଦି କୌଣସି କଟକଣା ଲାଗୁ ହୋଇଛି, ତା’ହେଲେ ଏଗୁଡ଼ିକ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରି ନିଅନ୍ତୁ।

ତେବେ ଚିଠିରେ ରାଜ୍ୟଗୁଡ଼ିକୁ ଦୈନିକ ସଂକ୍ରମଣର ସମୀକ୍ଷା ପୂର୍ବଭଳି କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସ୍ୱାସ୍ଥ୍ୟ ସଚିବ ସଂକ୍ରମଣ ରୋକିବାକୁ ଜାରି ୫ ସୂତ୍ରୀ ନିୟମ ପାଳନ କରିବାକୁ କହିଛନ୍ତି। ସେଗୁଡ଼ିକ ହେଲା ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର।
Published by:Lipina Das
First published: