News18 Odia Digital
Nitish-Naveen Meet: ଆଜି ଓଡ଼ିଶା ଗସ୍ତରେ ଆସିବେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kuamr)। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିବେ ନୀତିଶ। ଦୁଇ ରାଜ୍ୟର ମୁଖିଆଙ୍କ ଭେଟଘାଟକୁ ନେଇ ଜୋର ଧରିଛି ଚର୍ଚ୍ଚା।
ଜାତୀୟ ରାଜନୀତିରେ ନିଜର ଦବଦବା ରଖୁଥିବା ନୀତିଶ କେଉଁ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା କରିବେ ସ୍ପଷ୍ଟ ହୋଇନି। ତେବେ ବର୍ତ୍ତମାନ ପରିସ୍ଥିତିରେ ଉଭୟଙ୍କ ସାକ୍ଷାତ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏବେ ବିଜେପି ବିରୋଧୀ ମୋର୍ଚ୍ଚା ଖୋଲିଛନ୍ତି ନୀତିଶ କୁମାର। ତେଣୁ ଅଣବିଜେପି ଦଳଙ୍କୁ ଏକାଠି କରିବାକୁ ସେ ଜୋରଦାର ପ୍ରୟାସ କରୁଛନ୍ତି।
ସେହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ନବୀନଙ୍କ ସହ ଆଲୋଚନା କରିପାରନ୍ତି। ନବୀନ ଓ ନୀତିଶ କଣ ଆଲୋଚନା କରିବେ ଏବଂ ନବୀନଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।
ଓଡ଼ିଶା ଗସ୍ତ ପରେ ନୀତିଶ କୁମାର ୧୧ ତାରିଖରେ ମହାରାଷ୍ଟ୍ର ଯାଇ ଉଦ୍ଧବ ଠାକରେଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। କିଛିଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ନୀତିଶ କୁମାର। ଆଉ ମମତା କହିଥିଲେ ଯେ ଇଗୋ ଭୁଲି ସମସ୍ତେ ବିଜେପି ବିରୋଧରେ ଏକାଠି ହେବା ଆବଶ୍ୟକ।
ସେହିପରି ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ନୀତିଶ। ଆଉ ନୀତିଶଙ୍କ ସହ ଆଲୋଚନା ପରେ ରାହୁଲ କହିଥିଲେ ଯେ ଏଥର କିଛି ଐତିହାସିକ ହେବ। ତେଣୁ ବିରୋଧୀ କ୍ୟାମ୍ପକୁ ନୀତିଶ ଲିଡ୍ କରିବା ନେଇ ଚର୍ଚ୍ଚା ହେଉଛି।
ଏବେ ଅଣବିଜେପି ଦଳ ନେତାଙ୍କୁ ନୀତିଶ ଭେଟୁଥିବା ବେଳେ ନବୀନଙ୍କ ଆଭିମୁଖ୍ୟ ଉପରେ ରହିବ ନଜର। ହେଲେ ବିଜେଡି କହିଛି ଦଳ ସମଦୂରତା ନୀତିରେ ଅଛି। ଆଉ ବିଜେପି କହିଛି ନୀତିଶଙ୍କ ଉଦ୍ଦେଶ୍ୟ ସାଧିତ ହେବନି। କଂଗ୍ରେସର କହିବା ହେଲା ବିଜେପିକୁ ଛାଡ଼ି ପାରିବେନି ନବୀନ। ସେପଟେ ସମୀକ୍ଷକ କହିଛନ୍ତି ୨୪ ଫଳାଫଳ ପରେ ହିଁ ନିଷ୍ପତ୍ତି ନେବେ ନବୀନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଦିନ ୧୨ଟାରେ ନବୀନ ନିବାସରେ ଭେଟିବେ ନୀତିଶ କୁମାର। ନୀତିଶ-ନବୀନ ଭେଟଘାଟକୁ ନେଇ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କାହିଁକି ନୀତିଶ ଓଡ଼ିଶା ଆସୁଛନ୍ତି? ନବୀନଙ୍କ ଭେଟ ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ମନ୍ତ୍ରଣା? ଏମିତି କିଛି ମଧ୍ୟ ଆଶା କରାଯାଉଛି।
ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା ପାଇଁ କହି ଆସୁଥିବା ନବୀନ ତାଙ୍କ ମତ ପରିବର୍ତ୍ତନ କରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚୀ।
ପଢ଼ନ୍ତୁ ଏହି ଖବର: Cyclone Alert: ବାତ୍ୟାକୁ ନେଇ ବଡ଼ ଅପଡେଟ୍; କେବେ କରିବ ଲ୍ୟାଣ୍ଡଫଲ୍ ଜାଣନ୍ତୁ...ପ୍ରକାଶ ଥାଉକି ନୀତିଶଙ୍କ ପୂର୍ବରୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଓଡ଼ିଶା ଆସି ନବୀନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉଥିଲା ତେବେ ବିଜେପି ବିରୋଧୀ ମେଣ୍ଟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ଚର୍ଚ୍ଚା ଧରିଥିଲା। ହେଲେ ବିଜେପି ବିରୋଧୀ ମେଣ୍ଟକୁ ନବୀନ କେତେ ଦୂର ସମର୍ଥନ କରିବେ ତାହା ମଧ୍ୟ ଏକ ପ୍ରଶ୍ନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।