ବିହାର ନିର୍ବାଚନ, ଓଡ଼ିଶାରେ ଉପନିର୍ବାଚନ କେମିତି ହେବ: ସବୁ ଦଳର ମତାମତ ଲୋଡ଼ିଲା ନିର୍ବାଚନ କମିଶନ

ସବୁ ରାଜନୈତିକ ଦଳଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ବର୍ତ୍ତମାନର କରୋନା ପରିସ୍ଥିତିରେ ନିର୍ବାଚନ ହୋଇପାରିବ ନା ନାହିଁ ଓ କେମିତି କରାଯାଇପାରିବ ତାହା ଉପରେ ନିଜ ମତ ନିର୍ବାଚନ କମିସନଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି ।

ବିହାର ନିର୍ବାଚନ, ଓଡ଼ିଶାରେ ଉପନିର୍ବାଚନ କେମିତି ହେବ: ସବୁ ଦଳର ମତାମତ ଲୋଡ଼ିଲା ନିର୍ବାଚନ କମିଶନ
ଦିଲ୍ଲୀ ସ୍ଥିତ ନିର୍ବାଚନ କମିସନର ଅଫିସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ମହାମାରୀ ସମୟରେ ନିର୍ବାଚନ ହେବ ନା ନାହିଁ ସେ ନେଇ ମୁଖ୍ୟ ନିର୍ବାଚନ କମିସନର ସବୁ ରାଜନୈତିକ ଦଳଙ୍କ ମତାନତ ମାଗିଛନ୍ତି । ବିହାର ସରକାରର ୫ ବର୍ଷ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଓଡିଶା ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ଅଛି । ଏହା ଉପରେ ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ମତାମତ ରଖିଛନ୍ତି ।

କରୋନା କବଳରେ ସାରା ବିଶ୍ୱ କବଳିତ ଥିବା ବେଳେ ଓ ଦିନକୁ ନଦିନ ପଜିଟିଭି ଏବଂ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଏଭଳି ସ୍ଥିତିରେ କେମିତି ହେବ ନିର୍ବାଚନ ତାକୁ ନେଇ ସମସ୍ତେ ଚିନ୍ତିତ । ନିର୍ବାଚନ ହେବ ନା ନାହିଁ ଓ ଯଦି ହେବ କେମିତି ହେବ ସେ ବିଷୟରେ ନିଷ୍ପତ୍ତି ପୂର୍ବରୁ ରାଜନୈତିକ ଦଳମାନଙ୍କ ମତାମତ ଲୋଡ଼ିଛନ୍ତି ନିର୍ବାଚନ କମିସନ ।

ସବୁ ରାଜନୈତିକ ଦଳକୁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ହେବ ନା ନାହିଁ ଓ କେମିତି କରାଯାଇପାରିବ ତାହା ଉପରେ ନିର୍ବାଚନ କମିସନଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି । କଂଗ୍ରେସ ବିଧାୟକ ତରାପ୍ରସାଦ ବାହୀନିପତି ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି ।

‘‘କୋଭିଡ଼ ନିୟମାବଳୀ ଭିତରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ସଭା ସମିତି ନ କରି ଓ ଘରକୁ ଘର ନ ବୁଲି ପ୍ରାର୍ଥୀ ପ୍ରଚାର କରିପାରିବେ । ନିର୍ବାଚନରେ କଂଗ୍ରେସର ଖର୍ଚ୍ଚ କିଛି ନାହିଁ, କିନ୍ତୁ ବିଜେଡି ଓ ବିଜେପି ଅଧିକ ଖର୍ଚ୍ଚ କରୁଥିବାରୁ ସେମାନେ ନିର୍ବାଚନ ବିପକ୍ଷରେ ମତ ରଖିପାରନ୍ତି,’’ କହିଛନ୍ତି ବାହୀନିପତି ।

‘‘ନିର୍ବାଚନ ଓ ଗଣତନ୍ତ୍ର ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ କୋଭିଡ଼ ମହାମାରୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଛି । ନିର୍ବାଚନ ପରିଚାଳନକୁ ନେଇ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳକୁ ମତାମତ ମାଗିବା ପ୍ରଶଂସନୀୟ ପଦକ୍ଷେପ । ବିଜେଡି ସଭାପତି ତଥା ମୁଖ୍ୟ ମନ୍ତ୍ରୀ ଦଳ ପକ୍ଷରୁ ନିଶ୍ଚିତ ଗଠନମୂଳକ ପ୍ରସ୍ତାବ ଦେବେ,’’ କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ବିଜେପି କହିଛି ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନ କମିଶନ ଏ ଭଳି ମତାମତ ମାଗିବା ବୁଧିମତ୍ତାର ପରିଚାୟକ । ବିଜେପି ଏଥି ପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛି ।

‘‘ସବୁ ଦଳ ସହ ବୈଠକ କରି ପରାମର୍ଶ କରିବାର ଆବଶ୍ୟକତା ଅଛି। ଯାହା ପରାମର୍ଶ ଆସିବ ସେହି ଅନୁଯାୟୀ ହେବା ଉଚିତ। ସମାବେଶ ହେବ, କାର୍ଯ୍ୟକର୍ତ୍ତା ଏକାଠି ହେବେ, ତେଣୁ ବିପଦ ରହୁଛି। କିଭଳି ଲଢ଼ିଲେ ଗୋଷ୍ଠୀ ସଂକ୍ରମଣ ହେବନି ସେ ସମ୍ପର୍କରେ ଚର୍ଚ୍ଚା ହେବା ଆବଶ୍ୟକ। ଲୋକଙ୍କ ଜୀବନ ମୂଲ୍ୟବାନ । ତେଣୁ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଦରକାର,’’ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

ଏହା ବି ପଢ଼ନ୍ତୁ: ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି

କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାର୍ଗଦର୍ଶିକା ଜାରିକରିଛନ୍ତି । ରାଜନୈତିକ ଦଳମାନଙ୍କ ମତାମତ ପାଇବା ପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରିବେ ନିର୍ବାଚନ କମିସନ । ପ୍ରଚାର ଠୁ ନେଇ ଭୋଟ ଗ୍ରହଣ ଯାଏ ଯେମିତି ସଂକ୍ରମଣ ନ ବ୍ୟାପିବ ତାକୁ ଦଷ୍ଟିରେ ରଖି ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି ।
Published by: Anand Shankar Thankur Das
First published: July 20, 2020, 6:03 PM IST
corona virus btn
corona virus btn
Loading