News18 Odia Digital
ସୁବର୍ଣ୍ଣପୁର: ଧର୍ମ କଣ୍ଟାରେ ଅଧର୍ମ କାମ। ଧର୍ମ ନିକିତିକୁ ଅପବ୍ୟବହାର କରି ଚାଷୀଙ୍କ ପେଟରୁ କାଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ପ୍ୟାକ୍ସ କର୍ମଚାରୀଙ୍କ ସହ ଓଜନ ମାପ ବିଭାଗର ସଲା ସୁତୁରାରେ ଚାଷୀଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗ।
ଧାନ ବିକ୍ରିରେ ସବୁଠୁ ବଡ଼ ଘୋଟାଲା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ପ୍ୟାକ୍ସରେ। ଧର୍ମ କଣ୍ଟାରେ ଜାଲିଆତି କରି ୭୫ କ୍ବିଣ୍ଟାଲ ଧାନରୁ ଅଢେଇ କ୍ବିଣ୍ଟାଲ ଧାନ କମ କରି କିଣୁଥିଲେ ପ୍ୟାକ୍ସର କର୍ମଚାରୀମାନେ। ଜଣେ ଚାଷୀ ସନ୍ଦେହ କରି ଛୋଟ ମେସିନରେ ମାପିବାକୁ ଅନୁରୋଧ କରିଥିବାବେଳେ ଜଣାପଡ଼ିଥିଲା ଘୋଟାଲା ବିଷୟରେ।
ଏନେଇ ଚାଷୀମାନେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକଙ୍କୁ କହିବାରୁ ସେ ଚୁପ ରହିଥିଲେ। ଫଳରେ ଚାଷୀମାନେ ପ୍ୟାକ୍ସରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

ଧାନ ବିକ୍ରିରେ ସବୁଠୁ ବଡ଼ ଘୋଟାଲା
ଦିଗଶିରା ମଣ୍ଡିରେ ୯୫୨ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଥିବାବେଳେ ପ୍ରାୟ ୫୬ ହଜାର କ୍ବିଣ୍ଟାଲ ଧାନ କ୍ରୟ ହୋଇଛି। ତେବେ ଏହି ଘଟଣା ଜାଣିବା ପୁର୍ବରୁ ପ୍ରାୟ ୭୦୦ ଚାଷୀଙ୍କ ୪୦ ହଜାରରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ କ୍ରୟ ହୋଇ ସାରିଥିଲା।
ଫଳରେ ସମସ୍ତ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଏଥିରେ ଓଜନ ମାପ ବିଭାଗର କର୍ମଚାରୀ ଓ ପ୍ୟାକ୍ସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଚାଷୀ ଅଭିଯୋଗ କରିଛନ୍ତି। ଆମର କ୍ଷତି ହୋଇଥିବା ଟଙ୍କାକୁ ତୁରନ୍ତ ଦିଆଯାଉ ବୋଲି ଦାବି କରିଛନ୍ତି ଚାଷୀ। ଏନେଇ ଚାଷୀ ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ସ୍ଥାନୀୟ ସମ୍ପାଦକ ଓ ଓଜନମାପ ବିଭାଗର ଟେକ୍ନିସିଏନଙ୍କୁ ନିଲମ୍ବିତ କରିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।
ଏଠାରେ ପ୍ରଶ୍ନ ଉଠୁଛି ଚାଷୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର ? ଚାଷୀଙ୍କୁ ତାଙ୍କ କ୍ଷତି ହୋଇଥିବା ମୂଲ୍ୟ ମିଳିବ ତ? ଏହି ଘଟଣାର ଯଭେଳି ପୁନରାବୃତ୍ତି ନହେବ ସେନେଇ ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।