News 18 Odia Digital
ଭୁବନେଶ୍ୱର: ଜାପାନ ଯିବେ ମୁଖ୍ୟମନ୍ତ୍ରୀ (chief minister) । ଓଡ଼ିଶାକୁ ଆସିବ ବଡ଼ ପୁଞ୍ଜି ନିବେଶ । ଏପ୍ରିଲ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ (japan) ଗସ୍ତ ନେଇ ଯଦିଓ ସରକାରୀ ଭାବେ ସୂଚନା ଦିଆଯାଇନାହିଁ, କିନ୍ତୁ ଏହି ସମ୍ଭାବ୍ୟ ଗସ୍ତରୁ ଓଡ଼ିଶାକୁ ଫାଇଦା ମିଳିବ ବୋଲି ଆଶା କରିଛନ୍ତି ଅର୍ଥନୀତି ସମୀକ୍ଷକ। ମେକ ଇନ୍ ଓଡ଼ିଶା ସଂସ୍କରଣରେ ଭାଗ ନେଇ ଓଡ଼ିଶାର ଅଭିବୃଦ୍ଧିରେ ଜାପାନ ବଡ଼ ଭୂମିକା ନେବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଜାପାନ ରାଷ୍ଟ୍ରଦୂତ । ଏବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏ ଦିଗରେ ବେଶ ସହାୟକ ହେବ ବୋଲି କୁହାଯାଉଛି ।
ଜାପାନ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ, ବଡ଼ ବଡ଼ ପୁଞ୍ଜିପତିଙ୍କୁ ଭେଟି ନିବେଶ ପାଇଁ ଆହ୍ବାନ ଦେଇପାରନ୍ତି । ନିବେଶ ପାଇ ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ସଂପର୍କିତ ତଥ୍ୟ ଉପସ୍ଥାପନ କରିପାରନ୍ତି । ଓଡ଼ିଶା ସହ ଜାପାନର ଭଲ ବାଣିଜ୍ୟିକ ସଂପର୍କ ରହିଛି । ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ । ତାଛଡ଼ା ମେକ ଇନ୍ ଓଡ଼ିଶାର ବିଭିନ୍ନ ସଂସ୍କରଣରେ ଜାପାନ ରାଷ୍ଟ୍ରଦୂତ ସାମିଲ ମଧ୍ୟ ହୋଇଛନ୍ତି । ୨୦୨୨ କନ୍କ୍ଲେଭରେ (conclave) ଯୋଗ ଦେଇ ଜାପାନର ରାଷ୍ଟ୍ରଦୂତ ସୁଜୁକି ହିରୋସି କହିଥିଲେ ୨୦୦୮ରେ ଜାପାନର ୩ଟି କମ୍ପାନୀ ଓଡ଼ିଶାରେ ଥିଲେ । ଏବେ ସେ ସଂଖ୍ୟା ୫୮ରେ ପହଞ୍ଚିଲାଣି । ସେତେବେଳେ ଜାପାନ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ମେକଇନ୍ ଓଡ଼ିଶାର (make in odisha) କଣ୍ଟ୍ରି ପାର୍ଟନର ଜାପାନ ଥିଲା । ୨୦୧୮ ମେକ ଇନ୍ ଓଡ଼ିଶା କନକ୍ଲେଭରେ ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଓ ପରିବହନ କ୍ଷେତ୍ରରେ ନିବେଶ ପାଇଁ ଜାପାନୀଜ କମ୍ପାନୀ ଆଗ୍ରହ ଦେଖାଇଥିଲେ । ଅର୍ଥନୀତି ସମୀକ୍ଷକଙ୍କ ମତରେ, ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରାଧାନ୍ୟ ଦେଉଛନ୍ତି । କିଭଳି ଓଡ଼ିଶାକୁ ଅଧିକରୁ ଅଧିକ ପୁଞ୍ଜି ଆସିବ ଓ ବିନିଯୋଗ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରୁ ବି ଓଡ଼ିଶାକୁ ବେଶ୍ ଫାଇଦା ମିଳିବ ।
୨୦୨୧ ଅକ୍ଟୋବରରେ ଭୁବନେଶ୍ୱରରେ ହୋଇଥିଲା ଜାପାନ ଇନଭେଷ୍ଟମେଣ୍ଟ ସେମିନାର । ଓଡ଼ିଶା ସହ ଜାପାନର ବ୍ୟାବସାୟିକ ଓ ସାଂସ୍କୃତିକ ସଂପର୍କ ମଧ୍ୟ ରହି ଆସିଛି । ପୂର୍ବତନ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଜାପାନିଜ ଗ୍ରୁପ୍କୁ ଆମେ ଆମେରିକାରେ ଭେଟି ଆଲୋଚନା କରିଥିଲୁ। ଜାପାନ ଟେକ୍ନୋଲୋଜିରେ ବହୁତ ଆଗୁଆ ରହିଛି । ଓଡ଼ିଶାରେ ଯଦି ଜାପାନ ସେ କ୍ଷେତ୍ରରେ ନିବେଶ କରେ, ତେବେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଏମଏସଏମଇ ଓ ସ୍ମଲ୍ ସ୍କେଲ ଶିଳ୍ପର ବିକାଶ ହେବ। ବିରୋଧୀ କଂଗ୍ରେସ ଓ ବିଜେପି କିନ୍ତୁ କହିଛନ୍ତି, ଜାପାନ ଗସ୍ତରୁ ନିବେଶ ଆଶା ଖୁବ୍ କମ୍ ।
୨୨ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀଙ୍କର ଏହା ତୃତୀୟ ବିଦେଶ ଗସ୍ତ ହେବ । ୨୦୧୨ରେ ଲଣ୍ଡନ (London) ଓ ଗତବର୍ଷ ରୋମ ଓ ଦୁବାଇ (dubai) ଯାଇଥିଲେ ନବୀନ । ଦୁବାଇରେ ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେଇଥିଲେ । ରାଜ୍ୟରେ ନୂତନ ଶିଳ୍ପନୀତି ୨୦୨୨, ଡିସେମ୍ବରରୁ କାର୍ଯ୍ୟକାରୀ ହୋଇଛି । ପୁଞ୍ଜିନିବେଶ କ୍ଷେତ୍ରେରେ ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ହାର ୪୫ରୁ ୪୭ ପ୍ରତିଶତ ରହିଛି ।
ଏହି ଖବର ପଢ଼ନ୍ତୁ -
ସବୁଦିନ ପାଇଁ ସଭ୍ୟପଦ ରଦ୍ଦ ହେଲେ ବି ମୁଁ ସତ କହିବା ବନ୍ଦ କରିବିନି- ରାହୁଲ୍ https://www.youtube.com/watch?v=Jo-8Z0Gau1Y
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।