ଗିରଫ ହେଲା ଓଡ଼ିଶାର ବଡ଼ GST ଠକ; ୭୧୨ କୋଟି ଟଙ୍କା ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ ହେଲା
ଏହି ରାକେଟରେ ଜଡ଼ିତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ପାଞ୍ଚ ମାସ ଧରି ଲୁଚକାଳି ଖେଳୁଥିବା ରାଉରକେଲାର ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଓ ଏହି ରାକେଟର ମୁଖ୍ୟ ଖଳନାୟକ କଶ୍ମୀରା ଅଗ୍ରୱାଲ ଏବେ ଗରିଫ ହୋଇଛି ।

ଗିରଫ ହୋଇଥିବା କଶ୍ମୀରା ଅଗ୍ରୱାଲ
- News18 Odia
- Last Updated: August 18, 2020, 2:27 PM IST
କଟକ: ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାଶ ହୋଇଛି । ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଦ୍ଵାରା ୭୧୨ କୋଟି ଟଙ୍କାର ଜାଲ୍ ବିଲ୍ ମାଧ୍ୟମରେ ମୋଟ ୧୨୯.୦୯ କୋଟି ଟଙ୍କାର ଜାଲି ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ହସ୍ତାନ୍ତର କରିବା ଅଭିଯୋଗରେ ରାଉରକେଲାର ବ୍ୟବସାୟୀ କଶ୍ମୀରା ଅଗ୍ରୱାଲଙ୍କୁ ଗରିଫ କରାଯାଇଛି । ୨୦୧୪ ମସିହାରୁ ରାଉରକେଲାରେ ମଧୁମତା ଷ୍ଟିଲ ନାମରେ ଏକ ପ୍ରତିଷ୍ଠାନ ଖୋଲି ପୁରୁଣା ଲୁହା ବିକ୍ରି ବ୍ୟବସାୟ କରୁଥିଲେ ଅଭିଯୁ୍କ୍ତ ।
ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ କାଶ୍ମୀରା ଅଗ୍ରୱାଲଙ୍କ ବାସଭବନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସହିତ ଅନ୍ୟ ୧୩ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତାଙ୍କ ଠାରୁ ବିଭିନ୍ନ ବ୍ୟାବସାୟିକ ବ୍ୟାଙ୍କ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ ବହି ଓ ଅନ୍ୟ କାଗଜ ପତ୍ର ଜବତ କରଯାଇଥିଲା । ତେବେ ଏଗୁଡ଼ିକ ମିଥ୍ୟା ବ୍ୟାବସାୟିକ ପ୍ରତିଷ୍ଠାନର ବୋଲି ଅନୁସନ୍ଧାନରୁ ଜଣା ପଡ଼ିଥିଲା ।
କଶ୍ମୀରା ଅଗ୍ରୱାଲ ବିଭିନ୍ନ ବ୍ୟାଙ୍କରେ ଏହି ଭୁତ ବ୍ୟାବସାୟିକ ପ୍ରତିଷ୍ଠାନ ନାମରେ ବ୍ୟାଙ୍କ ଖାତା ଖୋଲି ପ୍ରଚୁର ଅର୍ଥ କାରବାର କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ ବହୁ ଟନ ଓଜନର ଲୁହା ଓ ଷ୍ଟିଲ ଦ୍ରବ୍ୟ ୱେବିଲ ମାଧ୍ୟମରେ ଦୁଇଚକିଆ ଯାନ ଦ୍ଵାରା ପରିବହନ କରାଯାଇ ଥିବା ଦର୍ଶାଯାଇଥିଲା । ଅନେକ କ୍ଷେତ୍ରରେ ବ୍ୟାଙ୍କ ଏକାଉଣ୍ଟଧାରୀଙ୍କ ଦସ୍ତଖତକୁ ନକଲ କରାଯାଇ ବ୍ୟାଙ୍କ ଅକାଉଣ୍ଟ ଖୋଲା ଯାଇଥିଲା ଓ ଏଗୁଡ଼ିକ ମାଧ୍ୟମରେ କୋଟି କୋଟି ଟଙ୍କାର ଦେଣନେଣ କରାଯାଉଥିଲା । ଚଢ଼ାଉ ସମୟରେ କଶ୍ମୀରାଙ୍କ ଦ୍ଵାରା ପରିଚାଳିତ କେତେକ ପ୍ରତିଷ୍ଠାନର ବ୍ୟାଙ୍କ ଅକାଉଣ୍ଟକୁ ଆଟଚ୍ କରାଯାଇ ଏଥିରେ ଥିବା ଦୁଇ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

ଓଡ଼ିଶାର ଜିସଟି ମୁଖ୍ୟାଳୟ
ଏହି ରାକେଟରେ ଜଡ଼ିତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଗିରଫ କରି ସାରିଥିବା ବେଳେ ପ୍ରାୟ ପାଞ୍ଚ ମାସର ଲୁଚକାଳି ଖେଳ ପରେ ସୋମବାର ଦିନ ମୁଖ୍ୟ ଖଳନାୟକ କଶ୍ମୀରା ଅଗ୍ରୱାଲ ଗରିଫ ହୋଇଛି । ତାଙ୍କୁ ଗରିଫ କରିବା ପରେ ଏହି ମାମଲାରେ ସାମନାକୁ ଆସିଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି ଜିଏସଟି ବିଭାଗ ।
“କଶ୍ମୀରା ଅଗ୍ରୱାଲକୁ ଧରିବା ପାଇଁ ଦୀର୍ଘ ଦିନ ହେଲା ଉଦ୍ୟମ କରୁଥିଲୁ । କିନ୍ତୁ ସେ କୋର୍ଟରୁ ଆଗୁଆ ଜାମିନ ପାଇବା ଯୋଗୁଁ ତାକୁ ଗିରଫ କରାଯାଇ ପାରି ନ ଥିଲା । ଗତ ମାର୍ଚ୍ଚ ମାସରେ ଆମେ କୋର୍ଟଙ୍କ ଦ୍ବାରସ୍ଥ ହୋଇ ତାର ଜାମିନକୁ ରଦ୍ଦ କରାଇଥିଲୁ, ହେଲେ ତା’ ପରେ ସେ ହଠାତ ଗାୟବ ହୋଇଯାଇଥିଲା । ଏହା ପରେ ସେ ନିୟମିତ ନିଜ ଠକଣା ବଦଳାଇ ଚାଲିଥିଲା । ଆମେ ତାକୁ ଠାବ କରିବା ପାଇଁ ଗୁପ୍ତଚରଙ୍କୁ ଲଗାଇଥିଲୁ । ଶେଷରେ ତାକୁ ସମ୍ବଲପୁରରୁ ଗିରଫ କରିବାରେ ସମର୍ଥ ହୋଇଛୁ । କାଶ୍ମୀରାକୁ ଧରିବା ପାଇଁ ଓ ଏହି ମାମଲାର ତଦନ୍ତ ପାଇଁ ଆମର ୧୨ ଜଣିଆ ଅଫିସରଙ୍କ ଏକ ବଡ଼ ଟିମ ଲାଗିଥିଲା,” କହିଛନ୍ତି ରାଜ୍ୟ ଜିଏସଟିର ଜଣେ ବରିଷ୍ଠ ଅଧିକାରୀ ।
କଶ୍ମୀରା ୧୧୩.୮୧ କୋଟି ଟଙ୍କାର ଜାଲ୍ ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ବ୍ୟବହାର କରି ସେ ସୃଷ୍ଟି କରିଥିବା ଭୁତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ନାମରେ ଜାଲ୍ ବିଲ୍ ବଳରେ ଅନ୍ୟ ବ୍ୟବସାୟୀମାନଙ୍କୁ ୧୨୯.୦୯ କୋଟି ଟଙ୍କାର ଜାଲ୍ ଇନ୍ପୁଟ ଟାକ୍ସ କ୍ରେଡିଟ (ITC) ହସ୍ତାନ୍ତର କରିଛନ୍ତି । ଅନୁସନ୍ଧାନ ସମୟରେ ଏହି ଭୁତ ଫାର୍ମଗୁଡିକର ପ୍ରୋପ୍ରାଇଟରମାନେ କୌଣସି ବ୍ୟବସାୟ କରି ନ ଥିବା କିମ୍ବା କିଣାବିକା କରି ନ ଥିବା ଜସଏଟି ପକ୍ଷରୁ କୁହାଯାଇଛି । ରିଟର୍ଣ୍ଣରେ ଦର୍ଶା ଯାଇଥିବା କାରବାରଗୁଡ଼ିକ କେବଳ କାଗଜ କଲମରେ ସୀମିତ ଥିଲା । ନିରୀହ ଲୋକଙ୍କ ନାମରେ ଜିଏସଟି ପଞ୍ଜିକରଣ ନିଆଯାଇ ଚେକବୁକରେ ଓ RTGS ଫର୍ମରେ ସେମାନଙ୍କ ଦସ୍ତଖତ ନେଇ ଏହି ମାଷ୍ଟରମାଇଣ୍ଡ ବ୍ୟାଙ୍କ କାରବାର କରିଥିଲେ । କେତେକ କ୍ଷେତ୍ରରେ ସେମାନଙ୍କ ଦସ୍ତଖତକୁ ନକଲ ମଧ୍ୟ କରାଯାଇଛି ।
ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି
ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ
କଶ୍ମୀରା କୌଣସି ଟିକସ ନ ଦେଇ ଓ ପ୍ରକୃତ ଯୋଗାଣକାରୀ (supplier) ଙ୍କ ଠାରୁ କୌଣସି ବିଲ ହାସଲ ନ କରି ଲୁହା ଇଙ୍ଗଟ, ଲୁହା ରଡ଼ ଓ ସ୍କ୍ରାପ ଆଦି କିଛି ଜିନିଷ କ୍ରୟ କରିଥିବା ଜଣା ଯାଇଛି । ବିନା ବିଲରେ କିଣା ଯାଇଥିବା ଏହି ଜିନିଷଗୁଡିକର ବିକ୍ରିକୁ ନିୟମିତ କରିବା ଉଦ୍ଦେଶ୍ୟରେ ସେ ସୃଷ୍ଟି କରିଥିବା ଭୁତ ଫାର୍ମ ନାମରେ ଜାଲ୍ ବିଲ ତିଆରି କରିଥିଲେ କିମ୍ବା ଯୋଗାଡ଼ କରିଥିଲେ ଏବଂ ସେହି ବିଲ୍ ମାଧ୍ୟମରେ ସେମାନେ ହାସଲ କରିଥିବା ଜାଲ୍ ITC କୁ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି ।
ଅନୁସନ୍ଧାନରୁ ଆହୁରି ଜଣାପଡିଛି ଯେ କୌଣସି ବ୍ୟାବସାୟିକ ସମ୍ପର୍କ ନ ଥାଇ କେତେକ ଫାର୍ମକୁ ସେ ଟଙ୍କା ହସ୍ତାନ୍ତର କରିଛନ୍ତି । ସେହିପରି ରାୟଗଡ଼ାର ଏକ ଏନଜିଓରେ କାମ କରୁଥିବା ନିଜ ଭିଣୋଇଙ୍କ ନାଁରେ ଏକ ନକଲି ଫାର୍ମ କରି ସେ ୧୩ କୋଟି ଟଙ୍କାର ଜିନିଷ କିଣିଥିବା କାଗଜକଲମରେ ଦର୍ଶାଇଥିଲେ । ସେହି ଫାର୍ମକୁ ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩୮ କୋଟି ଟଙ୍କା ମଧ୍ୟ ହସ୍ତାନ୍ତର କରିଛନ୍ତି । ତେଣୁ ସେ ନଗଦ ଟଙ୍କାର ବେଆଇନ କାରବାରରେ ଲିପ୍ତ ଥିବା ସନ୍ଦେହ କରୁଛି ଜିଏସସି ବିଭାଗ ।