ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା; ପ୍ରଶାସନ ତତ୍ପର; ସ୍ଥିତି ଉପରେ ରଖିଛି ନଜର

ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବାର ୬ରୁ ୯ ଘଣ୍ଟା ପିକ୍ ରହିବ । ସେଇଥି ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ ଆଦେଶ କ୍ରମେ ଏହି ଜିଲ୍ଲାଗୁଡ଼ିରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି ।

କେନ୍ଦ୍ରାପଡ଼ାରେ ଏକ ବନ୍ୟା ପ୍ଳାବିତ ଅଞ୍ଚଳର ଦୃଶ୍ୟ

କେନ୍ଦ୍ରାପଡ଼ାରେ ଏକ ବନ୍ୟା ପ୍ଳାବିତ ଅଞ୍ଚଳର ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ଅନ୍ୟ ସବୁ ନଦୀରେ ଜଳ ସ୍ତର ନିୟମିତ ଭାବେ ହ୍ରାସ ପାଉଥିବା ବେଳେ ଏବେ ମହାନଦୀରେ ବନ୍ୟାକୁ ନେଇ ଭୟର ପରିବେଶ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଦୁଇ କୂଳରେ ଥିବା ଅଞ୍ଚଳଗୁଡ଼ିକୁ ବିପଦ ଘାରିଛି ।

ମହାନଦୀର ଉପର ମୁଣ୍ଡରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଥିବା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ୮ ଲକ୍ଷ ୯୫ ହଜାର ୬୧୪ କ୍ୟୁସେକ ଜଳ ପ୍ରବେଶ କରୁଛି । ୪୬ଟି ଗେଟ ଦେଇ ୭ ଲକ୍ଷ ୬୨ ହଜାର ୧୯୫ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରକୁଦରେ ଜଳ ସ୍ତର ୬୨୭.୧୭ ଫୁଟ ରହିଛି । ହୀରକୁଦରେ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଜଳ ସ୍ତର ଦେଖି ୪୬ଟି ଗେଟ ଖୋଲାଯାଇଛି ।

ହୀରାକୁଦ ଜଳ ସହ ତେଲ ଓ ଅନ୍ୟ ନଦୀର ପାଣିକୁ ମିଶାଇଲେ ୧୦ ଲକ୍ଷରୁ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡଳୀରେ ପହଞ୍ଚିବ । କିଛି ଜଳ ଦେବୀ, ଦୟା ଓ ଭାର୍ଗବୀ ନଦୀ ଦେଇ ପୁରୀ ଯିବା । ଏଥି ଯୋଗୁଁ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବି ବନ୍ୟା ସ୍ଥିତି ଉପୁଜିବ ।

ମୁଣ୍ଡଳୀରେ ବନ୍ୟା ଜଳ ପହଞ୍ଚିବା ପରେ ନଦୀରେ ଜଳ ସ୍ତର ବଢ଼ିବା ସହ ୬ରୁ ୯ ଘଣ୍ଟା ପିକ୍‌ ରହିବ। ତେଣୁ ସେହି ସମୟରେ ଉପକୂଳିଆ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏହି ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବାକୁ ୨ ରୁ ୩ ଦିନ ଲାଗିବ। ତେବେ ବ୍ରହ୍ମଣୀରେ ବନ୍ୟା ସ୍ଥିତି ଥିବା ବେଳେ ମହାନଦୀ ବନ୍ୟା କେନ୍ଦ୍ରାପଡାକୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରସାଶନକୁ ସମ୍ପୂର୍ଣ୍ଣ ସଜାଗ କରାଯିବା ସହ ଓଡ୍ରାଫର ୧୪ଟି ଟିମ ଓ ଏନଡିଆରଏଫର ୧୫ଟି ଟିମ୍‌ ସହ ୧୦୦ଟି ଅଗ୍ନିଶମ ଟିମ ବୋଟ ସହ ନିୟୋଜିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

NDRF ଓ ODRAF ଟିମ ଆଠମଲ୍ଲିକରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।


ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଓ ସ୍ଵତନ୍ତ୍ର ରିଲିଫ କମିଶନର ମିଳିତ ଭାବେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ‘‘ହୀରାକୁଦରେ ଜଳ ସ୍ତର ବଢ଼ିବା ଯୋଗୁଁ ପ୍ରର୍ଯ୍ୟାୟ କ୍ରମେ ୪୬ଟି ଗେଟ ଖୋଲାଯାଇଛି । ଅଧିକ ଗେଟ ଖୋଲାଯିବା ନେଇ ଯୋଜନା ନ ଥିଲେ ବି ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବନ୍ୟା ଯୋଗୁଁ ମୋଟ ୨୯ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଯାଜପୁର ବରୀରେ ସର୍ବାଧିକ ଘାଇ ରହିଛି । ମହାନଦୀରେ ବନ୍ୟା ଆସୁଥିବାରୁ ଅନ୍ୟ ୪୮ଟି ଦୁର୍ବଳ ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି । ବନ୍ୟା ପ୍ରତିହତ କରିବା ପାଇଁ ବିଭିନ୍ନ ସାମଗ୍ରୀ ରଖାଯାଇଥିବା ବେଳେ ସ୍ଥିତି ଉପରେ ବିଭାଗୀୟ ଯନ୍ତ୍ରୀ ତୀକ୍ଷ୍ଣ ନଜର ରଖିଛନ୍ତି ।’’

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସତର୍କ କରାଯିବା ସହ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ସ୍ଥିତିର ତଦାରଖ ପାଇଁ ୬ଟି ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି । ଏମଏସଏମଇ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ପଞ୍ଚାୟତିରାଜ ସଚିବ ଡିକେ ସିଂଙ୍କୁ କଟକ, ରାଜସ୍ବ ସଚିବ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଭଦ୍ରକ, କ୍ରୀଡା ସଚିବ ବିଶାଳ ଦେବଙ୍କୁ ବାଲେଶ୍ୱର, ଖାଦ୍ୟ ଯୋଗଣ ସଚିବ ବୀର ବିକ୍ରମ ଜାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦେବା ସହ କେନ୍ଦ୍ରାଞ୍ଚଳ ଆରଡିସି ଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ବନ୍ୟାଞ୍ଚଳରେ ସ୍ଥାନନ୍ତରଣ ଓ ଉଦ୍ଧାର କାର୍ଯ୍ୟ ସହ ରିଲିଫ ବ୍ୟବସ୍ଥାର ତଦାରଖ କରିବେ ଏହି ଅଧିକାରୀମାନେ ।

ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସାଜି ବନ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ସେମାନେ ତିଆରି କରିବେ ବ୍ଲୁ ପ୍ରିଣ୍ଟ । ନିର୍ଦ୍ଦେଶ ପାଇବା ପରେ ଦାୟିତ୍ୱ ମିଳିଥିବା ଜିଲ୍ଲାରେ ପହଞ୍ଚି କାମ ଆରମ୍ଭ କରିଛନ୍ତି ଏହି ଅଧିକାରୀମାନେ।

ରାଜ୍ୟରେ ଉପୁଜିଥିବା ବନ୍ୟା ସ୍ଥିତି ବାବଦରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ‘‘ସୁବର୍ଣ୍ଣରେଖାରେ କ୍ରମାଗତ ଭାବେ ଜଳ ସ୍ତର କମୁଥିବା ବେଳେ  ଆଉ କୌଣସି ଗାଁ ଜଳମଗ୍ନ ନାହିଁ । ୧୦୦ ଜଣ ଲୋକ ଆଶ୍ରୟ  ସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଆସନ୍ତା କାଲି ସୁଦ୍ଧା ସେମାନେ ଫେରିଯିବେ। ବୁଢ଼ାବଳଙ୍ଗରେ ଜଳ ସ୍ତର ଲଗାତାର ଭାବେ ଖସି ବିପଦ ସଙ୍କେତ ତଳେ ରହିଛି । ବାଲେଶ୍ୱର ସଦର ବ୍ଲକର ୧୦ଟି ଗାଁ ପାଣି ଭିତରେ ଅଛି । ଆସନ୍ତା କାଲି ସୁଦ୍ଧା ସୁଧୁରିବ ସ୍ଥିତି । ୨୦୦ ଜଣ ଲୋକ ଆଶ୍ରୟ ସ୍ଥଳୀ ରେ ଅଛନ୍ତି । ଖାଇବା ପିଇବା ଯୋଗାଇ ଦିଆଯାଉଛି । ବୈତରଣୀ ବି ଆଖୁଆପଦାରେ ବିପଦ ସଙ୍କେତ ତଳେ ରହିଛି । ବରି, ବିଞ୍ଝାରପୁର, ଭଦ୍ରକ, ଧାମନଗର ଓ ଭଣ୍ଡାରପୋଖରୀରେ ସ୍ଥିତିରେ ସୁଧାର ଆସିଛି । ୬୧୦ଟି ଗାଁ ପ୍ରଭାବିତ ହୋଇଛି । ୪,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ବୈତରଣୀ ଓ ବ୍ରାହ୍ମଣୀ ଯାଜପୁରରେ ବିଭୀଷିକା ରଚିଛି। ଜେନାପୁରରେ ବିପଦ ସଙ୍କେତ ତଳେ ରହିଛି ଜଳ ସ୍ତର । ଯାଜପୁରରେ ୨୬ଟି ଘାଇ ହୋଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । ୫୬୦ଟି ଗାଁ ପ୍ରଭାବିତ ହୋଇଛି । ୫୦,୦୦୦ରୁ ଅଧିକ ଲୋକ ଆଶ୍ରୟ ସ୍ଥଳୀରେ ରହିଛନ୍ତି।ଆସନ୍ତ ୧୨ ଘଣ୍ଟା ଭିତରେ ଉନ୍ନତି ଆସିବ ।’’

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା

ବ୍ରାହ୍ମଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଉଛି। ବନ୍ୟା ଯୋଗୁଁ କେନ୍ଦ୍ରାପଡାରେ ଏକ ଘାଇ ସୃଷ୍ଟି ହୋଇଛି । ଆଳି ଓ ଡେରାବିଷର କିଛି ଗାଁ ଜଳ ଭିତରେ ଅଛି । ଆଗାମୀ ୨୪ ଘଣ୍ଟା କେନ୍ଦ୍ରାପଡ଼ା ବ୍ରାହ୍ମଣୀ ସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସରକାର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ବନ୍ୟା ପାଇଁ କୃଷି ଜମି ଜଳମଗ୍ନ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଲକ୍ଷ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛନ୍ତି। ୮ ହଜାର ଘର କ୍ଷତିଗସ୍ତ ହେବା ସହ ପ୍ରାୟ ୨-୩ ଲକ୍ଷ ଚାଷ ଜମି ଜଳମଗ୍ନ ହୋଇଛି ।



ସ୍ଥିତି ସୁଧୁରିବା ପରେ କ୍ଷୟ କ୍ଷତିର ଆକଳନ କରାଯିବ । କିନ୍ତୁ ଯେଉଁମାନଙ୍କର ଘର ଭାଙ୍ଗିଛି ତୁରନ୍ତ ଘର ଓ କ୍ଷୟକ୍ଷତି ଆକଳନ କରି ସୁବିଧା ଯୋଗାଇବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ଛାଡ଼ିବା ପରେ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନଙ୍କୁ କୃଷି ଜମି କ୍ଷୟକ୍ଷତିର ତ୍ୱରିତ ଆକଳନ କରିବାକୁ କୁହାଯାଇଛି । ଏହି ବନ୍ୟାରେ  ଆଜିକୁ ମିଶାଇ ୧୬ ଜଣ ଲୋକଙ୍କର କାନ୍ଥ ଭୁଶୁଡ଼ିବା ଓ ଭାସିଯିବା କାରଣରୁ ମୃତ୍ୟୁ ହୋଇଛି ।
Published by:Anand Shankar Thankur Das
First published: