News18 Odia Digital
ଭୁବନେଶ୍ୱର: ଶେଷ ହେଲା ଭକ୍ତ ମାନଙ୍କ ଲମ୍ବା ପ୍ରତୀକ୍ଷା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଭଳି ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ମଧ୍ୟ ପାଇପାରିବେ । ଦୀର୍ଘ ୯ ମାସ ପରେ ଖୋଲିବାକୁ ଯାଉଛି ଲିଙ୍ଗରାଜଙ୍କ ମନ୍ଦିରର ମୁଖ ଦୁଆର । ପ୍ରଥମେ ସେବାୟତ ଓ ତାଙ୍କ ପରିବାର, ଦ୍ୱିତୀୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଓ ଶେଷରେ ସବୁ ଭକ୍ତଙ୍କ ପାଇଁ ହେବ ଲିଙ୍ଗରାଜଙ୍କ ମନ୍ଦିର ଖୋଲାଯିବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମଙ୍ଗଳବାର ଦିନ ଆୟୋଜିତ ଏକ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ ନିଷ୍ପତି ନିିଆଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ସଭା ଗୃହରେ ମଙ୍ଗଳବାର ଆୟୋଜିତ ସ୍ୱତନ୍ତ୍ର ବୈଠକରେ ହୋଇଥିଲା ଏଭଳି ନିଷ୍ପତ୍ତି ।
"ହୋଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ତେବେ ୨୭ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ପ୍ରଥମ ୫ଦିନ, ପ୍ରଥମ ପର୍ଯ୍ୟାୟରେ କେବଳ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିପାରିବେ ମହାପ୍ରରଭୁଙ୍କୁ । କିନ୍ତୁ ଜାନୁଆରୀ ୨୦୨୧ର ପ୍ରଥମ ଓ ଦ୍ୱିତୀୟ ଦିନ ଅର୍ଥାତ ଜାନୁଆରୀ ପହିଲା ଓ ତାର ପରଦିନ ମନ୍ଦିର ଦର୍ଶନ ବନ୍ଦ ରହିବ । ପରେ ଜାନୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦା ଓ ତାର ଆଖପାଖ ଲୋକେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ଜାନୁଆରୀ ୬ରେ ହେବ ସାହାଣ ମେଲା। ଅର୍ଥାତ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଦର୍ଶନ ଆରମ୍ଭ ହେବ । ପ୍ରତ୍ୟେକ ଦିନ ଶହ ଲୋକ ଦର୍ଶନ କରିପାରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଏକାଥରକେ ମନ୍ଦିର ଭିତରେ ଯେଭଳି ୫୦୦ରୁ ଅଧିକ ଲୋକ ରହିପାରିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ, " କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୋଧୁରୀ ।
ସବୁଠାରୁ ବଡ କଥା ହେଉଛି ସମସ୍ତ କ୍ଷେତ୍ରରେ କୋଭିଡ ଗାଇଡ୍ ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ଏ ନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମନ୍ଦିର ଆସିବା ପୂର୍ବରୁ ସମସ୍ତ ଭକ୍ତ ନେଗେଟିଭ ରିପୋର୍ଟ ସାଥିରେ ଆଣିବା ଆବଶ୍ୟକ । ନହେଲେ ପ୍ରଭୁଙ୍କ ଦର୍ଶନକୁ ବାରଣ କରାଯିବ। ଲୋକଙ୍କୁ କୋଭିଡ ଟେଷ୍ଟ ରିପୋର୍ଟ ପ୍ରଦାନ ପାଇଁ ଲିଙ୍ଗରାଜଙ୍କ ମନ୍ଦିର ସାମ୍ନାରେ ଏକ କୋଭିଡ ଟେଷ୍ଟ ପରିକ୍ଷଣ ଜେନ୍ଦ୍ର ରଖାଯିବ। ଏଠାରେ ଶ୍ରଦ୍ଧାଳୁମାନେ ମାଗଣାରେ ନିଜ କୋଭିଡ ଟେଷ୍ଟ ରିପୋର୍ଟ ପ୍ରସ୍ତୁତ କରିପାରିବେ । ଯଦି କେହି ସାଙ୍ଗରେ କୋଭିଡ ଟେଷ୍ଟ ରିପୋର୍ଟ ଆଣିଥାନ୍ତି ତେବେ ଏହାଗତ ୩/୪ଦିନ ଭିତରେ ରିପୋର୍ଟ ହୋଇଥିବା ଦରକାର ବୋଲି କୁହାଯାଇଛି ।
ମନ୍ଦିର ଖୋଲୁଥିଲେ ମଧ୍ୟ ମନ୍ଦିର ଭିତରେ ଦର୍ଶନ ସମୟରେ ଥରକେ ୫୦୦ରୁ ଅଧିକ ଲୋକ ମନ୍ଦିର ଭିତରେ ରହି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏହା ଛଡ଼ା ଭକ୍ତମାନେ କେବଳ ଆଡ଼ପ ମଣ୍ଡପ ପାଖରୁ ପ୍ରଭୁଙ୍କୁ ଦର୍ଶନ କରିପାରିବେ । କୌଣସି ଭକ୍ତଙ୍କୁ ଗର୍ଭଗୃହ ଭିତରେ ଦର୍ଶନ କରାଯିବାକୁ ବାରଣ କରାଯିବ । ସୂଚନା ଅନୁସାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହିତ ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ସହିତ ଅନ୍ୟ ଧାର୍ମିକ ପୀଠ ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରହିବ।
ବୈଠକରେ ବିଭିନ୍ନ ମନ୍ଦିର ଖୋଲାଯିବା ନିଷ୍ପତ୍ତି ସହିତଅନ୍ୟାନ୍ୟ ସମ୍ପ୍ରଦାୟର ଧାର୍ମିକ ସ୍ଥଳ ମଧ୍ୟ ଖୋଲିବା ନେଇ ମିଳିଲା ଗ୍ରୀନ ସିଗ୍ନାଲ । ସମସ୍ତ କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ଅନ୍ୟ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତି ଉପରେ ମୋହର ବାଜିଲା । ନୂଆବର୍ଷ ପରେ ଅର୍ଥାତ ଜାନୁଆରୀ ୩ ତାରିଖ ପରେ ଏହି ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ନେଇ ମିଳିଲା ସହମତି । ତେବେ ବଡ଼ଦିନ ପାଳନ କରିବା ପାଇଁ ଚର୍ଚ୍ଚକୁ ଅନୁମତି ଦିଆଯିବାକୁ ନିଷ୍ପତି ହୋଇଛି । କିନ୍ତୁ ଏଥିପାଇଁ ପୂର୍ବରୁ ସମସ୍ତ ଚର୍ଚ୍ଚ ପକ୍ଷରୁ ବିଏମସି ନିକଟରେ ଆବେଦନ କରିବାକୁ ହେବ । କେତେଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରିବେ ସେ ନେଇ ସମସ୍ତ ତଥ୍ୟ ବିଏମସି ନିକଟରେ ଦାଖଲ କରିବାକୁ ହେବ । କୋଭିଡ ନିୟମ ଅନୁସାରେ ୨ ମିଟର ଦୂରତା ରକ୍ଷା ସହିତ ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବା ଆବଶ୍ୟକ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ ଜାନୁଆରୀ ୩ ତାରିଖରେ ଲିଙ୍ଗରାଜଙ୍କ ମନ୍ଦିର ସହିତ ଅନ୍ୟ ମନ୍ଦିର ମଧ୍ୟ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ଲିଙ୍ଗରାଜ ମନ୍ଦିର ଖୋଲାଯିବା ନିଷ୍ପତ୍ତି ନେଇ ଉଭୟ ଛତିଶା ନିଯୋଗ ଓ ବଡୁ ନିଯୋଗ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏଥି ସହିତ ନୂଆ ବର୍ଷ ମିଡନାଇଟ ସେଲିବ୍ରେସନ ଭୁବନେଶ୍ୱର ମହାନଗର ରେ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।