ଭୁବନେଶ୍ୱର: ମଜାରେ ମଜାରେ ବନ୍ଧୁକ କିଣିବାକୁ ଅର୍ଡ଼ର ଦେଇ ଗିରଫ ହେଉ ହେଉ ବର୍ତ୍ତିଲେ ଛାତ୍ର

ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ଭୁବନେଶ୍ୱରର ଏହି ଛାତ୍ରଙ୍କ ସହ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିବା ପରେ ଆତଙ୍କବାଦୀ ଗତିବିଧି ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ଜାଣି ତାଙ୍କୁ ଛାଡ଼ିଦେଇଛି ।

ଭୁବନେଶ୍ୱର: ମଜାରେ ମଜାରେ ବନ୍ଧୁକ କିଣିବାକୁ ଅର୍ଡ଼ର ଦେଇ ଗିରଫ ହେଉ ହେଉ ବର୍ତ୍ତିଲେ ଛାତ୍ର
ବନ୍ଧୁକର ଏକ ପ୍ରତୀକାତ୍ମକ ଛବି; (ଡାହାଣ) ଛାତ୍ରଙ୍କ ସହ ପଚରାଉଚରା କରୁଥିବା ଏନଆଇଏ ଟିମର ଜଣେ ସଦସ୍ୟ
  • News18 Odia
  • Last Updated: October 22, 2020, 5:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏକ ସନ୍ଦିଗ୍ଧ ଆତଙ୍କବାଦ ଲିଙ୍କର ତଦନ୍ତ ପାଇଁ ଓଡ଼ିଶା ଆସିଥିବା ଜାତୀୟ ତଦନ୍ତକାରୀ ସଂସ୍ଥାର (ଏନଆଇଏ) ଟିମ୍‌ ଫେରିଯାଇଛନ୍ତି l ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ବିଦେଶରୁ ଏକ ଅତ୍ୟାଧୁନିକ ବନ୍ଧୁକ କିଣିବା ପାଇଁ ଇଣ୍ଟରନେଟରେ ଅର୍ଡ଼ର ଦେଇଥିବା ଅଭିଯୋଗର ତଦନ୍ତ କରିବା ପରେ ସେହି ଛାତ୍ରଙ୍କର ଆତଙ୍କବାଦ ସହ କୌଣସି ଲିଙ୍କ ନ ପାଇ ତାଙ୍କୁ ପଚରାଉଚରା ପରେ ଛାଡ଼ିଦେଇଥିଲା NIA ଟିମ୍‌ ।

କମିଶନରେଟ୍‌ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକଡାଉନ ସମୟରେ ବରମୁଣ୍ଡାର ବାସିନ୍ଦା ଏହି ଛାତ୍ର ଅଷ୍ଚ୍ରେଲିଆର ଏକ ୱେବସାଇଟକୁ ଯାଇ ଏକ ଅତ୍ୟାଧୁନିକ ବନ୍ଧୁକ କିଣିବାକୁ ଡିଲ୍‌ କରିଥିବା ଅଭିଯୋଗର ତଦନ୍ତ NIA କରୁଥିଲା l ପାଖାପାଖି ଦୁଇ ମାସ ତଳେ ଏହି ବନ୍ଧୁକ କିଣିବା ପାଇଁ ଛାତ୍ର ଜଣକ ଇମେଲ ଜରିଆରେ ଅର୍ଡ଼ର ବି ଦେଇଥିଲେ l କିନ୍ତୁ ତଦନ୍ତ ଓ ପ୍ରାୟ ପାଞ୍ଚ ଘଣ୍ଟାର ପଚରାଉଚରାରୁ ସ୍ପଷ୍ଟ ହୋଇଥିଲା ଯେ ଛାତ୍ର ଜଣକ ମଜାରେ ମଜାରେ ଏମିତି କରିଥିଲେ ।

‘‘ମଜାରେ ମଜାରେ ଅର୍ଡ଼ର ଦେଇଦେବା ପରେ ସେ (ଛାତ୍ର) ଅନୁଭବ କରିଥିଲେ ଯେ ତାଙ୍କ ଅର୍ଡ଼ରକୁ ଗୁରୁତ୍ୱର ସହ ସେହି ୱେବସାଇଟ୍‌ ନେଇଛି ଓ ଅତ୍ୟାଧୁନିକ ବନ୍ଧୁକଟିକୁ ତାଙ୍କ ପାକୁ ପଠାଇବାକୁ ଚାହୁଁଛି । ସେତିକି ବେଳେ ସେ ନିଜ ଅର୍ଡ଼ରକୁ ବାତିଲ କରିଦେଇଥିଲେ । ଆତଙ୍କବାଦୀ ଗତିବିଧି ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ଜଣାପଡ଼ିଛି,’’ କହିଛନ୍ତି ଏହି ମାମଲା ଓ ତଦନ୍ତ ବିଷୟରେ ଜାଣିଥିବା ଜଣେ ପୋଲିସ ଅଧିକାରୀ । ଛାତ୍ର ଜଣକ କୌଣସି ଅଳ୍ପସଂଖ୍ୟକ ବର୍ଗର ନୁହଁନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ


NIAର ଜଣେ ଡି.ଏସ୍‌.ପି.ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଛାତ୍ରଙ୍କୁ ତାଙ୍କ ଘରୁ ଉଠାଇ ଆଣି ଖଣ୍ଡଗିରି ଥାନାରେ ପାଖାପାଖି ପାଞ୍ଚ ଘଣ୍ଟା ପଚରାଉଚରା କରିବା ବେଳେ ସେଠାରେ କମିଶନରେଟ୍‌ ପୋଲିସର କୌଣସି ଅଧିକାରୀଙ୍କୁ ରଖି ନ ଥିଲା ବୋଲି ଜଣାପଡ଼ିଛି । ତେବେ କମିଶନରେଟ୍‌ ପୋଲିସକୁ ଏହି ଛାତ୍ରଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ | ସୈଫ୍‌ ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

ଅସଲରେ ଏହି ଛାତ୍ର ଅତ୍ୟାଧୁନିକ ବନ୍ଧୁକଟି କିଣିବା ପାଇଁ ପ୍ରଥମେ ଇମେଲରେ ଅର୍ଡ଼ର ଦେବା ପରେ ଏହି ଡିଲ୍‌ ଅଷ୍ଚ୍ରେଲିଆର ଗୁଇନ୍ଦା ଏଜେନ୍ସିର ନଜରକୁ ଆସିଥିଲା । ଅଷ୍ଟ୍ରେଲିଆର ଗୁଇନ୍ଦା ଏଜେନ୍ସି ଏ ସମ୍ପର୍କରେ ଏନଆଇଏକୁ ଅବଗତ କରାଇଥିଲା l ଏନଆଇଏ ସଙ୍ଗେସଙ୍ଗେ ଛାତ୍ରଙ୍କ ଲ୍ୟାପଟପର ଆଇପି ଠିକଣା ବାହାର କରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା l

‘‘ଏନଆଇଏର ତଦନ୍ତ ଓ ପଚରାଉଚରା ପରେ ଛାତ୍ରଙ୍କର କୌଣସି ଆତଙ୍କବାଦୀ ଲିଙ୍କ ନାହିଁ ବୋଲି ଜଣାପଡ଼ିଛି l ତେଣୁ ତାଙ୍କୁ ଛାଡ଼ି ଦିଆଯାଇଛି,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । ଛାତ୍ର ଜଣକ ନିର୍ଦ୍ଦୋଷ ଥିବାରୁ ତାଙ୍କ ନାମ ଓ ଠିକଣା ଗଣମାଧ୍ୟମରେ ପ୍ରକାଶିତ ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ

ବୁଧବାର ସକାଳେ ଛାତ୍ରଙ୍କୁ ତାଙ୍କ ଘରୁ ଉଠାଇ ନେବା ପରେ ଖଣ୍ଡଗିରି ଥାନାରେ ପଚରାଉଚରା କରାଯାଇଥିଲା l ସୁତ୍ରରୁ ଜଣାପଡିଛି ଏନଆଇଏର ଦୁଇ ଜଣ ଅଫିସର ଛାତ୍ରର ଲାପଟପକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ l ଯାଞ୍ଚରୁ ସେ ଭଳି କୌଣସି ସନ୍ଦିଗ୍ଧ ତଥ୍ୟ ଏନଆଇଏର ଅଫିସରମାନେ ପାଇ ନ ଥିଲେ l ଛାତ୍ର ଜଣକ ନିର୍ଦ୍ଦୋଷ ବୋଲି ହୃଦୟଙ୍ଗମ କରିବା ପରେ ତାକୁ ଛାଡ଼ି ଦିଆଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି l

ଥଟ୍ଟା ଓ ମଜାରେ ଛାତ୍ର ଜଣକ ଏଭଳି କରିଥିବା କଥା ଏନଆଇଏ ଅଧିକାରୀଙ୍କ ପାଖରେ କହିଛନ୍ତି l ଭବିଷ୍ୟତରେ ଆଉ କେବେ ବି ଭୁଲରେ ଏ ଭଳି କରିବେ ନାହିଁ ବୋଲି ସେ ପ୍ରତିଶୃତି ଦେଇଛନ୍ତି l



ପୂର୍ବରୁ ମଧ୍ଯ ଯୁକ୍ତ ୩ରେ ପଢ଼ୁଥିବା ଏହି ଛାତ୍ରଙ୍କୁ ପଚରାଉଚରା କରିବା ପାଇଁ ଇଣ୍ଟଲିଜେନ୍ସ ବ୍ୟୁରୋର (ଆଇବି) ଅଫିସରମାନେ ଭୁବନେଶ୍ଵର ଆସିଥିଲେ l କିନ୍ତୁ ଛାତ୍ର ଜଣକ ସେ ଭଳି କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପରେ ଲିପ୍ତ ଥିବାର ପ୍ରମାଣ ଗୁଇନ୍ଦା ଅଧିକାରିଙ୍କୁ ମିଳି ନ ଥିଲା ବୋଲି ଜଣାପଡ଼ିଛି l
Published by: Anand Shankar Thankur Das
First published: October 22, 2020, 5:03 PM IST
corona virus btn
corona virus btn
Loading