ପଞ୍ଜାବରେ ଚାଷୀଙ୍କ କଷ୍ଟ ଦେଖି ଓଡ଼ିଶାର ସିଖ୍ ସମ୍ପ୍ରଦାୟ ରାସ୍ତା ଉପରେ; ‘‘ଚାଷୀଙ୍କୁ ନ୍ୟାୟ ମିଳୁ’’
ପଞ୍ଜାବ ଓ ହରିୟାଣାର ଚାଷୀମାନେ ଶୀତ ଓ କାକରରେ ପରିବାର ଧରି ଆନ୍ଦୋଳନ କରୁଥିବାରୁ ସରକାର ସେମାନଙ୍କ ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ଭୁବନେଶ୍ୱରରେ ରହୁଥିବା ପଞ୍ଜାବୀମାନେ ।

ଭୁବନେଶ୍ୱରର ସିଖ୍ ମହିଳାମାନେ ପ୍ରଦର୍ଶନ କରୁଛନ୍ତି ।
- News18 Odia
- Last Updated: December 8, 2020, 11:35 PM IST
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୁଦ୍ଧରେ ପଞ୍ଜାବ ଓ ହରିୟାଣାରୁ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିଯାଇଛି ଓ ‘ଭାରତ ବନ୍ଦ’ର ରୂପ ନେଇଛି । ରାଜଧାନୀ ଭୁବନେଶ୍ବରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଞ୍ଜାବ ଠାରୁ ଦୂରରେ ଥାଇ ବି ମୂଳତଃ ପଞ୍ଜାବୀ ମାତ୍ର ବର୍ତ୍ତମାନରେ ଓଡ଼ିଶା ନିବାସୀ ଅନେକ ସିଖ୍ ପୁରୁଷ ଓ ମହିଳା ଏହି ବନ୍ଦରେ ଦେଶର ଚାଷୀମାନଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି ।
ଭୁବନେଶ୍ୱରରେ ରହୁଥିବା ପଞ୍ଜାବୀମାନେ ହାତରେ ଫ୍ଲାଗ କାର୍ଡ ଧରି ଗୁରୁଦ୍ୱାରା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନ୍ ଦେଇ ଚାଷୀମାନଙ୍କୁ ‘‘ନ୍ୟାୟ’’ ମିଳୁ ବୋଲି ଦାବି କରିଥିଲେ ସେମାନେ । ପଞ୍ଜାବ ଓ ହରିୟାଣାର ଚାଷୀମାନେ ଶୀତ ଓ କାକରରେ ପରିବାର ଧରି ଆନ୍ଦୋଳନ କରୁଥିବାରୁ ସରକାର ସେମାନଙ୍କ ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ ବୋଲି ଦାବି କରିଥିଲେ ସେମାନେ ।
ଏହା ବି ପଢ଼ନ୍ତୁ | ୬ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ସିଖ୍ ସମ୍ପ୍ରଦାୟର ଲୋକେ ଭୁବନେଶ୍ୱରରେ ପ୍ଲାକାର୍ଡ଼ ଧରି ପ୍ରଦର୍ଶନ କରୁଛନ୍ତି ।
ଗୁରୁଦ୍ୱାରା ସିଖ ସଙ୍ଘର ସଦସ୍ୟ ଗୁରମାନ ପାଲ ସିଂ କହିଛନ୍ତି, ‘‘ଆମେ ଚାଷୀ ପରିବାରର ପିଲା । କୋଡ଼ିଏ ବର୍ଷରୁ ଅଧିକ ସମୟ ହେଲା ଭୁବନେଶ୍ୱର ରହି ବ୍ୟବସାୟ କରୁଛୁ । କିନ୍ତୁ ଏବେ ବି ମନ ନିଜ ଗାଁ ମାଟିରେ, ପଞ୍ଜାବରେ । ସେଠାରୁ ହଜାର ହଜାର ଚାଷୀ ଭାଇ ଦିଲ୍ଲୀ ଯାଇ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଦୁଃଖ ଦେଖି ମନ ଉଦାସ ହୋଇଯାଉଛି । ଆମେ ସରକାରଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛୁ, ସରକାର ଚାଷୀଙ୍କ ଦାବି ପୂରଣ କରନ୍ତୁ ।’’
ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ‘ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି ୧.୫ କୋଟି ଟଙ୍କା
ତେର ଦିନର ଆନ୍ଦୋଳନ ଭିତରେ ପର୍ଯ୍ୟାୟ କ୍ରମେ ପାଞ୍ଚ ଥର ସରକାରଙ୍କ ସହ କୃଷକମାନଙ୍କର ଆଲୋଚନା ହେଲାଣି । କିନ୍ତୁ ତାହା ବିଫଳ ରହିଛି । ବୁଧବାର ପୁଣି ଥରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରିବେ । ତେବେ ଏହି ଆଲୋଚନାରେ କିଛି ସମାଧାନର ବାଟ ବାହାରିବ ବୋଲି ଆଶା ରହିଛି ବୋଲି କହିଛନ୍ତି ଭୁବନେଶ୍ୱରର ଶିଖମାନେ ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
କୃଷି ବିଲ ପ୍ରତ୍ୟାହାର ପାଇଁ ନିଜ ଜିଦରେ ଚାଷୀମାନେ ଅଟଳ ଥିବା ବେଳେ ଚାଷୀ ଆନ୍ଦୋଳନ ବ୍ୟାପକ ହୋଉଛି । ରାଜଧାନୀ ଭୁବନେଶ୍ବରରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ଯଦିଓ ଦୋକାନ ବଜାର, ସରକାରୀ ବସ ଓ ଅଟୋ ଚଳାଚଳ ବନ୍ଦ ଥିଲା, ପ୍ରାଇଭେଟ ଗାଡ଼ି ଯାତାୟତ କରୁଥିଲା । ସୁରକ୍ଷା ଦୃଷ୍ଟିରୁ ଛକମାନଙ୍କରେ ପୋଲିସ ଜଗି ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ତା’ ଉପରେ ନଜର ରଖିଥିଲା ପୋଲିସ।
‘ଭାରତ ବନ୍ଦ’କୁ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଜନସାଧାରଣଙ୍କ ସମର୍ଥନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । କୃଷି ବିଲ ପ୍ରତ୍ୟାହାର କରି ଚାଷୀଙ୍କ ହିତ ସାଧନ କରିବାକୁ ସାଧାରଣ ଲୋକେ ବି ଦାବି କରୁଥିବା ଶୁଣିବାକୁ ମିଳିଥିଲା ।