News18 Odia Digital
ଭୁବନେଶ୍ୱର: ବିଷ ପିଇବା ପରେ ଚ଼ାରି ମହଲା ଛାତ ଉପରୁ ଡେଇଁ ପଡିଥିଲେ ବି.ଜେ.ଇ.ଏମ୍. ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ର । ଛାତରୁ ଡେଇଁବା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଶରୀରର ବିଭିନ୍ନ ହାଡ଼ ଭାଙ୍ଗି ଯାଇଥିଲା । ଅତ୍ୟଧିକ ରକ୍ତସ୍ରାବ ହେବା ଏବଂ ବିଷ ପିଇବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।
ତେବେ ମୃତ୍ୟୁ ପୂର୍ବରୁ କୃତ୍ତିକା କି ପ୍ରକାର ବିଷ ପିଇଥିଲେ ତାହା ପୋଷ୍ଟ ମର୍ଟମ୍ ରିପୋର୍ଟରୁ ଜଣା ପଡୁନି । ତେଣୁ ଦିନେ ଦୁଇ ଦିନ ଭିତରେ ଭିସେରା ରସୁଲଗଡ଼ରେ ଥିବା ରାଜ୍ୟ ଫରେନସିକ ଲାବରେଟୋରୀକୁ ପଠାଯିବ । ଗୁରୁବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ପୋଷ୍ଟ ମର୍ଟମ୍ ରିପୋର୍ଟ ସଂଗ୍ରହ କରିଛି ବଡ଼ଗଡ଼ ଥାନା ପୋଲିସ ।
ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏବେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ । କାହିଁକି ଆତ୍ମହତ୍ୟା କଲେ କୃତ୍ତିକା? ପାଠ ପଢ଼ାର ଚ଼ାପ ଥିଲା ନା ପ୍ରେମ ସମ୍ପର୍କ? ଆତ୍ମହତ୍ୟା ପୂର୍ବରୁ କାହିଁକି ନିଜ କପାଳରେ ପରଫେକ୍ଟ ଲେଖିଥିଲେ କୃତ୍ତିକା? ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିବ ତଦନ୍ତରୁ । ଆଶା କରାଯାଉଛି ତଦନ୍ତ ବେଳେ ଆତ୍ମହତ୍ୟା ପୂର୍ବରୁ କୃତ୍ତିକା ଇନଷ୍ଟାଗ୍ରାମରେ ନିଜ ସାଙ୍ଗ ସହ କରିଥିବା ବାର୍ତ୍ତାଳପ ଓ ତାଙ୍କ ପୋଷ୍ଚର ବି ରହସ୍ୟ ଉନ୍ମୋଚନ ହେବ ।
‘‘ଏତେ କମ୍ ବୟସର ପିଲାର ଏମିତି ମୃତ୍ୟୁ ବଡ଼ ଅସ୍ୱାଭାବିକ । ଦିନେ ଦୁଇ ଦିନ ଭିତରେ ତାଙ୍କ ବାପା ଓ ମା’ଙ୍କ ବୟାନ ନିଆଯିବ । ତାଙ୍କ ଅତି ଘନିଷ୍ଠ ସାଙ୍ଗସାଥୀଙ୍କୁ ବି ପଚ଼ରାଉଚ଼ରା କରାଯିବ,’’ ନାମ ଗୋପନ ରଖି କହିଛନ୍ତି କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ ।
ମୃତ୍ୟୁ ପୂର୍ବରୁ କୃତ୍ତିକା ନିଜ କପାଳରେ ଲେଖିଥିଲେ ପରଫେକ୍ଟ । ଯାହାକୁ ନେଇ ଏବେ ବି ତାଙ୍କ ପରିବାର ଲୋକ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ କାରଣ ଖୋଜୁଛନ୍ତି, ହେଲେ କାହାକୁ ସନ୍ତୋଷଜନକ ଉତ୍ତର ମିଳୁନି ।
ସେପଟେ ଅଲିଅଳି ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ବାପା ଓ ମା’ଙ୍କ ପାଟିରୁ କଥା ବାହାରୁନି । ସବୁବେଳେ ଗୁମୁରେଇ ଗୁମୁରେଇ କାନ୍ଧୁଛନ୍ତି ଦୁହେଁ ।
ଫେବୃୟାରୀ ୧୬ ତାରିଖରେ ମେଧାବୀ ଛାତ୍ରୀ କୃତ୍ତିକାଙ୍କ ମୃତ ଦେହ ସନ୍ଦେହଜନକ ସ୍ଥିତିରେ ମିଳିଥିଲା ସେ ରହୁଥିବା ଗୀତାଞ୍ଜଳି ଆପାର୍ଟମେଣ୍ଟ ପରିସରରୁ । ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟଗୁଡ଼ିକୁ ନେଇ ତାଙ୍କ ମୃତ୍ୟୁ ଚ଼ାରି ପାଖରେ ଗଢ଼ି ଉଠିଥିଲା ରହସ୍ୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।