ଗୋଟିଏ ଟ୍ୱିଟ୍ ଆଉ ରାଜଧାନୀ ପୋଲିସର ସମ୍ବେଦନଶୀଳତା ଯୋଗୁଁ ଶିଶୁଟିର ଜୀବନ ବଞ୍ଚିଗଲା

ପୋଲିସ କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଚନ୍ଦ୍ରଶେଖରପୁର ଥାନାରୁ ଗଡି଼ଥିଲା 20 ନମ୍ବର ପିସିଆର ଭ୍ୟାନ୍ । ଲୋକେସନ କେବଳ ନିଳାଦ୍ରିବିହାର ଥିବାରୁ ମାଆ ଏବଂ ଝିଅକୁ ଖୋଜିବାକୁ ଲାଗି ଯାଇଥିଲା ପ୍ରାୟ 45 ମିନିଟ । ଟୁଇଟ୍ ଫଟୋକୁ ଲୋକଙ୍କୁ ଦେଖାଇ ପୋଲିସ ପହଞ୍ଚିଥିଲା ନିଳାଦ୍ରିବିହାରରେ ସ୍ବରେଜ ନିର୍ମାଣ ହେଉଥିବା ସେହି ସ୍ଥାନରେ ।

ଗୋଟିଏ ଟ୍ୱିଟ୍ ଆଉ ରାଜଧାନୀ ପୋଲିସର ସମ୍ବେଦନଶୀଳତା ଯୋଗୁଁ ଶିଶୁଟିର ଜୀବନ ବଞ୍ଚିଗଲା
ନିଶାରେ ଅଚ଼େତ ହୋଇ ପଡ଼ିଥିବା ମା‘ର ଚ଼ାରି ପାଖରେ ଘୁରି ବୁଲୁଥିଲା ଦୁଇ ବର୍ଷର ଶିଶୁ କନ୍ୟା
  • News18 Odia
  • Last Updated: December 9, 2019, 7:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଜଧାନୀର ନିଳାଦ୍ରିବିହାର ଅଞ୍ଚଳରେ ଗୋଟେ ରାସ୍ତା କଡ଼ରେ ନିଶାରେ ଅଚ଼େତ ହୋଇ ପଡ଼ିଥିବା ମା‘ର ଚ଼ାରି ପାଖରେ ଘୁରି ବୁଲୁଥିବା ଦୁଇ ବର୍ଷର ଶିଶୁ କନ୍ୟାର ଜୀବନ ବଞ୍ଚିଯାଇଛି ଜଣେ ସହୃଦୟା ମହିଳାଙ୍କ ଟ୍ୱିଟ୍‌ ଓ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସକ୍ରିୟତା ଯୋଗୁଁ ।

ଶିଶୁ କନ୍ୟାଟି ରାସ୍ତା ଉପରେ ବୁଲୁଥିବାରୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଦ୍ୱାରା ଧକ୍କାର ଆଶଙ୍କା ପ୍ରତି ମିନିଟ ରହୁଥିଲା । ଆହୁରି ବଡ଼ ଆଶଙ୍କା ଏହା ଥିଲା ଯେ ଶିଶୁଟି ପାଖରେ ଥିବା ଖୋଲା ସ୍ୱେରେଜ୍‌ ନାଳରେ ପଡ଼ିଯିବ ଓ ଭାସିଯିବ ।

ଉଦ୍ଧାର ହେବା ପରେ  ଥାନାରେ ନିଜ ବାପା କୋଳରେ ଶିଶୁ କନ୍ୟା । ବାପାର ଡାହାଣ ପଟେ ଚେତା ଫେରିପାଇଥିବା ତା' ମା' ।


ଏ ଦୃଶ୍ୟ ଦେଖି ସେହି ରାସ୍ତାରେ ଯାଉଥିବା ନିହାରିକା ସାହୁ ପ୍ରଥମେ ଚ଼ାଇଲ୍ଡ ଲାଇନ୍‌କୁ ଫୋନ୍‌ କଲେ ହେଲ୍ପଲାଇନ୍ ନମ୍ବର ୧୦୯୮ ରେ । ଚ଼ାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ନିୟମ କାନୁନର କଥା କହି ଟାଳିବାରୁ ନିହାରିକା ଉଭୟ ମାଆ ଓ ଝିଅଙ୍କ ଫଟୋ ଉଠାଇଥିଲେ ଏବଂ ଟୁଇଟ୍ କରିଥିଲେ । ଟ୍ୱିଟ୍‌ରେ ସେ ପୋଲିସ କମିଶନର, ଡବ୍ଲ୍ୟୁସିଡି ଓଡ଼ିଶା, ଜୁଭେନାଇଲ ହୋମ ଏବଂ ସିଏମଓ ଓଡ଼ିଶାକୁ ଟ୍ୟାଗ୍‌ କରିଥିଲେ ।

ଟ୍ୱିଟ୍‌ର ପ୍ରଭାବ ପଡିଥିଲା ସଙ୍ଗେ ସଙ୍ଗେ । ଟ୍ୱିଟ୍‌ ପଢ଼ି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତୁରନ୍ତ ମାଆ ଓ ଝିଅଙ୍କୁ ଉଦ୍ଧାର କରିବାକୁ ଚନ୍ଦ୍ରଶେଖରପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।

ଶିଶୁଟି ଗାଡ଼ି ଧକ୍କାରେ ଆଘାତ ହେବା ବା ପାଖରେ ଥିବା ଖୋଲା ସ୍ୱେରେଜ୍ ନାଳରେ ପଡ଼ିଯିବାର ଆଶଙ୍କା ଥିଲା ।


ପୋଲିସ କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଚନ୍ଦ୍ରଶେଖରପୁର ଥାନାରୁ ଗଡି଼ଥିଲା 20 ନମ୍ବର ପିସିଆର ଭ୍ୟାନ୍‌ । ଲୋକେସନ କେବଳ ନିଳାଦ୍ରିବିହାର ଥିବାରୁ ମାଆ ଏବଂ ଝିଅକୁ ଖୋଜିବାକୁ ଲାଗି ଯାଇଥିଲା ପ୍ରାୟ 45 ମିନିଟ । ଟୁଇଟ୍‌ ଫଟୋକୁ ଲୋକଙ୍କୁ ଦେଖାଇ ପୋଲିସ ପହଞ୍ଚିଥିଲା ନିଳାଦ୍ରିବିହାରରେ ସ୍ବରେଜ ନିର୍ମାଣ ହେଉଥିବା ସେହି ସ୍ଥାନରେ ।

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିହାରିକା ସାହୁଙ୍କ ଟ୍ୱିଟ୍ ପଢ଼ି ତୁରନ୍ତ ଚନ୍ଦ୍ରଶେଖରପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।


ପୋଲିସ ଶିଶୁ କନ୍ୟା ଓ ତା‘ ମାଆକୁ ଉଦ୍ଧାର କରି ଥାନାକୁ ନେଇଆସିଥିଲା । ଥାନାରେ ପଚରାଉଚରା ପରେ ଜଣାପଡିଥିଲା ମହିଳା ଜଣଙ୍କ ଆଦିବାସୀ ଓ ତାଙ୍କ ନାଁ ଲକ୍ଷ୍ମୀ ମୁଣ୍ଡା । ଘର ରାଉରକେଲାର କୋଏଲନଗରରେ । ସ୍ବାମୀ ଦିନେଶ ମୁଣ୍ଡା ରଙ୍ଗମିସ୍ତ୍ରୀ କାମ କରନ୍ତି । ଘରଦ୍ବାର ନ ଥିବାରୁ ନିଳାଦ୍ରିବିହାରରେ ଥିବା ହାଉସିଂ ବୋର୍ଡରେ ଏକ ଭଙ୍ଗା ଘରେ ଦିନ କାଟୁଛନ୍ତି ସେମାନେ।

ତାପରେ ରାଧାକୃଷ୍ଣ ବସ୍ତିରେ ରହୁଥିବା ଦିନେଶ ମୁଣ୍ଡାଙ୍କ ଭାଇ ସୁରେଶଙ୍କୁ ଖୋଜାଖୋଜି କରିଥିଲା ପୋଲିସ । ସୁରେଶ ଥାନାରେ ପହଞ୍ଚିବା ପରେ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଘରକୁ ପଠାଯାଇଥିଲା ।

ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ବିଶ୍ୱରଞ୍ଜନ ନାୟକ


ଥାନାକୁ ଆସିବାର ବହୁ ପୂର୍ବରୁ ଶିଶୁ କନ୍ୟାଟି ଭୋକିଲା ଥିବାରୁ ଥାନା ଇନ୍ସପେକ୍ଟର ତା’ ପାଇଁ କିଣି ଆଣିଥିଲେ ବିସ୍କୁଟ, କଦଳୀ ଓ ଚକୋଲେଟ୍ । ଏ ସମଗ୍ର ଘଟଣାରେ ରାଜଧାନୀ ପୋଲିସ ଦ୍ୱାରା ପ୍ରଦର୍ଶିତ ମାନବିକତା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କର ଟ୍ୱିଟ ପଢ଼ିବା ପରେ ତ୍ୱରିତ ନିର୍ଦେଶ, ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ବିଶ୍ୱରଞ୍ଜନ ନାୟକଙ୍କ ସକ୍ରିୟତା ଓ ନିହାରିକାଙ୍କ ସହୃଦୟତା ପ୍ରଶଂସାର ବିଷୟ ବୋଲି ଅନେକ କହିଥିଲେ ।

“ପୋଲିସ ଏମିତି ସକ୍ରିୟତା ଓ ମାନବିକତା ଦେଖେଇ ଚାଲିଲେ ସମାଜରେ ଅନେକ ଗୁଣାତ୍ମକ ପରିବର୍ତ୍ତନ ଆସିବ ଓ ପୋଲିସର ଇମେଜ ବି ଅନେକାଂଶରେ ସୁଧୁରିବ,” କହିଛନ୍ତି ବରିଷ୍ଠ ସାମାଜିକ-ରାଜନୈତିକ ବିଶ୍ଳେଷକ ରବି ଦାସ ।

ଲକ୍ଷ୍ମୀ ମୁଣ୍ଡା ଓ ତା‘ ଶିଶୁ କନ୍ୟା ସହ ରାସ୍ତା କଡ଼ରେ ପଡ଼ି ରହିଥିବା ପରି ଘଟଣାର ମୁଖ୍ୟ କାରଣ ନିଶା ସେବନ ଓ ଦାରିଦ୍ର୍ୟ ଯୋଗୁଁ ଘର ନ ଥିବାର ସମସ୍ୟା ବୋଲି କହିଛନ୍ତି ସମାଜସେବୀମାନେ । ଲକ୍ଷ୍ମୀ ମୁଣ୍ଡା ଓ ତା‘ ସ୍ୱାମୀ ଉଭୟ ହାଣ୍ଡିଆ ସେବନରେ ଅଭ୍ୟସ୍ତ ବୋଲି ପୋଲିସ ଜାଣି ପାରିଛି ।

ସହରାଞ୍ଚଳ ଆଶ୍ରୟସ୍ଥଳୀ ବିଷୟରେ ଅଧିକାଂଶ ଗୃହହୀନ ଲୋକ ଅବଗତ ନାହାଁନ୍ତି । 


ୟୁନାଇଟେଡ୍ ନେସନର 2005 ସର୍ଭେ ରିପୋର୍ଟ ଅନୁସାରେ ସାରା ବିଶ୍ବରେ ୧୦ କୋଟି ଲୋକଙ୍କ ପାଖରେ ଘର ନାହିଁ । ଆମ ଦେଶରେ ଏବେ ବି ପାଖାପାଖି ୧୧ ଲକ୍ଷ ଲୋକ ସମ୍ପୂର୍ଣ୍ଣ ବେଘର ଅଛନ୍ତି । ଘର ନ ଥିବାରୁ ରାସ୍ତାକଡ଼, ମନ୍ଦିର, ରେଲୱେ ଷ୍ଚେଶନ ଓ ଖୋଲା  ଆକାଶ ତଳେ ସେମାନଙ୍କ ଜୀବନ କଟୁଛି ।

ଏକ ଘରୋଇ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଭୁବନେଶ୍ବରରେ ଛଅ ହଜାର ଲୋକଙ୍କ ପାଖରେ ଘର ନାହିଁ । ଘର ନ ଥିବାରୁ ସେମାନେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ବେସହାରା ଲୋକଙ୍କ ପାଇଁ ଭୁବନେଶ୍ବରରେ ପ୍ରାୟ ନଅଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ରହିଛି । ହେଲେ ଅଧିକାଂଶ ଗୃହହୀନ ଲୋକ ଏ ସମ୍ପର୍କରେ ଅବଗତ ନାହାଁନ୍ତି । ତେଣୁ ରାସ୍ତା କଡରେ କଟୁଛି ସେମାନଙ୍କ ଦିନ ଓ ରାତି ।
First published: December 9, 2019, 7:20 PM IST
corona virus btn
corona virus btn
Loading