ସାବଧାନ! ଭୁବନେଶ୍ୱରରେ ମ୍ୟାଜିକ୍ ପେନରେ ଚ଼େକ୍ ଉପରେ ଲେଖି ଲକ୍ଷ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା

ଗତ ଦୁଇ ଦିନ ଭିତରେ ଭୁବନେଶ୍ବରରେ ଦୁଇ ଜଣ ବ୍ୟବସାୟୀ ମ୍ୟାଜିକ ପେନ୍ ଲୁଟେରାଙ୍କ ହାବୁଡରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । ଆହୁରି ଅନେକ ଲୋକ ଏହି ଲୁଟର ଶିକାର ହୋଇସାରିଥିବା ଅନୁମାନ କରାଯାଉଛି ।

ସାବଧାନ! ଭୁବନେଶ୍ୱରରେ ମ୍ୟାଜିକ୍ ପେନରେ ଚ଼େକ୍ ଉପରେ ଲେଖି ଲକ୍ଷ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା
ସି.ସି.ଟି.ଭି.ରୁ ମିଳିଥିବା ଜଣେ ଲୁଟେରାର ଫଟୋ ଓ (ଡାହାଣ) ଏକ ପ୍ରକାରର ମ୍ୟାଜିକ୍ ପେନ୍
  • News18 Odia
  • Last Updated: March 8, 2020, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘‘ଆଗକୁ ରଙ୍ଗର ପର୍ବ ହୋଲି ଥିବାରୁ ଆମ ବ୍ୟାଙ୍କ୍‌ ପକ୍ଷରୁ ମାତ୍ର ୯.୬ ପ୍ରତିଶତ ସୁଧରେ ସ୍ବତନ୍ତ୍ର ଋଣ ଅଫର କରାଯାଉଛି’’ ।  ଯଦି ଏଭଳି କିଛି ଫୋନ୍‌ କଲ୍ ଆପଣଙ୍କ ପାଖକୁ ଆସେ, ଆଉ ଏଥିରେ ଯଦି ଆପଣ ଲୋଭରେ ପଡି ଋଣ ପାଇଁ ରାଜି ହୋଇଯାଆନ୍ତି ତେବେ ଆପଣ ହୋଇପାରନ୍ତି ଲୁଟର ଶିକାର ।

ଭୁବନେଶ୍ବରରେ ଅନେକ ବ୍ୟବସାୟୀ ମ୍ୟାଜିକ ପେନ୍‌ ଲୁଟେରାଙ୍କ ହାବୁଡରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଇ ବସିଲେଣି । ଗତ ଦୁଇ ଦିନ ଭିତରେ ଦୁଇଟି ମାମଲା ଗଣମାଧ୍ୟମ ସାମନାକୁ ଆସିଥିବା ବେଳେ ଆହୁରି ଅନେକ ଲୋକ ଏହି ଲୁଟର ଶିକାର ହୋଇସାରିଥିବା ଅନୁମାନ କରାଯାଉଛି ।

"ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେରା ଜଣକ ମୋର କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ୍‌ ଉପରେ ମ୍ୟାଜିକ୍‌ ପେନରେ କ୍ୟାନସେଲସନ ଲେଖି ଦୁଇଟି ଗାର ବି ପକାଇ ଦେଇଥିଲା । ସେ ମୋତେ ଠକିବାକୁ ଏକ ବିରାଟ ଷଡଯନ୍ତ୍ର କରୁଛି ବୋଲି ମୁଁ ଟିକେ ବି ସନ୍ଦେହ କରି ନ ଥିଲି । ଦସ୍ତଖତର ମାତ୍ର ଦୁଇ ଘଣ୍ଟା ପରେ ମୋ ଆକାଉଣ୍ଟରୁ ବାହାର କରିନିଆଯାଇଥିଲା ୭୬ ହଜାର ୫ଶହ ଟଙ୍କା,’’ ମ୍ୟାଜିକ ପେନ ଲୁଟର ଶିକାର ହେବା ପରେ କହିଛନ୍ତି କ୍ରିଷ୍ଣା ଟାୟାର ଆଣ୍ଡ ହୁଇଲ କେୟାର ସର୍ଭିସେଜର ମାଲିକ କ୍ରିଷ୍ଣ କୁମାର ପାଢ଼ି।

ହଂସପାଳ ଛକରେ କ୍ରିଷ୍ଣାଙ୍କର ରହିଛି ଏହି ପ୍ରତିଷ୍ଠାନ । ମାର୍ଚ୍ଚ ୩ ତାରିଖରେ ଲୁଟେରା ଜଣକ ନିଜକୁ ଏକ ଘରୋଇ ବ୍ୟାଙ୍କର ଅଧିକାରୀ ବୋଲି ପରିଚୟ ଦେଇ ଏହି ବ୍ୟବସାୟୀଙ୍କୁ ଋଣ ଅଫର ଦେଇଥିଲେ । ଆଗକୁ ହୋଲି ଥିବାରୁ ବ୍ୟାଙ୍କ ପକ୍ଷରୁ ମାତ୍ର ୯.୬ ପ୍ରତିଶତ ସୁଧରେ ସ୍ବତନ୍ତ୍ର ଋଣ ଅଫର ଦିଆଯାଉଛି ବୋଲି ଲୁଟେରା ଜଣକ କହିଥିଲେ । ଏଭଳି ଲୋଭନୀୟ ଅଫରରେ ପ୍ରଲୋଭିତ ହୋଇଯାଇଥିଲେ କୃଷ୍ଣ ।

ମାର୍ଚ୍ଚ ୬ ତାରିଖରେ କୃଷ୍ଣ ନିଜ ଦୋକାନକୁ ବ୍ୟାଙ୍କ ପ୍ରତିନିଧି ରୂପୀ ଲୁଟେରାଙ୍କୁ ଡାକି ଡକ୍ୟୁମେଣ୍ଟ ଯାଞ୍ଚ କରାଇଥିଲେ । ଡକ୍ୟୁମେଣ୍ଟ ଯାଞ୍ଚ ପରେ ଲୁଟେରା ଜଣକ କୃଷ୍ଣଙ୍କୁ ମାଗିଥିଲେ କ୍ୟାନସେଲଡ ଚେକ୍ । ଏତିକି ବେଳେ କୃଷ୍ଣଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଯେଉଁଥିରେ କୃଷ୍ଣ ବ୍ୟସ୍ତ ଥିବାବେଳେ ଲୁଟେରା ଜଣକ ଅତି ଚତୁରତାର ସହ ତାଙ୍କ ଚେକଟିକୁ ନେଇ ନିଜ ପାଖରେ ଥିବା ମ୍ୟାଜିକ ପେନରେ କ୍ୟାନସେଲଡ ଲେଖି ଦୁଇଟି ଗାର ବି ପକାଇ ଦେଇଥିଲେ । ଏହାର ଦୁଇ ଘଣ୍ଟା ପରେ କୃଷ୍ଣଙ୍କ ଆକାଉଣ୍ଟରୁ ଲୁଟେରା ଜଣକ ଉଠାଇ ନେଇଥିଲା ୭୬ ହଜାର ୫ଶହ ଟଙ୍କା  ।

ଲୁଟେରାର କଥାବାର୍ତ୍ତା, ଚାଲିଚଳନ ଏବଂ ଗେଟଅପରେ ତିଳେ ବି ସନ୍ଦେହ କରି ନଥିଲେ କୃଷ୍ଣ । ଏବେ ୭୬ ହଜାର ୫ଶହ ଟଙ୍କା ହରାଇବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ସେ । ଏ ନେଇ ପାହାଳ ପୋଲିସ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସେ । ପୋଲିସ ସିସିଟିଭିକୁ ଯାଞ୍ଚ କରିଛି, ହେଲେ ଏ ପର୍ଯ୍ୟନ୍ତ କିଛି ବି ସଫଳତା ମିଳିନି ।

କୃଷ୍ଣଙ୍କ ଭଳି ମାର୍ଚ୍ଚ ୫ ତାରିଖରେ ଜଗମରାର ବ୍ୟବସାୟୀ ସୋମନାଥ ସାହୁଙ୍କୁ ବ୍ୟକ୍ତିଗତ ଋଣ ଦେବାକୁ କହି ତାଙ୍କ ଆକାଉଣ୍ଟରରୁ ମଧ୍ୟ ସମାନ ଉପାୟରେ ଲୁଟେରା ଲୁଟିନେଇଛନ୍ତି ୨୨ ହଜାର ୫ ଶହ ଟଙ୍କା ।  ଆକାଉଣ୍ଟରୁ ଟଙ୍କା ଉଠାଇନେବା ପରେ ସୋମନାଥ କହିଛନ୍ତି: ‘‘ଲୁଟେରାମାନେ ମୋ’ ଆକାଉଣ୍ଟରୁ ଟଙ୍କା ଏଭଳି ଢଙ୍ଗରେ ଉଠାଇ ନେବେ ଏ କଥା ମୁଁ କେବେ ବି ଭାବି ନଥିଲି’’ ।

ସବୁଠାରୁ ବଡ କଥା ହେଲା ଏହା ଯେ ଦୁଇ ଦୁଇଟି ଘଟଣାର ସିସିଟିଭି ଫୁଟେଜ୍ ଲାଗିଛି ପୋଲିସ ହାତରେ । ଲୁଟେରାଙ୍କ କାରନାମା ଓ ତାଙ୍କ ଚେହେରା ଜଳଜଳ ଦେଖା ଯାଉଛି । ହେଲେ ପୋଲିସର ହାତ ଖାଲି । ଲୁଟେରାଙ୍କୁ ଧରିବାରେ ଫେଲ ହୋଇଛି ପୋଲିସର ସବୁ ପ୍ଲାନିଂ ।

ଏବେ ଆସନ୍ତୁ ଜାଣିହା କଣ ଏହି ମ୍ୟାଜିକ୍‌ ପେନ୍‌ ଓ କେମିତି ଏହା ସାହାଯ୍ୟରେ ଲୁଟେରା ଚେକ ନେଇ ଉଠାଇ ନେଉଛନ୍ତି ଟଙ୍କା । ମ୍ୟାଜିକ ପେନ ହେଉଛି ଏମିତି ଏକ ପେନ ଯେଉଁଥିରେ ଚେକ୍ ଉପରେ ବା ଯେକୌଣସି କାଗଜ ଉପରେ କିଛି ବି ଲେଖିଲେ ତାହେ ଆଖିକୁ ତ ଦେଖାଯାଏ, ହେଲେ କିଛି ସମୟ ପରେ ତାହା ଆପେ ଆପେ ଲିଭିଯାଏ । ଏହାର ଫାଇଦା ଉଠାନ୍ତି ଲୁଟେରା ।  ଚେକରେ କ୍ୟାନସେଲଡ ଲେଖିବା ସମୟରେ ସେମାନେ ଅତି ଚତୁରତାର ସହ ନିଜେ ଚେକ ଉପରେ ଲେଖିଦିଅନ୍ତୁ ବା ଗ୍ରାହକଙ୍କ ହାତକୁ ସେହି ମ୍ୟାଜିକ ପେନଟିକୁ ବଢାଇ ଦିଅନ୍ତି । ଏ ସମ୍ପର୍କରେ ଗ୍ରାହକ ଜଣକ କିଛି ବି ସନ୍ଦେହ କରି ନ ଥାଏ ।

ଦୁଇ ଦୁଇଟି ଘଟଣା ପରେ ଏବେ ପୋଲିସ ପାଇଁ ବଢିଛି ଟେନସନ । ବୁଟ, ସୁଟ ଓ ହିନ୍ଦି ତଥା ଇଂରାଜୀ ଭାଷାରେ କଥାବାର୍ତ୍ତା କରୁଥିବା ଏହି ଲୁଟେରାମାନେ ଆସିଲେ କେଉଁଠୁ ଓ ଏମିତି ଲୁଟ ପଛରେ ଯଦି ଏକ ଗ୍ୟାଙ୍ଗ କାମ କରୁଥି ତାହେଲେ କେମିତି ସେମାନେ ଗିରଫ ହେବେ ଏହାକୁ ନେଇ ପୋଲିସ ପାଇଁ ବଢ଼ିଛି ମୁଣ୍ଡ ବ୍ୟଥା ।
First published: March 8, 2020, 11:10 PM IST
corona virus btn
corona virus btn
Loading