News18 Odia Digital
ଭୁବନେଶ୍ବର: ରବିବାର ତଥା ଖ୍ରୀଷ୍ଟାମାସ ଅବସରରେ ଭୁବନେଶ୍ୱର ଆରମ୍ଭ ହୋଇଛି ପଥ ଉତ୍ସବ। ଗତ କାଲି ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ଜନପଥରେ ସକାଳୁ ଲାଗିଥିଲା ଗହଳି। ନାଚ, ଗୀତ ସାଙ୍ଗକୁ ଖେଳ କୁଦର ଆସର ଜମିଥିଲା ପଥ ଉତ୍ସବରେ। ହକି ବିଶ୍ୱକପକୁ ନେଇ ପୁଣି ପଥ ଉତ୍ସବ ଆରମ୍ଭ ହୋଇଥିବାବେଳେ ରବିବାର ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି ବିଏମସି ମେୟର ଓ କମିଶନର। ହକି ମାସ୍କଟ ସାଙ୍ଗକୁ ହକି ଗୀତର ଲୋକାର୍ପଣ। ଏବେ ସବୁ ରବିବାର ଝୁମିବ ଭୁବନେଶ୍ୱର।
ଏଥର ରବିବାର ପାଥୋତ୍ସବର ବାର। ସକାଳୁ ସକାଳୁ ଖେଳ କୁଦ ସାଙ୍ଗକୁ ନାଚ ଗୀତ ଓ ଏଣ୍ଟରଟେନମେଣ୍ଟର ବାର। ପୁଣି ରାସ୍ତାରେ ଜମିବ ଆସର। ରବିବାରଠାରୁ ପୁଣି ଭୁବନେଶ୍ୱରକୁ ଫେରିଛି ପଥ ଉତ୍ସବ। ବଡ଼ ଦିନରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବିଏମସି ମେୟର ଓ କମିଶନର। କାର୍ଯ୍ୟକ୍ରମର ପ୍ରଥମ ଦିନରେ ସାମିଲ ହୋଇଥିଲେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭୁବନେଶ୍ୱରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ସିଂ, ଅନନ୍ତ ନାରାୟଣ ଜେନା।
ହକି ମାସ୍କଟ ଓଲିକୁ ଏଥିରେ ସାମିଲ୍ କରିବା ସହ ହକି ପାଇଁ ତିଆରି ହୋଇଥିବା ସ୍ଵତନ୍ତ୍ର ଗୀତର ଉନ୍ମୋଚନ କରାଯାଇଥିଲା। ତେବେ ବିଶ୍ଵକପ ହକି ପାଇଁ ପୁଣି ପାଥୋତ୍ସବ ଫେରୁଥିବାବେଳେ ହକି ସମୟରେ ଦେଶ ବିଦେଶରୁ ଆସିଥିବା ଖେଳାଳି, ପର୍ଯ୍ୟଟକ ଓ ଦର୍ଶକ ଏଥିରେ ସାମିଲ ହୋଇ ଆତିଥ୍ୟ ଲାଭ କରିବେ ବୋଲି ମେୟର ଓ କ୍ରିଡ଼ାମନ୍ତ୍ରୀ କହିଥିଲେ।

ହକି ବିଶ୍ୱକପକୁ ନେଇ ଜିମିବାରେ ଲାଗିଛି କାର୍ଯ୍ୟକ୍ରମ
ପାଥୋତ୍ସବରେ ଜମିଥିଲା ନାଚ ଗୀତ ଓ ଖେଳ କୁଦ। ତା ସାଙ୍ଗକୁ କୁନି ପିଲାଙ୍କ ପାଇଁ ଡ୍ରଇଁ, ପେଣ୍ଟିଂ ଓ କ୍ୱିଜ୍ ପ୍ରତିଯୋଗୀତା ମଧ୍ୟ ରହିଥିଲା। ଏହା ବ୍ୟତୀତ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ତରଫରୁ ବନ୍ଦେ ଉତ୍କଳ ଜନନୀ ନୃତ୍ୟ ପରିବେଷଣ ହୋଇଥିଲା। ବିଭିନ୍ନ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା। କୋଭିଡ ମହାମାରୀର ପ୍ରକୋପ ପରେ ରାଜଧାନୀକୁ ପଥ ଉତ୍ସବ ଫେରିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ରାଜଧାନୀ ବାସୀ।
ଆସନ୍ତା ରବିବାର ଗୁଡ଼ିକରେ ଭୁବେଶ୍ୱରର ୩ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ ଏହି ପଥ ଉତ୍ସବ। ସାଧାରଣ ଲୋକ ନେଇ ପାରିବେ ଭାଗ। ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ରାଜଧାନୀ ବାସୀଙ୍କୁ ମିଳିବ ସୁଯୋଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।