ଭୁବନେଶ୍ୱରର ମ୍ୟୁନିସିପାଲ୍ ହସ୍ପିଟାଲ ସ୍ୱାସ୍ଥ୍ୟ ବିଭାଗ ହାତକୁ ଯିବ, ବଦଳିବ ଏହାର ରୂପରେଖ
ସ୍ୱାସ୍ଥ୍ୟ ବିଭାଗ ହାତକୁ ମ୍ୟୁନିସିପାଲ୍ ହସ୍ପିଟାଲର ଦାୟିତ୍ୱ ଯିବା ପରେ ଏହି ହସ୍ପିଟାଲର ଶଯ୍ୟା ସଂଖ୍ୟା ଓ ଡାକ୍ତରଙ୍କ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ହସ୍ପିଟାଲର ଉନ୍ନତିକରଣରେ ଆର୍ଥ ଆଉ ବାଧା ସାଜିବ ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରର ମ୍ୟୁନିସିପାଲ୍ ହସ୍ପିଟାଲ
- News18 Odia
- Last Updated: December 20, 2020, 7:46 PM IST
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ମ୍ୟୁନିସିପାଲ୍ ହସ୍ପିଟାଲକୁ ଅଧିକ ଉନ୍ନତ କରି ଦ୍ଵିତୀୟ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରାଯିବ । ଉନ୍ନତ ମାନର ଭିତ୍ତିଭୂମି ସହ ସେଛାରେ ସ୍ୱତନ୍ତ୍ର ଡାକ୍ତରୀ ବ୍ୟବସ୍ଥା ରହିବ । ୨୪ ଘଣ୍ଟିଆ ଚିକିତ୍ସା ସେବା ପାଇବେ ରୋଗୀମାନେ । ଏବେ ସ୍ୱାସ୍ଥ୍ୟ ବିଭାଗ ହାତକୁ ମ୍ୟୁନିସିପାଲ୍ ହସ୍ପିଟାଲ ଯାଉଥିବାରୁ ଏହି ସବୁ ପରିବର୍ତ୍ତନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗ ହାତକୁ ମ୍ୟୁନିସିପାଲ୍ ହସ୍ପିଟାଲର ଦାୟିତ୍ୱ ଯିବା ପରେ ହସ୍ପିଟାଲର ଶଯ୍ୟା ସଂଖ୍ୟା ଓ ଡାକ୍ତରଙ୍କ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ‘‘ମ୍ୟୁନିସିପାଲିଟି ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସେବା ପାଇବେ ରୋଗୀମାନେ । ପୂର୍ବରୁ ହସ୍ପିଟାଲର ଉନ୍ନତିକରଣ କାମରେ ବାଧା ସାଜୁଥିଲା ଅର୍ଥ। ହେଲେ ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଏହା ଆସିବା ପରେ ସବୁ କିଛିରେ ପରିବର୍ତ୍ତନ ହେବ । ଡାକ୍ତର ଓ କର୍ମଚାରୀ ଅଭାବୀ ସମସ୍ୟା ମଧ୍ୟ ଦୂର ହେବ,’’ କହିଛନ୍ତି ଚୌଧୁରୀ । କ୍ୟାପିଟାଲ ହସ୍ପିଟାଲ ଭଳି ସବୁ ପ୍ରକାର ଚିକିତ୍ସା ସେବା ଏଠି ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଭାରତରେ ତିଆରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ୨ଟି ଡୋଜ୍ ୯୦% ପ୍ରଭାବଶାଳୀ

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ମ୍ୟୁନିସିପାଲିଟି ହସ୍ପିଟାଲରେ ଲାପ୍ରୋସ୍କୋପି, ଅଲ୍ଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ପାଇଁ ସମସ୍ତ ଯନ୍ତ୍ରପାତି ଅଛି। ହେଲେ ନାହାନ୍ତି ବିଶେଷଜ୍ଞ । ପ୍ରତି ବିଭାଗରେ ପଦବୀ ଖାଲି ପଡ଼ିଛି। ନା ଅଛନ୍ତି ଡାକ୍ତର ନା ସହାୟକ ଷ୍ଟାଫ। ଏହି ହସପିଟାଲ୍ ସ୍ୱାସ୍ଥ୍ୟ ବିଭାଗ ହାତକୁ ଗଲେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଡାକ୍ତର ପାର୍ଥସାରଥୀ ପଣ୍ଡା।
ଏହା ବି ପଢ଼ନ୍ତୁ | ୩ ମାସ ପାଇଁ ବ୍ୟବହୃତ ନ ହେଲେ ରଦ୍ଦ ହୋଇଯିବ କି ଆପଣଙ୍କ ରାସନ କାର୍ଡ? ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର...!
‘‘ସକାଳ ବେଳା ଏଠି ସ୍ଵାଭାବିକ ଚିକିତ୍ସା ସୁବିଧା ମିଳେ। ହେଲେ ଅପରାହ୍ଣରେ ସ୍ଥିତି ଓଲଟା । ଡାକ୍ତର ମିଳିବା କଷ୍ଟକର। ଜରୁରୀ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯିବାକୁ ପଡ଼େ,’’ କହିଛନ୍ତି ପିପିଲିରୁ ଆସିଥିବା ରୋଗୀ ଜାଗୁରିଦ୍ଦିନ ଖାନ । ଏହି ହସପିଟାଲ୍ ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯାଉଥିବା ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।
ରାଜଧାନୀରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ପାଇଁ ୧୯୪୬ ମସିହାରେ ଲିଙ୍ଗରାଜ ମନ୍ଦିର ନିକଟରେ ନିର୍ମାଣ କରାଯାଇଥିଲା ବିଏମସି ହସ୍ପିଟାଲ । ଏହାର ପରିଚାଳନା ଦାୟିତ୍ୱ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସ୍ୱାସ୍ଥ୍ୟ ବିଭାଗ ହାତକୁ ଦାୟିତ୍ୱ ହସ୍ତାନ୍ତରକୁ ସାଧରଣ ଲୋକେ ସ୍ୱାଗତ କରିଛନ୍ତି ।
ଏବେ ବିଏମସି ଅଧୀନରେ କେବଳ ସାତଟି ଡିସପେନସାରୀ ରହିବ। ଅନ୍ୟ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯିବ। ଏହା ଫଳରେ ରୋଗୀମାନେ ଉନ୍ନତ ମାନର ଚିକିତ୍ସା ସେବା ପାଇପାରିବେ ବୋଲି ଆଶା କରାଯାଉଛି ।