ସିଲ୍‌ ହେଲେ ରାଜଧାନୀରେ ଅନେକ କଲ୍ୟାଣ ମଣ୍ଡପ; ୫୮ଟି କୋଠା ଉପରେ ବି.ଏମ୍‌.ସି.ର ନଜର

ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଫାୟାର ସେଫ୍‌ଟି ଓ ବିନା ଟ୍ରେଡ୍‌ ଲାଇସେନସରେ ବ୍ୟବସାୟ, ହୋଲ୍ଡିଂ ଟାକ୍ସ ପଇଠ ନ କରିବା ଓ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ କରିବା ଆଦି ଯୋଗୁଁ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍‌ କରିବା ଅଭିଯାନ ଆରମ୍ଭ ହୋଇଛି ।

ସିଲ୍‌ ହେଲେ ରାଜଧାନୀରେ ଅନେକ କଲ୍ୟାଣ ମଣ୍ଡପ; ୫୮ଟି କୋଠା ଉପରେ ବି.ଏମ୍‌.ସି.ର ନଜର
ଗୋଟେ କଲ୍ୟାଣ ମଣ୍ଡପ ସିଲ୍‌ କରି ତାଲା ମାରୁଛନ୍ତି ବି.ଏମ୍‌.ସି. କର୍ମଚ଼ାରୀମାନେ ।
  • News18 Odia
  • Last Updated: February 3, 2020, 11:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱ: ରାଜଧାନୀରେ ବିଭିନ୍ନ ନିୟମର ବିରୋଧାଚ଼ରଣ କରି ଖୋଲିଥିବା ଓ ବ୍ୟବସାୟ କରୁଥିବା କଲ୍ୟାଣ ମଣ୍ଡପଙ୍କ ମଧ୍ୟରୁ ୫୮ଟିକୁ ଭୁବନେଶ୍ୱର ନଗର ନିଗମ (ବି.ଏମ୍‌.ସି.) ଦ୍ୱାରା ସିଲ୍‌ କରିବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି ।

ବି.ଏମ୍‌.ସି.ର ବିଭିନ୍ନ ଜୋନାଲ୍‌ ଅଫିସରଙ୍କ ତତ୍ବାବଧାନରେ ଏହି ମଣ୍ଡପଗୁଡିକୁ ସିଲ୍‌ କରାଯାଇଛି । ଆବଶ୍ୟକୀୟ ଗାଇଡଲାଇନ୍‌ ପୂରଣ କରୁ ନ ଥିବାରୁ ରାଜଧାନୀର ୯୪ଟି କଲ୍ୟାଣ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ସେମାନଙ୍କ ମଧ୍ୟରୁ ୩୬ଟିର ପ୍ରବନ୍ଧନ ନିଜ ମତ ରଖିଛନ୍ତି । ଅନ୍ୟ ମଣ୍ଡପଗୁଡିକ ଏବେ ଯାଏ କୌଣସି ଉତ୍ତର ରଖିନାହାନ୍ତି । ଫଳରେ ବି.ଏମ୍‌.ସି. ପକ୍ଷରୁ ସେସବୁ ମଣ୍ଡପଗୁଡିକୁ ସିଲ୍‌ କରିବା ଅଭିଯାନ ଆରମ୍ଭ ହୋଇଛି ।

ବିନା ବିଲ୍ଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଫାୟାର ସେଫ୍ଟି, ବିନା ଟ୍ରେଡ୍‌ ଲାଇସେନ୍‌ସରେ ବ୍ୟବସାୟ କରିବା, ହୋଲ୍ଡିଂ ଟାକ୍ସ ପଇଠ ନ କରିବା ଓ ଉପଯୁକ୍ତ ପାର୍କିଂ ବ୍ୟବସ୍ଥାର ଅଭାବ ଆଦିକୁ ଆଧାର କରି ସୋମବାର ଠାରୁ ଆରମ୍ଭ ହୋଇଛି କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ । ସହରରେ ଅନେକ ମଣ୍ଡପ ଏହି ଗାଇଡ଼ଲାଇନ ସବୁକୁ ପୂରଣ କରୁନାହାନ୍ତି। ତେଣୁ ଆରମ୍ଭ ହୋଇଛି ମଣ୍ଡପ ସିଲ ଅଭିଯାନ।

ସୋମବାର ବି.ଏମ୍‌.ସି. ପକ୍ଷରୁ ପ୍ରଥମେ ସହିଦ ନଗରର ପାଲାଡିୟମ କୋର୍ଟୟାଡ୍‌ ମଣ୍ଡପକୁ ସିଲ୍‌ କରାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଅଞ୍ଚଳରେ ଦୁଇଟି ମଣ୍ଡପ ଓ ଖଣ୍ଡଗିରି ଓ ବରମୁଣ୍ଡା ଥିବା ଦୁଇଟି ମଣ୍ଡପକୁ ସିଲ୍‌ କରାଯାଇଛି । ପ୍ରଥମ ଦିନରେ ପ୍ରୟ ୧୫ଟି ମଣ୍ଡପ ସିଲ୍‌ କରାୟାଇଥିବା ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଦକ୍ଷିଣପୂର୍ବ ଜୋନ ଅଧୀନରେ ୩୮ଟି ମଣ୍ଡପ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୬ଟି ମଣ୍ଡପ ସିଲ କରାଯିବ ବୋଲି କହିଛନ୍ତି ଯୁଗ୍ମ କମିଶନର ରୂପକ ପଟ୍ଟନାୟକ।

‘‘ଆବଶ୍ୟକୀୟ ଗାଇଡ ଲାଇନ ପୂରଣ କରୁ ନ ଥିବାରୁ ୯୪ଟି ମଣ୍ଡପକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ବେଳେ ବି.ଏମ୍‌.ସି. ଉତ୍ତର ଦେବା ପାଇଁ ସେମାନଙ୍କୁ ମାସକର ସମୟ ଦେଇଥିଲା । ସେଥିରୁ ୩୬ଟି ମଣ୍ଡପ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେସବୁକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଜାନୁୟାରୀ ୩୧ ତାରିଖ ଦିନ ମାସକର ସମୟ ଶେଷ ହେବା ପରେ ଏବେ ସିଲିଂ ଅଭିଯାନ ଆରମ୍ଭ ହୋଇଛି । ବି.ଏମ୍‌.ସି.ର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମଣ୍ଡପରେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଗାଡି ପାର୍କିଂ ହେଉଥିଲା । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ସେଥିରୁ ମୁକ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

‘‘ଯେତେବେଳେ ବି ମଣ୍ଡପରେ କିଛି କାର୍ଯ୍ୟକ୍ରମ ହୁଏ, ଆମକୁ ହଇରାଣ ହେବାକୁ ପଡେ। ରାସ୍ତାରେ ପାର୍କିଙ୍ଗ ପାଇଁ ଆମେ ଯିବାଆସିବାରେ ହଇରାଣ ହେଉ । ତେଣୁ ନଗର ନିଗମର ଏ ପଦକ୍ଷେପ ସ୍ୱାଗତଯୋଗ୍ୟ,’’ କହିଛନ୍ତି ସହିଦ ନଗର ବାସିନ୍ଦା ବିରଞ୍ଚି ନନ୍ଦ।

ସିଲ୍‌ ହୋଇଥିବା ମଣ୍ଡପଗୁଡିକ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ଗାଇଡଲାଇନ୍‌ ପୂରଣ କଲେ ତାକୁ ଗ୍ରହଣ କରାଯିବ କି ନାହିଁ ସେ ଦିଗରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବି.ଏମ୍‌.ସି. ପକ୍ଷରୁ କୁହାଯାଇଛି ।
First published: February 3, 2020, 11:24 PM IST