ସାଂସଦ ରୂପେ ନିଜ ପ୍ରଥମ ବର୍ଷର ‘‘ରିପୋର୍ଟ କାର୍ଡ଼’’ ଜାରି କଲେ ଅପରାଜିତା ଷଡ଼ଙ୍ଗୀ

ଏହି ବର୍ଷକ ସମୟରେ ଜନ ଅଭିଯୋଗର ଶୁଣାଣି ଓ ସମାଧାନ ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ‘‘୨୦୧୯ ମୋ’ ପାଇଁ ଏକ ଚ୍ୟାଲେଞ୍ଜ ଓ ସୁବର୍ଣ୍ଣ ସମୟ ଥିଲା । ସେହି ସମୟରେ ସଙ୍ଘର୍ଷ କରି ମୁଁ ସଫଳତା ପାଇଛି,’’ ସେ କହିଛନ୍ତି ।

ସାଂସଦ ରୂପେ ନିଜ ପ୍ରଥମ ବର୍ଷର ‘‘ରିପୋର୍ଟ କାର୍ଡ଼’’ ଜାରି କଲେ ଅପରାଜିତା ଷଡ଼ଙ୍ଗୀ
ନିଜ ’’ରିପୋର୍ଟ କାର୍ଡ଼’’ ଜାରି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀ ଉନ୍ମୋଚନ କରିଛନ୍ତି ନିଜ ବାର୍ଷିକ ‘‘ରିପୋର୍ଟ କାର୍ଡ଼’’। ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଇଥିବା ୫୬ ପୃଷ୍ଠାର ଏହି ରିପୋର୍ଟ କାର୍ଡ଼ରେ ସାଂସଦ ରୂପେ ନିଜ ଉପଲବ୍ଧିର ଲମ୍ବା ତାଲିକା ସେ ଦେଇଛନ୍ତି ।

ଜନ ଅଭିଯୋଗର ଶୁଣାଣି ଓ ସମାଧାନ ଉପରେ ସାଂସଦ ଗୁରୁତ୍ୱ ଦେଇଥିବା କହିଛନ୍ତି । ଏହି ରିପୋର୍ଟ କାର୍ଡ଼ ଅନୁସାରେ ଭରସା ନାମକ ଏକ ଲୋକ କଲ୍ୟାଣ ପାଣ୍ଠି ଗଠନ କରି ୫,୫୦୦ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ସେ । ସଂସଦୀୟ ଅଧିବେଶନରେ ଅପରାଜିତାଙ୍କ ଯୋଗଦାନ ୯୭ ପ୍ରତିଶତ ଥିବା ବେଳେ ଜାତୀୟ ଓ ରାଜ୍ୟ ହାର ରହିଛି ୮୩ ପ୍ରତିଶତ । ସଂସଦରେ ସେ ୧୦ଟି ବିତର୍କରେ ଅଂଶ ଗ୍ରହଣ କରି ୪୫ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଏହି ତଥ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି କହିଛି ଏ ରିପୋର୍ଟ କାର୍ଡର ମାନେ କିଛି ନାହିଁ । ଲୋକଙ୍କର କାମ କରୁଥିବା ନେତା ରିପୋର୍ଟ କାର୍ଡ଼ ଉପରେ ବିଶ୍ୱାସ କରେନି ।

ବର୍ଷକ ମଧ୍ୟରେ ନିଜ ସଂସଦୀୟ କ୍ଷେତ୍ରରେ କରିଥିବା କାର୍ଯ୍ୟର ହିସାବ ପ୍ରଦାନ କରୁଛନ୍ତି ସାଂସଦ ଅପରାଜିତା। ବର୍ଷକ ମଧ୍ୟରେ ସାଂସଦ ନିଜର ସଂସଦୀୟ କ୍ଷେତ୍ରରେ ୧,୦୦୦ ସୋଲାର ଲାଇଟ ଲଗାଇଥିବା ବେଳେ ୩୨ କୋଟି ଟଙ୍କା ଖର୍ଚ୍ଚରେ ୫.୫ କିମିର ହଂସପାଳ ଫ୍ଳାଏଓଭର ବ୍ରିଜ ନିର୍ମାଣ ପାଇଁ ଶୁଭ ପକାଇଛନ୍ତି । ହଂସପାଳ ଫ୍ଲାଇ ଓଭର ଓ ଭୁବନେଶ୍ୱର-ସୁରଟ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇଥିବା ନେଇ ରିପୋର୍ଟ କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର-ସୁରଟ ବିମାନ ସେବାର ଶୁଭାରମ୍ଭ ସେ କରିଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ ଅଛି ।

ରିପୋର୍ଟ କାର୍ଡ଼ରେ ସାଂସଦ ରୂପେ ନିଜ ଉପଲବ୍ଧିର ଲମ୍ବା ତାଲିକା ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ ।


ପିଏମଏନଆରଏଫ ଜରିଆରେ ୧୦,୫୦,୫୦୦ ଟଙ୍କା ପ୍ରଦାନ, ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସାଂସଦ କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା, ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ଯୋଜନାରେ ବର୍ଷକ ମଧ୍ୟରେ ୭୮,୯୮,୭୪୪ ଟଙ୍କା ପ୍ରଦାନ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମରୋଜଗାର ଯୋଜନାରେ ମିଳିଥିବା ୨୪୯୦.୨୩  ଲକ୍ଷରୁ ୧,୯୮୪.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବା, NRLM ଜରିଆରେ ୧,୨୬୫.୬୦ ଲକ୍ଷ ଟଙ୍କା ପାଇଥିବା ବେଳେ ୧,୨୮୧.୫୫ ଲକ୍ଷ ଖର୍ଚ୍ଚ କରିବା, DDU-GKY ସ୍କିମରେ ୧୫.୨୩ ଲକ୍ଷ ଟଙ୍କା ପାଇଥିବା ବେଳେ ୯,୧୫,୦୦୦ ଟଙ୍କା ଖର୍ଚ୍ଚ କରିବା, PMAY-G୪ ସ୍କିମ ମାଧ୍ୟମରେ ମିଳିଥିବା ୩,୧୩୬ ଲକ୍ଷ ୩୦ ହଜାର ଟଙ୍କାର ଅନୁଦାନ ପୂରା ଖର୍ଚ୍ଚ କରିଛନ୍ତି ବୋଲି ଏହି ରିପୋର୍ଟ କାର୍ଡ଼ରେ ଉଲ୍ଲେଖ ଅଛି । ଜଳ ଜୀବନ ମିଶନ ପାଇଁ ୨୦୧୯-୨୦ ବର୍ଷରେ ମିଳିଥିବା ୫୧ ଲକ୍ଷ ୮୫ ହଜାର ଟଙ୍କାର ଅନୁଦାନ ସମ୍ପୂର୍ଣ୍ଣ ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା


‘‘୨୦୧୯ ମୋ’ ପାଇଁ ଏକ ଚ୍ୟାଲେଞ୍ଜ ଓ ସୁବର୍ଣ୍ଣ ସମୟ ଥିଲା । ସେହି ସମୟରେ ସଙ୍ଘର୍ଷ କରି ମୁଁ ସଫଳତା ପାଇଛି । ଏହାରି ଭିତରେ ସବୁ କାମ କରିବାକୁ ଚେଷ୍ଟା କରିଛି । କିଛି କାମ ବାକି ରହିଛି । ତାହା ଖୁବ ଜଲଦି ଆରମ୍ଭ କରାଯିବ। କରୋନା ପ୍ରତିବନ୍ଧକ ସାଜିଥିବାରୁ କାମ କିଛି ଅଟକି ଯାଇଛି। ପୁଣି ଆସନ୍ତା ବର୍ଷ ରଥ ଯାତ୍ରା ଦିନ ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିବି,’’ କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଏହି ବାର୍ଷିକ ରିପୋର୍ଟ କାର୍ଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି: ‘‘ରାଜ୍ୟର ସବୁ ଠୁ ଆସ୍ଥାଭାଜିତ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ସବୁ ସମସ୍ୟାର ସେ ସମାଧାନ ଯେଭଳି କରନ୍ତି ଲୋକଙ୍କ ଦୁଃଖ ସୁଖର ସାଥି ମଧ୍ୟ ସେମିତି ହୁଅନ୍ତି । ବିଜେଡି କାମରେ ବିଶ୍ୱାସ କରେ, ରିପୋର୍ଟ କାର୍ଡରେ ବିଶ୍ୱାସ କରେନି। ତେଣୁ ଏ ବାର୍ଷିକ ରିପୋର୍ଟ କାର୍ଡ଼ର କିଛି ମାନେ ନାହିଁ ।’’
First published: July 2, 2020, 10:15 PM IST
corona virus btn
corona virus btn
Loading