ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ମାର୍କେଟ ବିଲ୍ଡିଂ; BMC ବୈଠକ ଫେଲ୍

ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମଧ୍ୟରେ ଅନେକ ଦିନରୁ ଲାଗି ରହିଛି ବିବାଦ। ପୋଲିସ ସୁରକ୍ଷା ଭିତରେ ବନ୍ଦ ରହିଛି ଦୋକାନ ବଜାର। ରାଜନୈତିକ କାରଣ ନେଇ ତୁଟୁନି ଶତ୍ରୁତା।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

  • Share this:
News18 Odia Digital

ଭୁବନେଶ୍ବର: ଜବରଦଖଲକୁ ନେଇ ଉତ୍ତେଜନା। ଉଗ୍ର ରୂପ ନେଲା ମାର୍କେଟ ବିଲ୍ଡିଂର ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ। ଅରାଜକତା ସୃଷ୍ଟି ନେଇ ଉଭୟ ଗୋଷ୍ଠିର ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ। କିଛି ଦିନର ବ୍ୟବଧାନରେ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ହିଂ। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ବିଏମସି ସାଜିଛି ନିରବଦ୍ରଷ୍ଟା।

ଭୁବନେଶ୍ବରର ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ବଜାର ହେଉଛି ୟୁନିଟ-୨ ମାର୍କେଟ ବିଲ୍ଡିଂ। ଦିନ ହେଉ ଅଥବା ରାତି ସବୁବେଳେ ଚଳଚଞ୍ଚଳ। ମାର୍କେଟ ବିଲ୍ଡିଂ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ପାଇଁ ବିଏମସି ପକ୍ଷରୁ ପିପିପି ମୋଡରେ ୨୦ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରାଯାଇଥିଲା।

କ୍ରମଶଃ ବଜାର ଭିତରେ ଉଠା ଦୋକାନୀଙ୍କ ଅନଧିକାର ପ୍ରବେଶ ଫଳରେ ମାର୍କେଟର ସୌନ୍ଦର୍ଯ୍ୟ ହ୍ରାସ ପାଇଲା। ରାସ୍ତା ଉପରେ ବସିବାକୁ ଲାଗିଲେ ଶହ ଶହ ସଂଖ୍ୟାରେ ଉଠାଦୋକାନୀ। ରାଜ୍ୟ ବାହାରୁ ଆସି ଜନସାଧାରଣଙ୍କ ଚଲାପଥରେ ବ୍ୟବସାୟ କରିବା ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଲା। ଯାହାକୁ ନେଇ ଉଭୟ ଉଠା ଦୋକାନୀ ଓ ମାର୍କେଟ ବିଲ୍ଡିଂର ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ। ଗତ କାଲି ବିବାଦ ଉଗ୍ର ରୂପ ନେବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟକୁ ବନ୍ଦ କରିଦିଆଯାଇଛି। ଉଠା ଦୋକାନୀଙ୍କୁ ମାର୍କେଟ କ୍ୟାମ୍ପସରୁ ହଟାଇବା ଜିଦରେ ଗୋଟିଏ ଗୋଷ୍ଠୀ ଅଟଳ ଥିବା ବେଳେ ଥଇଥାନ ଦାବି କରିଛନ୍ତି ଉଠା ଦୋକାନୀ।

ମାର୍କେଟ ବିଲ୍ଡିଂରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ପୋଲିସ ମୁତୟନ କରି ସ୍ଥିତି ଉପରେ ନଜର ରଖଯାଇଛି। ଆଜି ଉଭୟ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହ ବିଏମସି କର୍ତ୍ତୃପକ୍ଷ ପୃଥକ ପୃଥକ ଆଲୋଚନା କରିଥିଲେ ହିଁ କୌଣସି ନିଷ୍କର୍ସ ବାହାରିପାରି ନାହିଁ।

ସେପଟେ ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ସମସ୍ୟା ପଛରେ ରାଜନୖତିକ କାରଣ ଥିବା କହିଛନ୍ତି ଖୋଦ୍ ବିଏମସିର ବରିଷ୍ଠ କର୍ପୋରେଟର। ଏଥିରେ ବିଏମସି ହସ୍ତକ୍ଷେପ କରି ଉଠାଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଉଠା ଦୋକାନୀ।

ନିୟମିତ ବ୍ୟବଧାନରେ ଏକା ସମସ୍ୟାକୁ ନେଇ ମାର୍କେଟ ବିଲ୍ଡିଂ ବନ୍ଦ ରହିଆସୁଛି। ତେବେ ଗତ କାଲି ଠାରୁ ବନ୍ଦ ଥିବା ମାର୍କେଟ ବିଲ୍ଡିଂ କେବେ ଖୋଲୁଛି ଓ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦର କି ସମାଧାନ ହେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।
Published by:Lipina Das
First published: