News18 Odia Digital
ଭୁବନେଶ୍ୱର: ନୟାପଲ୍ଲୀ ଥାନା ସିଆରପି ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ଜଣେ ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟିଦେଇଛି । ସୋମବାର ସକାଳେ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇ ପ୍ରସାରିତ ହେବା ପରେ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
ଏହି ଘଟଣା ସକାଳ ପ୍ରାୟ ସାଢେ଼ ୬ଟା ବେଳେ ଘଟିଥିଲା । ଅଂଶୁ ଗୁପ୍ତା ନାମକ ୪୫ ବର୍ଷୀୟା ମହିଳା ପରିବା କିଣିବା ପାଇଁ ସି.ଆର୍.ପି.ଏଫ୍. କ୍ୟାମ୍ପସ୍ ଆଡୁ ସି.ଆର୍.ପି. ଛକ ଆଡ଼କୁ ଚାଲି ଚାଲି ଆସୁଥିବା ବେଳେ ଦୁର୍ବୃତ୍ତର ଆକ୍ରମଣର ଶିକାର ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ସି.ଆର୍.ପି. ଛକ ଠାରୁ ମାତ୍ର ୫୦ ମିଟର୍ ଦୂରରେ ଥିବା ୟୁନିକ୍ ଗାଙ୍ଗୁରାମ ଦୋକାନ ପାଖରେ ଜଣେ ଯୁବକ ପଛରୁ ଆସି ଅଂଶୁଙ୍କଠାରୁ ଲୁଟ୍ କରିବା ପାଇଁ ଉଦ୍ୟମ କରିଥିଲା । ଅଂଶୁ ଯୁବକ ଜଣକୁ ବାଧା ଦେବାରୁ ସେ ଏକ ଧାରୁଆ ଛୁରୀ ବାହାର କରି ତାଙ୍କୁ ଆକ୍ରମଣ କରିଥିଲା । ଅଂଶୁଙ୍କ ତଣ୍ଟିରେ ଛୁରୀ ଲଗେଇ କାଟିଦେଇଥିଲା ସେହି ଯୁବକ । ତାଙ୍କୁ ଆକ୍ରମଣ କରିବା ପରେ ସେ କିଛି ବାଟ ଦୌଡ଼ି ପଳାଇଥିଲା ଓ ପୁଣି ତାଙ୍କ ଆଡ଼କୁ ଫେରିବା ଆରମ୍ଭ କରିଥିଲା । ମାତ୍ର ଅଂଶୁ ଚିତ୍କାର କରିବାରୁ ଓ ସଡ଼କ ଆର ପାଖକୁ ଦୌଡ଼ି ପଳାଇବାରୁ ସେହି ଦୁର୍ବୃତ୍ତ ସେଠାରୁ ଦୌଡ଼ି ପଳେଇଯାଇଥିଲା । ଏହି ସମଗ୍ର ଘଟଣା ସି.ସି.ଟି.ଭି. କ୍ୟାମେରା ଫୁଟେଜରେ କୈଦ ହୋଇଥିଲା ।
ଏହା ବି ପଢ଼ନ୍ତୁ | କେନ୍ଦ୍ର ସହ ଝଗଡ଼ାରେ ମମତାଙ୍କ ‘ଖେଲା’: ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ନ ଛାଡ଼ି ନିଜ ମୁଖ୍ୟ ପରାମର୍ଶଦାତା କଲେ

ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।
‘‘ସକାଳୁ ସକାଳୁ ମୋ’ ପତ୍ନୀ ପରିବା କିଣିବା ପାଇଁ ବଜାରକୁ ଯାଉଥିଲା ବେଳେ ଏହି ଆକ୍ରମଣ ଘଟିଥିଲା । ଯେହେତୁ ସେ ସବୁ ଦିନ ମର୍ଣ୍ଣିଂ ୱାକ୍ କରନ୍ତି, ତେଣୁ ସେ ଚାଲି ଚାଲି ବଜାରକୁ ଯାଉଥିଲେ । ଯୁବକ ଜଣକ ପ୍ରଥମେ ମୋ’ ପତ୍ନୀ ହାତରେ ପିନ୍ଧିଥିବା ସୁନା ଚୁଡ଼ି ଓ ମୋବାଇଲ ଫୋନ୍ ମାଗିଥିଲା । ଅଂଶୁ ନ ଦେବାରୁ ସେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ବେକ ଓ ତଣ୍ଟିରେ ଶକ୍ତ ଆଘାତ ଲାଗିଥିଲା,’’ କହିଛନ୍ତି ଅଂଶୁଙ୍କ ସ୍ୱାମୀ ଅମିତ ଗୁପ୍ତା । ସେ ନିଜ ପରିବାର ସହ ଏନ୍-୩ ଅଞ୍ଚଳରେ ଭଡ଼ାରେ ରହନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପୂର୍ବରୁ ୨ ଥର ବାହା ହୋଇଥିବା ବ୍ରିଟେନ୍ର PM ବୋରିସ୍ ଜନସନ୍ ପ୍ରେମିକା କ୍ୟାରୀଙ୍କୁ ବିବାହ କଲେ
ଲକଡାଉନ୍ ଯୋଗୁଁ ରାଜଧାନୀର ବିଭିନ୍ନ ଛକରେ ପୋଲିସ ଚେକିଂ ଚାଲିଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରି କେମିତି ଖସିଗଲା ଓ ପୋଲିସ ଏ ପର୍ଯ୍ୟନ୍ତ ଟେର୍ ପାଇଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଆକ୍ରମଣ ହୋଇଥିବା ସ୍ଥାନ ନିକଟରେ ପରିବା ବିକୁଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ ଅଂଶୁଙ୍କ ଚିତ୍କାର ଶୁଣି ସେ ଓ ଆଉ ଜଣେ ଦୁଇ ଜଣ ଲୋକ ସେହି ଯୁବକକୁ ଧରିବା ପାଇଁ କିଛି ବଟ ଗୋଡ଼େଇଥିଲେ ।
ଏହା ବି ପଢ଼ନ୍ତୁ | RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ୫ ଦିନ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍ସ୍କ୍ରିପ୍ସନ୍ ଖୋଲିଲା

ସି.ଆର୍.ପି. ଛକ ଠାରୁ ମାତ୍ର ୫୦ ମିଟର୍ ଦୂରରେ ଥିବା ୟୁନିକ୍ ଗାଙ୍ଗୁରାମ ଦୋକାନ ପାଖରେ ଘଟିଥିଲା ଏହି ଘଟଣା ।
‘‘ହେଲେ ସେ ଯୁବକ ଖୁବ୍ ଜୋରରେ ଦୌଡ଼ି ଚମ୍ପଟ ମାରିଥିଲା । ଏହି ଅଞ୍ଚଳରେ ଲୁଟପାଟ୍ କିଛି ନୂଆ କଥା ନୁହେଁ । ପ୍ରତି ମାସ ଏମିତି ଘଟଣା ଘଟୁଛି । ପୋଲିସ ପାଟ୍ରୋଲିଂ କରୁଛି, ହେଲେ ଗାଡି଼ରେ ଆସି ପୋଲିସ ଚାଲିଯିବା ପରେ ଜେସାକୁ ତେସା ଏଠିକାର ହାଲ୍,’’ କହିଛନ୍ତି ପରିବା ବ୍ୟବସାୟୀ ।
ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ କହିଛନ୍ତି ଯେ ପୋଲିସ ପାଖରେ ଏହି ଘଟଣାର ଖବର ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛୁ । ‘‘ନୟାପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ଲାଗିଥିବା ସି.ସି.ଟି.ଭି. ଫୁଟେଜକୁ ଜବତ କରି ଅନୁଧ୍ୟାନ କରାଯାଉଛି । ଯୁବକ ଜଣକ ମୁହଁରେ ମାସ୍କ ପିନ୍ଧିଛି । ତଥାପି ଆଖପାଖ ଅଞ୍ଚଳର ହୋଇଥିବା ସନ୍ଦେହ କରୁଛି ପୋଲିସ । ତାକୁ ଧରିବା ପାଇଁ ଏବେ ଚଢ଼ାଉ ଚାଲିଛି,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।