News18 Odia Digital
ଭୁବନେଶ୍ବର: ପାଖାପାଖି ପାଞ୍ଚ ମାସ ପରେ ଖୋଲିବ ଲିଙ୍ଗରାଜ ମନ୍ଦିର। ଶ୍ରାବଣ ମାସରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିବାକୁ ଭକ୍ତମାନଙ୍କ ସମାଗମ ହୁଏ। ହେଲେ କୋଭିଡ ପାଇଁ ମନ୍ଦିରକୁ ବନ୍ଦ କରିବା ସହ ଭକ୍ତଙ୍କ ଦର୍ଶନ ଉପରେ ବାରଣ କରିଥିଲେ ରାଜ୍ୟ ସରକାର। ଯାହାକୁ ନେଇ ସାଢ଼େ ଚାରି ମାସ ହେବ ବନ୍ଦ ରହିଥିଲା ମନ୍ଦିର। ହେଲେଏବେ ଶୀଘ୍ର ମନ୍ଦିର ଖୋଲିବାକୁ ନିଆଯାଇଛି ନିଷ୍ପତ୍ତି ।
ଅଗଷ୍ଟ ୨୩ ରୁ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ବି.ଏମ.ସି. ଅନୁମତି ଦେଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଆସନ୍ତା ମାସ ପହିଲାରୁ ଖିଲିବାକୁ ଟ୍ରଷ୍ଟ ବୋର୍ଡ଼ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ଆସନ୍ତା ପହିଲାରୁ ଆରମ୍ଭ ହେବ ଲିଙ୍ଗରାଜ ବାବାଙ୍କ ଦର୍ଶନ । ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୂଯାୟୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ରାଜଧାନୀରେ ଏ ମାସ ୨୩ ତାରିଖରୁ ଅନ୍ୟାନ୍ୟ ମନ୍ଦିର ଖୋଲିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର ଓ ସର୍ବସାଧାରଣ କରିପାରିବେ ବାବାଙ୍କ ଦର୍ଶନ।

କରୋନା ପାଇଁ ୫ ମାସ ହେଲାଣି ବାବାଙ୍କ ଦର୍ଶନ କରିନାହାଁନ୍ତି ଭକ୍ତମାନେ
କୋଭିଡ ନିୟମାବଳୀ ସହ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼। କେବଳ ଆଡକାଡ ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିବା ବେଳେ ଗର୍ଭଗୃହ ଦର୍ଶନ ବାରଣ ହୋଇଛି ସର୍ବସାଧାରଣଙ୍କ ପାଇଁ। ଏହା ସହ କୌଣସି ପ୍ରକାର ଭୋଗରାଜ ହୋଇପାରିବ ନାହିଁ ମନ୍ଦିର ଭିତରେ । ଏକକାଳୀନ ସିଂହଦ୍ୱାରରୁ ମନ୍ଦିର ଭିତରେ ୧୦୦ ଜଣ ଭକ୍ତ ରହି ଦର୍ଶନ କରିପାରିବେ। ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ଭକ୍ତମାନେ ଦୁଇ ଟିକାର ଦୁଇଟି ଡୋଜ୍ ନେଇଥିବା ଜରୁରୀ।
ଏହି ପ୍ରସଙ୍ଗରେ ଅତିରିକ୍ତ କମିଶନର, ବି.ଏମ.ସି. ବୋଲିଲକ୍ଷ୍ମୀକାନ୍ତ ସେଠି କହିଛନ୍ତି, "ଯେଉଁ ଗାଇଡ଼ଲାଇନ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ପାଇଁ ରହିଛି ସେହି ନିୟମ ଲିଙ୍ଗରାଜ ପାଇଁ ମଧ୍ୟ ଲାଗୁ ହୋଇଛି। କେବଳ ମନ୍ଦିର ଖୋଲିବା ନିଷ୍ପତ୍ତି ଟ୍ରଷ୍ଟ ବୋର୍ଡ଼ ହାତରେ ଥିଲା। ଯାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧ରୁ ଖୋଲିବ। ଏହା ସହ ଟିକାର ଦୁଇଟି ଡୋଜ୍ ଯେଉଁମାନେ ନେଇନାହାନ୍ତି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାକୁ ମନା ହୋଇଛି ।’’
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୁଧବାର ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ବୈଠକ ବସିଥିଲା। ସେଥିରେ ପହିଲାରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ସମସ୍ତ ନିୟମ କେମିତି କଡ଼ାକଡ଼ି ପାଳନ ହେବ ସେ ଦାୟିତ୍ୱ ମନ୍ଦିର ପ୍ରଶାସନ ନେଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ, ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ପ୍ରସନ୍ନ କୁମାର ଦାଶ କହିଛନ୍ତି।
ଗତ ଏପ୍ରିଲ ମାସ ୧୮ ତାରିଖରୁ କୋଭିଡର ଦ୍ଵିତୀୟ ଲହରୀ ପାଇଁ ବନ୍ଦ ହୋଇଥିଲା ଲିଙ୍ଗରାଜ ମନ୍ଦିର। ପ୍ରତିଦିନ ନୀତିକାନ୍ତି ଚାଲୁ ରହିଥିବାବେଳେ ପାଞ୍ଚ ମାସ ହେବ ଭକ୍ତମାନେ କରିପାରି ନଥିଲେ ଦର୍ଶନ। ହେଲେ ଆସନ୍ତା ପହିଲାରୁ ମନ୍ଦିର ଖୋଲିବା ସହ ସେବା ପୂଜା ଦାୟିତ୍ବରେ ଥିବା ପୂଜକ କୋଭିଡ ଦୁଇଟି ଟିକା ନେଇଥିବା ଜରୁରୀ । ଏବେ ବି ଅଧିକାଂଶ ସେବାୟତ ଟିକା ନେଇ ନଥିବାବେଳେ ତାଙ୍କୁ ପ୍ରାଥମିକତା ଦେଇ ଟିକା ନେବାର ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ନଚେତ ସେମାନେ ମନ୍ଦିର କାମରୁ ବଞ୍ଚିତ ରହିବେ। ସେହିଭଳି ଭକ୍ତମାନେ ମଧ୍ୟ ଶ୍ରାବଣ ମାସରେ ପ୍ରଭୁଙ୍କ ଦର୍ଶନ ନ ପାଇ ଦୁଃଖ ପ୍ରକାଶ କରିଥିବାବେଳେ ସେପ୍ଟେମ୍ବର ମାସରୁ ଦର୍ଶନ ନେଇ ଖୁସି ଅଛନ୍ତି।
ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ବିରଞ୍ଚି ନାରାୟଣ ପତି କହିଛନ୍ତି, "ଅନେକ ଅଭାବ ଦେଇ ଗତି କରୁଥିଲେ ସେବାୟତ ଓ ପୂଜକ। ସ୍ଥିତି ସାମାନ୍ୟ ସୁଧୁରିବା ପରେ ଏବେ ଦର୍ଶନ ଆରମ୍ଭ ହେବ। ଏବେ ବି ଅନେକ ସେବାୟତ ଟିକା ନେଇନାହାନ୍ତି । ଯେଉଁମାନେ ଟିକା ନେଇନାହାନ୍ତି ତାଙ୍କୁ ସେବା ପୂଜାରୁ ବାଦ୍ ଦେବୁ ।"
ଆମେ ମାସ ମାସ ଧରି ମନ୍ଦିର ଯାଇନାହୁଁ। ଦେଶବ୍ୟାପୀ ସବୁଠି ବନ୍ଦ ମନ୍ଦିର। ଶ୍ରାବଣ ମାସରେ ଶିବ ଦର୍ଶନ ହୋଇନି। ନିଶ୍ଚିତ କଷ୍ଟ ଲାଗୁଛି। ଏବେ ମନ୍ଦିର ଖୋଲିଲେ ଦର୍ଶନ କରିବୁ। ନିୟମ ମାନି ମନ୍ଦିର ଖୋଲିବା ଦରକାର ବୋଲି ରାଜଧାନୀ ବାସୀ ନିବେଦିତା କହିଛନ୍ତି।
ମହାପ୍ରଭୁଙ୍କର ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି କରାଯାଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା' ଭୁବନେଶ୍ବରୀ, ମା' ପାର୍ବତୀଙ୍କ ପାଇଁ ତିନି ଗୋଟି ରୂପାର ପ୍ରଭା ତିଆରି କରିବା ସହ ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।