ଭୁବନେଶ୍ବର: ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର ଆରମ୍ଭ ହୋଇଛି ତନାଘନା । ମଞ୍ଚେଶ୍ବର ଥାନାରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ FIR ରୁଜୁ ହେବା ପରେ ସ୍କୁଲରେ ପହଞ୍ଚିଛି ପୋଲିସ ।
FIR ରେ ଛାତ୍ରୀଙ୍କ ମା’ ପ୍ରତିଭା ସାସମଲ ଉଲ୍ଲେଖ କରିଛନ୍ତି ଯେ ଖେଳ ଶିକ୍ଷୟିତ୍ରୀ ଝିଅର ଚରିତ୍ରକୁ ଆକ୍ଷେପ କରିଥିଲେ ।
’’ମୋ ଝିଅର ଆତ୍ମହତ୍ୟା ଉଦ୍ୟମ ପାଇଁ ସ୍କୁଲ କର୍ତ୍ତୃପକ୍ଷ ହିଁ ଦାୟୀ । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଖେଳ ଶିକ୍ଷୟିତ୍ରୀଙ୍କୁ ଛାଡ଼ି ଅନ୍ୟ ଜଣେ ଶିକ୍ଷକ ବି ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ,‘‘ କହିଛନ୍ତି ପ୍ରତିଭା ସାସମଲ ।

ଅଭିଭାବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି
ଶନିବାର ସକାଳୁ ସକାଳୁ ପୋଲିସ ସ୍କୁଲରେ ପହଞ୍ଚି ସରଜମିନ ତଦନ୍ତ କରିବା ସହ ଉଭୟ ସ୍କୁଲ ଅଧ୍ୟକ୍ଷା ପ୍ରୀତି ରାୟ ଏବଂ ପିଇଟି ଶିକ୍ଷୟିତ୍ରୀଙ୍କ ବୟାନ ରେକର୍ଡ କରିଛି । ସେପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରୀତି ରାୟ ।
“ସ୍କୁଲ ଭିତରେ ନୁହେଁ, ବରଂ ବାହାରେ ଥିବା ଷ୍ଟାଫ୍ କ୍ବାର୍ଟର୍ସ କୋଠାରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ,” କହିଛନ୍ତି ରାୟ ।

ଛାତ୍ରୀଜଣକର ଦୁଇଟିଯାକ ଗୋଡ଼ର ହାଡ଼ ଭାଙ୍ଗିଯାଇଛି
ଛାତରୁ ଡେଇଁବା ପରେ ଗୁରୁତର ଆହତ ହୋଇପଡ଼ିଛନ୍ତି ଛାତ୍ରୀଜଣକ । ତାଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗିଯାଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ଠାରୁ ସେ ମୁହଁ ଖୋଲୁ ନାହାଁନ୍ତି ।
ଘଟଣା ପରେ ସ୍କୁଲ ପରିସରରେ ଜମାହୋଇଥିବା ଅଭିଭାବକମାନଙ୍କ ମଧ୍ୟରେ ଦେଖା ଦେଇଥିଲା ପ୍ରବଳ ଅସନ୍ତୋଷ । ସ୍କୁଲ ଆଗରେ ଧାରଣା ଦେଇଥିଲେ ଅଭିଭାବକମାନେ । ସେମାନଙ୍କ କହିବା କଥା ହେଲା ଯେ ଏମିତି ଘଟଣା ନୂଆ ନୁହେଁ । ସ୍କୁଲରେ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏଭଳି ନିର୍ଯାତନା ଦିଆଯାଇଛି, ଯାହା ସମ୍ପୂର୍ଣ୍ଣ ବେଆଇନ । ତୁରନ୍ତ ଏସବୁ ବନ୍ଦ କରାଯାଉ ବୋଲି ଦାବି ଜଣାଇଥିଲେ ଅଭିଭାବକମାନେ ।

ସ୍କୁଲ ଅଧ୍ୟକ୍ଷା ପ୍ରୀତି ରାୟ
ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ଭାସ୍ବତୀ ପଟ୍ଟନାୟକ କହିଛନ୍ତି ଯେ ଆଘାତ ଦେବା ଭଳି ଯେ କୌଣସି କଥା ଛୋଟ ପିଲାଙ୍କ ମନରେ ଗଭୀର ରେଖାପାତ କରେ ।
“କର୍ମବ୍ୟସ୍ତତା ଭିତରେ ବାପାମାଆ ପିଲାମାନଙ୍କୁ ଅଧିକ ସମୟ ଦେଇପାରୁନାହାନ୍ତି । ପିଲାଙ୍କ ଭିତରେ ବଢୁଛି ଏକାକୀପଣ । ତେଣୁ ସ୍କୁଲରେ ଶିକ୍ଷକ-ଶିକ୍ଷୟିତ୍ରୀ ପିଲାଙ୍କର ସର୍ବୋତ୍ତମ ଯତ୍ନ ନେବା ଦରକାର,” କହିଛନ୍ତି ଭାସ୍ବତୀ ପଟ୍ଟନାୟକ ।
ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ପରିସ୍ଥିତିରେ କୋଠାର ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ? ତାଙ୍କ ସହ ଏମିତି କଣ ଘଟିଥିଲା ଯେ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଗଲେ? ଛାତ୍ରୀ ଜଣକ ତିନି ମହଲା କୋଠାର ଛାତ ଉପରକୁ ଚଢି଼ବା ବେଳେ କେମିତି ସ୍କୁଲ କର୍ତ୍ତୃପକ୍ଷ ଜାଣି ପାରି ନଥିଲେ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଜୁଛି ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।