ସାଇବର୍ ଠକେଇରେ ଭୁବନେଶ୍ବର ଦେଶରେ ୪ ନମ୍ବରରେ; କେମିତି ରକ୍ଷା ପାଇବେ ଜାଣନ୍ତୁ

ଏକ ସର୍ଭେ ରିପୋର୍ଟ ଅନୁସାରେ ରାଜଧାନୀ ଭୁବନେଶ୍ବରରେ ପାଖାପାଖି ୪୩ ପ୍ରତିଶତ ଡିଜିଟାଲ୍‌ ବ୍ୟବହାରକାରୀ ସାଇବର୍ ଠକେଇର ଶିକାର ହେଉଛନ୍ତି । ଦିନକୁ ଦିନ ଏହି ପ୍ରତିଶତ ବଢିବାରେ ଲାଗିଛି । ଏ ପ୍ରକାର ଠକେଇରୁ ରକ୍ଷା ପାଇବା ପାଇଁ ସାଇବର ଏକ୍ସପର୍ଟମାନେ ଉପାୟ କହିଛନ୍ତି ।

ସାଇବର୍ ଠକେଇରେ ଭୁବନେଶ୍ବର ଦେଶରେ ୪ ନମ୍ବରରେ; କେମିତି ରକ୍ଷା ପାଇବେ ଜାଣନ୍ତୁ
ଭୁବନେଶ୍ବରର ପ୍ରାୟ ୪୩% ଲେକ ସାଇବର୍ ଠକେଇର ଶିକାର ହେଉଛନ୍ତି ।
  • News18 Odia
  • Last Updated: January 6, 2020, 12:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଗତ କିଛି ବର୍ଷ ଭିତରେ ରାଜଧାନୀ ଭୁବନେଶ୍ବରରେ ସାଇବର୍‌ ଠକେଇ ଘଟଣା ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଏବେ ଏ ମାମଲାରେ ଭୁବନେଶ୍ବର ହେଉଛି ଦେଶର ଚାରି ନମ୍ବର ସହର । ଏଇ ନୂଆ ପରିଚ଼ୟ ପରେ ସାଇବର୍‌ ଏକ୍ସପର୍ଟ ଓ ବୁଦ୍ଧିଜୀବୀମାନେ ଚ଼ିନ୍ତା ବ୍ୟକ୍ତ କରିଛନ୍ତି ଓ କିଛି ଉପାୟ ବି ବତେଇଛନ୍ତି ।

ସାଇବର୍‌ ଠକେଇ ଘଟଣାର ତାଲିକାର ସବା ଉପରେ ବିହାରର ରାଜଧାନୀ ପାଟନା ସହର ଥିବା ବେଳେ ଦ୍ବିତୀୟ ସ୍ଥାନରେ ଆସାମ୍‌ର ରାଜଧାନୀ ଅଛି ଗୌହାଟୀ ଓ ତୃତୀୟ ସ୍ଥାନରେ ଅଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହର । ନିକଟରେ ଏକ ଘରୋଇ ଆଣ୍ଟିଭାଇରସ୍‌ କମ୍ପାନୀର ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜଧାନୀ ଭୁବନେଶ୍ବରର ପ୍ରାୟ ୪୩ ପ୍ରତିଶତ ଡିଜିଟାଲ୍‌ ବ୍ୟବହାରକାରୀ ସାଇବର୍‌ ଠକେଇର ଶିକାର ହେଉଛନ୍ତି । ଦିନକୁ ଦିନ ଏହି ପ୍ରତିଶତ ବଢିବାରେ ଲାଗିଛି । ଠକେଇମାନଙ୍କ ଭିତରେ ଅଛି ମୋବାଇଲ୍‌ ଫ୍ରଡ୍‌, ବ୍ୟାଙ୍କିଂ ଫ୍ରଡ୍‌, ରାନ୍‌ସମ୍‌ୱେୟାର ଆଟାକ୍‌ ଓ ହୋକ୍ସ କଲ୍‌ ଆଦି ।

‘‘ବିଡମ୍ବନା ଏହା ଯେ ଅଧିକାଂଶ ସାଇବର ଆଟାକର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ସାଇବର ଠକେଇ ବାବଦରେ ସଚେତନ ନୁହନ୍ତି,’’ କହିଛନ୍ତି ସାଇବର ଏକ୍ସପର୍ଟ ତଥା ସୂର୍ଯ୍ୟନନ୍ଦନ ଡଟ୍‌ ନେଟର ସିଇଓ ପ୍ରଶାନ୍ତ ସାହୁ ।

ସାଇବର ଏକ୍ସପର୍ଟ ତଥା ସୂର୍ଯ୍ୟନନ୍ଦନ ଡଟ୍‌ ନେଟର ସିଇଓ ପ୍ରଶାନ୍ତ ସାହୁ


ଭୁବନେଶ୍ବରରେ ସାଇବର ଆଟାକ୍‌ ବଢିବାର କାରଣ ମୁଖ୍ୟତଃ ଶସ୍ତା ଇଣ୍ଟଣନେଟ୍‌ ଡାଟାର ଉପଲବ୍ଧି ଓ ଜନ ସଚେତନତାର ଅଭାବ । ‘‘ଗୋଟିଏ ପଟେ ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ସିଟିରେ ଦେଶରେ ନମ୍ବର ୱାନ ହୋଇଥିବା ବେଳେ ସାଇବର ଆଟାକ୍‌ ବା ଡିଜିଟାଲ୍‌ ଠକେଇରେ ଦେଶରେ ୪ ନମ୍ବର ସହର ଭାବେ ନାମିତ ହୋଇଛି । ଶସ୍ତା ଇଣ୍ଟଣନେଟ୍‌ ଡାଟାର ଉପଲବ୍ଧି ଓ ଜନ ସଚେତନତାର ଅଭାବ ଯୋଗୁଁ ଏହା ହେଉଛି। ଅଧିକାଂଶ ଲୋକ ସାଇବର ଆଟାକ ବାବଦରେ ସଚେତନ ନୁହନ୍ତି,’’ କହିଛନ୍ତି ସାହୁ ।

କେବଳ ଯେ ସାଇବର ଆଟାକ ବାବଦରେ ସଚେତନ ନ ଥିବା ଲୋକେ ହିଁ ଏହାର ଶିକାର ହେଉଛନ୍ତି ତାହା ନୁହେଁ, ବରଂ ସାଇବର ଠକେଇକୁ ନେଇ ସଚେତନଥିବା ଲୋକେ ମଧ୍ୟ ଅଧିକାଂଶ  ସମୟରେ ଠକାମୀର ଶିକାର ହେଉଛନ୍ତି । ‘‘ଏହାର କାରଣ ହେଲା ବ୍ୟସ୍ତବହୁଳ ସହରୀ ଜୀବନ । ଚାକିରୀକୁ ନେଇ ଅନେକ ବ୍ୟକ୍ତି ସବୁ ଜାଣି ମଧ୍ୟ ଅନେକ ସମୟରେ ଠକାମୀରେ ପଡିଥାନ୍ତି,’’ କହିଛନ୍ତି ପ୍ରଶାନ୍ତ ସାହୁ ।

‘‘ଜନସାଧାରଣ ଏବେ ଅଧିକରୁ ଅଧିକ ଡିଜିଟାଲ୍‌ ବ୍ୟବହାରକୁ ଗୁରୁତ୍ବ ଦେଉଥିବା ବେଳେ ସେହି ଅନୁସାରେ ସକ୍ରିୟ ହେଉଛନ୍ତି ସାଇବର ଅପରାଧୀ । ସେମାନେ ଫୋନ୍‌ କଲ୍‌, ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଓ ରାନ୍‌ସମ୍‌ୱେୟାର ଆଟାକ ଜରିଆରେ ଠକିବାକୁ ଉଦ୍ୟମ କରୁଛନ୍ତି । ସେମାନଙ୍କ ନିରନ୍ତର ଠକିବାକୁ ଉଦ୍ୟମ ଦ୍ୱାରା ସେମାନଙ୍କ ଜାଲରେ ଫସୁଛନ୍ତି ପ୍ରାୟ ୪୩ ପ୍ରତିଶତ ରାଜଧାନୀ ବାସିନ୍ଦା,’’ କହିଛନ୍ତି ସାଇବର ଏକ୍ସପର୍ଟ ଚିରାଗ ।

ସାଇବର ଏକ୍ସପର୍ଟ ଚିରାଗ


ରାଜଧାନୀର ବୁଦ୍ଧିଜୀବୀମାନଙ୍କ ମତରେ ସହରୀ ଜୀବନରେ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଏଭଳି ସାଇବର ଆଟାକରେ ଠକାମୀରେ ପଡିବା ଘଟଣା ବଢିବାରେ ଲାଗିଛି । ସେମାନେ ଏଥି ପାଇଁ କିଛି ମାତ୍ରାରେ ସରକାରଙ୍କୁ ବି ଦାୟୀ କରିଛନ୍ତି ।

‘‘ସରକାର ଡିଜିଟାଲ୍‌ ବ୍ୟବହାରକୁ ଗୁରୁତ୍ବ ଦେଇଚ଼ାଲିଛନ୍ତି । ହେଲେ ସେହି ଅନୁସାରେ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନ କରାଇବାକୁ ଯଥେଷ୍ଟ ଉଦ୍ୟମ କରିପାରିନାହାନ୍ତି । ସାଇବର ଠକେଇ ବଢିବାର ଏଇଟା ଗୋଟେ ମୁଖ୍ୟ କାରଣ,’’ କହିଛନ୍ତି ବ୍ୟବସାୟୀ ଦେବାଶିଷ ମିଶ୍ର ।

ନିକଟରେ ଅନ୍‌ଲାଇନରେ ଗ୍ୟାସ ଏଜେନ୍ସି ସହିତ କାରବାର କରି ଭିଏସଏସ ନଗରର ଜଣେ ଯୁବକ ଏଭଳି ଠକାମୀର ଶିକାର ହୋଇଛନ୍ତି । ତେବେ ସାମାନ୍ୟ ସତର୍କତା ଅବଲମ୍ବନ କଲେ କ୍ରମାଗତଭାବେ ବଢିବାରେ ଲାଗିଥିବା ସାଇବର ଠକେଇ ରାଜଧାନୀରେ କମିପାରିବ ବୋଲି ସାଇବର ଏକ୍ସପର୍ଟମାନେ ମତ ଦେଇଛନ୍ତି ।

ପ୍ରଶାନ୍ତ ସାହୁଙ୍କଙ୍କ ଟିପ୍ସ:

* ଅନ୍‌ଲାଇନରେ ଅର୍ଥ ଦେବାନେବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ ।

* ଫୋନରେ କାହାକୁ ଡେବିଟ୍‌ ବା କ୍ରେଡିଟ୍‌ କାର୍ଡର ନମ୍ବର କିମ୍ବା ପିନ୍‌ ଦିଅନ୍ତୁ ନାହିଁ ।

* କୌଣସି ଇ-ମେଲ୍‌ରେ କିଛି ବି ତଥ୍ୟ ସେୟାର କରନ୍ତୁ ନାହିଁ ।

* ଅଜଣା ଉତ୍ସରୁ ଆସିଥିବା ଇ-ମେଲ ଉପରେ କ୍ଲିକ୍‌ କରିବା ପୂର୍ବରୁ ଏହାକୁ ପରଖି ନିଅନ୍ତୁ ।

* ଅନେକ ସମୟରେ ଲୋକପ୍ରିୟ ସଂସ୍ଥା ନାଁରେ ଫ୍ରଡ୍‌ ମେଲ୍‌ ବା କଲ୍‌ ଆସିଥାଏ । ଏହାକୁ ଅଣଦେଖା କରନ୍ତୁ ।

* ନିଜ ପିସି, ଲାପଟାପ୍‌ କିମ୍ବା ମୋବାଇଲରେ ମାନ୍ୟତାପ୍ରାପ୍ତ ଆଣ୍ଟିଭାଇରସ୍‌ ବ୍ୟବହାର କରନ୍ତୁ ।

* ନିଜ ମୋବାଇଲରେ କିଛି ବି ‘ଆପ୍‌’ ଯାଞ୍ଚ କରିବା ପରେ ହିଁ ଡାଉନଲୋଡ୍‌ କରନ୍ତୁ ।
Published by: Anand Shankar Thankur Das
First published: January 6, 2020, 12:02 PM IST
corona virus btn
corona virus btn
Loading