ଛାତ୍ରୀଙ୍କ ଦେହରେ ଗୁଳି: ତ୍ରିକୋଣୀୟ ପ୍ରେମ କାହାଣୀର ଜଘନ୍ୟ ଅନ୍ତ ହେଉଁ ହେଉଁ ଅଟକି ଗଲା

ଛାତ୍ରୀ ଓ ଅପରାଧୀ ଆଶିଷଙ୍କ ମଧ୍ୟରେ ‘‘ଶାରୀରିକ ରୋମାନ୍ସ’’ ଚ଼ାଲିଥିବା ବେଳେ ହଠାତ୍ ପୂର୍ବ ପ୍ରେମିକ ପ୍ରଦୀପ ଘର ଭିତରକୁ ପ୍ରବେଶ କରିଥିଲା ଓ ଏଥିରେ ହଡ଼ବଡ଼େଇ ଆଶିଷ ନିଜ ବନ୍ଧୁକରୁ ତା’ ଉପରକୁ ଗୁଳି ଚ଼ଳାଇଥିଲା ବୋଲି କୁହାଯାଉଛି । ଛାତ୍ରୀଙ୍କ ଜଙ୍ଘରେ ଗୁଳି ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ ।

ଛାତ୍ରୀଙ୍କ ଦେହରେ ଗୁଳି: ତ୍ରିକୋଣୀୟ ପ୍ରେମ କାହାଣୀର ଜଘନ୍ୟ ଅନ୍ତ ହେଉଁ ହେଉଁ ଅଟକି ଗଲା
ଏନ୍‌.ଆଇ.ଏଫ୍‌.ଡି.ରେ ଫ୍ୟାସନ୍‌ ଡିଜାଇନ କୋର୍ସ କରୁଥିବା ଛାତ୍ରୀ
  • News18 Odia
  • Last Updated: February 14, 2020, 2:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପହରେ ରହସ୍ୟମୟ ଢଙ୍ଗରେ ନିଜ ଦେହରେ ଗୁଳି ବାଜି ଆହତ ହୋଇଥିବା ଛାତ୍ରୀଙ୍କୁ ନେଇ କିଛି ମାସ ତଳେ ଗଢ଼ି ଉଠିଥିଲା ଏକ ତ୍ରିକୋଣୀୟ ପ୍ରେମ କାହାଣୀ । ସେହି କାହାଣୀ ଏଇ ତିନି ଜଣ ଯୁବାଙ୍କ ବେପରୱାପଣ ଯୋଗୁଁ ଏକ ଜଘନ୍ୟ ଅନ୍ତ ଆଡ଼କୁ ଗତି କରୁଥିବା ବେଳେ ଏକ ଜଟିଳ ମୋଡ଼ରେ ଅଟକିଯାଇଥିଲା, ଆଉ କାହାଣୀର ତିନି ପ୍ରମୁଖ ଚ଼ରିତ୍ର ହଠାତ ଲୋକଲୋଚ଼ନକୁ ଆସିଯାଇଥିଲେ ।

କମିଶନରେଟ୍‌ ପୋଲିସ ଏହି ସମଗ୍ର ‘‘ପ୍ରେମ, ଅପରାଧ ଓ ବନ୍ଧୁକ’’ ମାମଲାର ଅନୁସନ୍ଧାନ କରୁଥିବା ବେଳେ ଏ ମାମଲା ସହ ଜଡ଼ିତ ବିଭିନ୍ନ ତଥ୍ୟ ଗୋଟେ ପରେ ଗୋଟେ ସାମନାକୁ ଆସୁଛି । ସେଦିନ ସେ ଛାତ୍ରୀଙ୍କ ସହ ଥିବା ତାଙ୍କ ଅପରାଧୀ ବୟଫ୍ରେଣ୍ଡ ଆଶିଷ ନାୟକ ଗିରଫ ହେବା ପରେ ଗିରଫ ହୋଇଛି ତା‘ର ପୂର୍ବ ପ୍ରେମିକ ପ୍ରଦୀପ କୁମାର ଅଗସ୍ତି । ସେ କହିଥିବା କଥାରୁ ଏଯାବତ୍‌ ଜଣାଥିବା ତଥ୍ୟକୁ ପୁଣି ଆଉଥରେ ବୁଝିବାକପ ଚ଼େଷ୍ଟା କରୁଛି ପୋଲିସ ।

ସେଦିନ ନିଜ ଜଙ୍ଘରେ ଗୁଳି ବାଜି ଆହତ ହେବା ସମୟରେ ଏନ୍‌.ଆଇ.ଏଫ୍‌.ଡି.ରେ ଫ୍ୟାସନ୍‌ ଡିଜାଇନ କୋର୍ସ କରୁଥିବା ଏହି ଛାତ୍ରୀ ଘରେ ଥିଲା ଅପରାଧୀ ଆଶିଷ । ବନ୍ଧୁକଟି ଆଶିଷର ବୋଲି କହିଛି ପୋଲିସ । ସୂତ୍ରଙ୍କ ଅନୁସାରେ ଛାତ୍ରୀ ଓ ଆଶିଷଙ୍କ ମଧ୍ୟରେ ‘‘ଶାରୀରିକ ରୋମାନ୍ସ’’ ଚାଲିଥିବା ବେଳେ ହଠାତ୍ ଘର ଭିତରକୁ ପ୍ରବେଶ କରିଥିଲା ପ୍ରଦୀପ । ଏଥିରେ ଆଶିଷ ହଡ଼ବଡ଼େଇ ଯାଇ ପାଖରେ ଥିବା ବନ୍ଧୁକରୁ ଗୁଳି ଚ଼ଳାଇଥିଲା । ପ୍ରଦୀପ ରକ୍ଷା ପାଇଯାଇଥିଲା, ହେଲେ ଛାତ୍ରୀଙ୍କ ଜଙ୍ଘରେ ଗୁଳି ଲାଗିଥିଲା ଓ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅନୁସନ୍ଧାନରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କର ବାସ୍ନା ବାରିଛି ପୋଲିସ । ୨୮ ବର୍ଷୀୟ ପ୍ରଦୀପର ଘର ବାଲେଶ୍ୱରରେ, ଯେଉଁ ସହରରେ ଏହି ଛାତ୍ରୀଙ୍କ ଘର । ଆଶିଷର ଘର ଜଗତସିଂପୁରରେ । ଗିରଫ ହୋଇ ଜେଲ ଯିବା ବେଳେ ନ୍ୟୁଜ୍18 ଡିଜିଟାଲକୁ ପ୍ରଦୀପ (୨୮) କହିଛି ଛାତ୍ରୀଙ୍କ ସହ ତା’ର ବହୁ ଦିନର ପ୍ରେମ ସମ୍ପର୍କ ବିଷୟରେ ।

ଅପରାଧୀ ତଥା ଦୁଇ ନମ୍ବର ବୟଫ୍ରେଣ୍ଡ୍‌ ଆଶିଷ ନାୟକ


‘‘ବାଲେଶ୍ବରରେ ଥିବା ମୋ’ ଟାଟୁ ଦୋକାନରେ ଆମର ଦେଖା ହୋଇଥିଲା ଓ ସେଇଠୁ ଆରମ୍ଭ ହୋଇଥିଲା ଆମ ପ୍ରେମ ସମ୍ପର୍କ । ମୁଁ ବିବାହିତ ବୋଲି ସେ (ଛାତ୍ରୀ) ଭଲ ଭାବରେ ଜାଣିଥିଲେ । ସେ ଭୁବନେଶ୍ବର ଆସିବା ପରେ ମୁଁ ବି ଏଠିକି ଆସିଗଲି, ଆଉ ଆମେ ଲିଭ୍‌ ଇନ୍‌ ରିଲେସନରେ ରହୁଥିଲୁ,’’ କହିଛି ପ୍ରଦୀପ ।

ପରିସ୍ଥିତି ଏଭଳି ହୋଇଥିଲା ଯେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରଦୀପଙ୍କ ବୈବାହିକ ଜୀବନରେ ବି ଦେଖାଦେଇଥିଲା ଝଡ । କିଛି ଦିନ ତଳେ ପ୍ରଦୀପଙ୍କ ପତ୍ନୀ ଯୁବତୀଙ୍କୁ ଗାଳି ଗୁଲଜ କରିବା ସହ ଧମକେଇ ଥିଲେ ବୋଲି ଜଣା ପଡ଼ିଛି ।

ପ୍ରଥମରୁ ମୁହଁ ଖୋଲୁ ନ ଥିବା ଯୁବତୀଙ୍କ ମାମୁଁ ନନ୍ଦ କିଶୋର ଘଡ଼େଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଣିଜୀକୁ ଜୀବନରୁ ମାରିଦେବାକୁ ପ୍ରଦୀପ ଆଶିଷକୁ ସୁପାରି ଦେଇଥିଲା ।

‘‘ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା, ହେଲେ ମୋ’ ଭାଣିଜୀ ଭୁବନେଶ୍ବର ଆସିବା ପରେ ପ୍ରଦୀପ ଠାରୁ ଦୂରେଇ ଯିବାକୁ ଚ଼େଷ୍ଟା କରିଥିଲା । ପ୍ରଦୀପ ସହ କଥା ହେଉ ନଥିଲା କି ମିଶୁ ନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଦୀପ ଭାଣିଜୀ ରହୁଥିବା ହଷ୍ଟେଲରେ ହଙ୍ଗାମା କରିଥିଲା । ବାଧ୍ୟ ହୋଇ ଭାଣିଜୀ ହଷ୍ଟେଲ ଛାଡି କିଛିଦିନ ହେଲା ଭଡା ଘରେ ରହୁଥିଲା । ସେଠି ମଧ୍ୟ ପ୍ରଦୀପ ପହଞ୍ଚି ଯାଇଥିଲା । ଘଟଣା ଦିନ ପ୍ରତିଶୋଧ ପରାୟଣ ହୋଇ ଭାଣିଜୀ ଶୋଇଥିବା ବେଳେ ଆଶିଷକୁ ନେଇ ତା’ ଘରେ ପହଞ୍ଚିଥିଲା ପ୍ରଦୀପ । ପ୍ରଦୀପର ନିର୍ଦ୍ଦେଶରେ ଭାଣିଜୀ ଉପରେ ଗୁଳି ଚଳାଇଥିଲା ଆଶିଷ,’’ କହିଛନ୍ତି ଘଡ଼େଇ ।

ପୂର୍ବ ପ୍ରେମିକ ପ୍ରଦୀପ କୁମାର ଅଗସ୍ତି


ବାଲେଶ୍ବର ଫକୀର ମୋହନ ନଗର ବାସିନ୍ଦା ପ୍ରଦୀପ ଭୁବନେଶ୍ବରର ଚ଼ନ୍ଦ୍ରଶେଖରପୁରରେ ଖୋଲିଛନ୍ତି ଆଉ ଏକ ଟାଟୁ ଦୋକାନ । ସେଇଠି ଆଶିଷ ସହ ତାଙ୍କର ପରିଚ଼ୟ ହୋଇଥିଲା ।

ଦିନକୁ ଦିନ ନୂଆ ନୂଆ ଚ଼ରିତ୍ର ସାମନାକୁ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗି ପାରି ନାହିଁ ସେହି ବନ୍ଧୁକ । ଆଶିଷଙ୍କ ପାଖରେ ଥିବା ବନ୍ଧୁକଟି ମେଡ୍‌ ଇନ୍‌ ଜାପାନ୍‌ ବୋଲି ଜଣାପଡିଛି । ସେଥିରେ ଛଅ ରାଉଣ୍ଡ ଗୁଳି ଥିବା ବେଳେ ଘଟଣା ଦିନ ଗୋଟେ ରାଉଣ୍ଡ ଗୁଳି ଫୁଟିଥିବା କୁହାଯାଉଛି ।

ମଙ୍ଗଳବାର ସକାଳେ ଆଶିଷର ବନ୍ଧୁ ରାକେଶ ତରାଇ (୨୨)କୁ ନେଇ ପୋଲିସ ରଘୁନାଥପୁର ପୋଲ ତଳକୁ ବନ୍ଧୁକ ଖୋଜିବାକୁ ଯାଇଥିଲା । ଘଣ୍ଟେ ଧରି ଖୋଜାଖୋଜି କରିବା ସତ୍ୱେ ବନ୍ଧୁକ ମିଳି ନ ଥିଲା । ସନ୍ଦେହ କରାଯାଉଛି ଯେ ଗୁଳିକାଣ୍ଡ ପରେ ପ୍ରମାଣ ନଷ୍ଟ କରିବାକୁ ବନ୍ଧୁକକୁ ଅନ୍ୟ ସହଯୋଗୀଙ୍କ ପାଖରେ ଲୁଚାଇ ରଖିଛି ରାକେଶ । ପୋଲିସକୁ ଭୁଆଁ ବୁଲାଇବାକୁ ପୋଲ ତଳେ ଫୋପାଡ଼ି ଦେଇଥିବାର ଏକ ନାଟକ ରଚିଛି ସେ । ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ରାକେଶକୁ ବି ଇନଫୋସିଟି ଥାନା ପୋଲିସ ଗିରଫ କରିଛି ।
First published: February 14, 2020, 2:34 AM IST