News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ୧୫ ବର୍ଷୀୟା ଛାତ୍ରୀର ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସଂଶୟ । ଡ଼ୁମଡ଼ୁମା ଫେଜ ୨ରେ ଘଟିଥିବା ଏହି ଘଟଣା ପରେ ପ୍ରଥମେ ଖବର ଆସିଥିଲା ଯେ ତାକୁ ଅନର କିଲିଂ (ପରିବାରର ସମ୍ମାନ ପାଇଁ ହତ୍ୟା) କରିଯାଇଛି, ହେଲେ ତାହା ଆଧାରହୀନ ବୋଲି ଜଲଦି ଜଣା ପଡ଼ିଥିଲା ।
ସସ୍ମିତା ଜେନା ନାମକ ଏହି ଝିଅଟିର ଶବ ତା’ ଘର ନିକଟରେ ଏକ ପିଜୁଳି ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତା’ ଶୋକାକୁଳ ପରିବାର ଲୋକେ ତାକୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଛି ବୋଲି କହିଥିଲେ । ହେଲେ ପ୍ରାଥମିକ ଅନୁସନ୍ଧାନ ପରେ କମିଶନରେଟ୍ ପୋଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଥିଲା । ମୃତ ଝିଅଟିର ପରିବାର ଲୋକେ ପୋଲିସର ଦାବିରେ ସନ୍ତୁଷ୍ଟ ଲାଗୁ ନାହାନ୍ତି ।
ରବିବାର ରାତିରେ ସମସ୍ତେ ଘରେ ଖାଇ ପିଇ ଶୋଇଥିଲେ l ରାତି ପାଖାପାଖି ୩ଟା ବେଳେ ସସ୍ମିତାର ମା’ ରଞ୍ଜୁଲତା ଉଠି ବାହାରକୁ ଆସି ଦେଖିବା ବେଳକୁ ସସ୍ମିତା ଘର ବାରଣ୍ଡାରେ ଥିବା ପିଜୁଳି ଗଛରେ ଝୁଲୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ତାକୁ ଏମ୍ସ ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଭାବେ ପହଞ୍ଚିଥିବା ଘୋଷଣା କରିଥିଲେ l

ଘର ସାମନାରେ ଥିବା ପିଜୁଳି ଗଛରେ ସସ୍ମିତାର ଶବ ଟଙ୍ଗାହୋଇଥିଲା ।
‘‘ସେ (ସସ୍ମିତା) କେବେ ଆତ୍ମହତ୍ୟା କରିପାରିବ ନାହିଁ । ସେ ସେମିତି ପିଲା ନ ଥିଲା । ତା’ ଦେହକୁ ଝୁଲନ୍ତା ଅବସ୍ଥାରେ ଗଛରୁ ଅଣାଯାଇଥିଲା ବେଳେ ତା’ର ଦୁଇ ଗୋଡ଼ ଓ ହାତ ବନ୍ଧା ହୋଇଥିଲା । ତାକୁ ହତ୍ୟା କରି କେହି ଟାଙ୍ଗି ଦେଇଛି… ତଦନ୍ତ ହେଲେ ଜଣା ପଡ଼ିବ । ଦୋଷୀକୁ କଠୋର ଦଣ୍ଡ ମିଳିବା ଉଚିତ,’’ କାନ୍ଦି କାନ୍ଦି କହିଛନ୍ତି ସସ୍ମିତାର ବାପା ମଇନ ଜେନା ।
ତା’ ମାଆ ରଞ୍ଜୁଲତା ଓ ଭାଇ ସୌମ୍ୟ ରଞ୍ଜନ କହିଛନ୍ତି ଯେ ସସ୍ମିତାକୁ କେହି ଗଳା ଚିପି ହତ୍ୟା କରିବା ପରେ ତା’ ଦେହକୁ ଗଛରେ ଟାଙ୍ଗି ଦେଇଛି । ଖଣ୍ଡଗିରି ଥାନା ପୋଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।
ମଇନ ଜେନା ଓ ରଞ୍ଜୁଲତାଙ୍କ ତିନି ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ଝିଅର ବାହାଘର ସରିଛି l ସାନ ଝିଅ ସସ୍ମିତା ଏହି ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା l ସେ ଭଲ ଗୀତ ଗାଉଥିଲା ଓ ମେଲୋଡି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିଲା l

ସସ୍ମିତା ଜେନା
ସସ୍ମିତା ସହ ଜଣେ ସ୍ଥାନୀୟ ଯୁବକର ପ୍ରେମ ସମ୍ପର୍କ ଥିଲା ବୋଲି ଆଖପାଖର ଲୋକେ କହିଛନ୍ତି l ସେହି ପ୍ରେମ ସମ୍ପର୍କକୁ ସସ୍ମିତାର ଘର ଲୋକ ଜୋରଦାର ବିରୋଧ କରୁଥିଲେ ବୋଲି ଅଭିଯୋଗ ହେଉଛି l ସେଇଥି ପାଇଁ ସସ୍ମିତାର ମୃତ୍ୟୁ ପରେ ପ୍ରଥମେ ଏହା ଏକ ଅନର୍ କିଲିଂ ମାମଲା ବୋଲି ଗଣମାଧ୍ୟମର ଏକ ବଡ଼ ଅଂଶରେ କୁହାଯାଇଥିଲା । ସନ୍ଦେହ କରାଯାଉଥିଲା ଯେ ସସ୍ମିତାର ପ୍ରେମ ସମ୍ପର୍କକୁ ବିରୋଧ କରୁଥିବା ପରିବାର ଲୋକେ ନିଜ ସମ୍ମାନ ରକ୍ଷା ପାଇଁ ଝିଅଟିକୁ ହତ୍ୟା କରିଥାଇ ପାରନ୍ତି l
‘‘ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଅନର କିଲିଂ ନୁହେଁ l ଏଇଟା ଆତ୍ମହତ୍ୟା l ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି l ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି,’’ କହିଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲାଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀମାନେ ସସ୍ମିତା ସହ କଥିତ ପ୍ରେମ ସମ୍ପର୍କରେ ଥିବା ଯୁବକ ସହ ପଚରାଉଚରା କରାଯାଇଛି l
ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ତଦନ୍ତରୁ ଏ ପର୍ଯ୍ୟନ୍ତ ଏହି ସଙ୍କେତ ମିଳିଛି ଯେ ସସ୍ମିତା ଆତ୍ମହତ୍ୟା କରିଛି l କିନ୍ତୁ ତା’ ହାତ ଓ ଗୋଡ଼ ବନ୍ଧାଯାଇଥିବା ଅଭିଯୋଗ ତା’ ପରିବାର ଲୋକେ ଆଣିଥିବାରୁ ଦ୍ୱନ୍ଦ୍ୱ ଦେଖା ଦେଇଛି l ଏମ୍ସର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ l
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (
ମୁମ୍ବାଇ) 022-27546669, ସ୍ନେହା (
ଚେନ୍ନାଇ) 044-24640050, ସୁମୈତ୍ରୀ (
ଦିଲ୍ଲୀ) 011-23389090, କୁଜ (
ଗୋଆ) 0832- 2252525, ଜୀବନ (
ଜାମସେଦପୁର) 065-76453841, ପ୍ରତୀକ୍ଷା (
କୋଚି) 048-42448830, ମୈତ୍ରୀ (
କୋଚି) 0484-2540530, ରୋଶନି (
ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (
କୋଲକାତା) ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।