News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଫୁଡ୍ ଡେଲିଭରି ବୟ ପତିତପାବନ ପୃଷ୍ଟି (୨୯) ‘‘ଅପହରଣ’’ ଘଟଣାରେ ନୂଆ ମୋଡ଼ ଆସିଛି । ସୋମବାର ଦିନ ମଧ୍ୟ ପ୍ରଦେଶରେ ଏକ ରେଳ ଷ୍ଟେସନରୁ ରେଳବାଇ ପୋଲିସ ପତିତପାବନକୁ ଠାବ କରିଥିଲା, ଯାହା ପରେ ତାକୁ ଓଡ଼ିଶା ଆଣିଛନ୍ତି ପୋଲିସ ଟିମ । ଏବେ ମିଛ ଅପହରଣ ନାଟକ ରଚନା କରିଥିବା ପତିତପାବନ ଓରଫ ଚିକୁନ କାହାର ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ପଟେ ପ୍ରେମିକା ଓ ଆରପଟରେ ପତ୍ନୀ କାହାକୁ ବାଛିବେ ଚିକୁନ । ଉଭୟ ଓଡ଼ିଶା ଫେରିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ଅଡ଼ୁଆ ସ୍ଥିତି ।
ଗୁରୁବାର ସକାଳେ କମିଶନରେଟ ପୋଲିସର ସ୍ବତନ୍ତ୍ର ୪ ଜଣିଆ ଟିମ ଉଭୟ ପତିତପାବନ ଓ ତାର ତଥା କଥିତ ପ୍ରେମିକାକୁ ଧରି ମଧ୍ୟ ପ୍ରଦେଶରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରୁ ଉଭୟଙ୍କୁ ଧଉଳି ଥାନାକୁ ଅଣାଯାଇଥିଲା ଓ ଉଭୟଙ୍କୁ ଅଟକ ରଖାଯାଇଥିଲା ।
ଚିକୁନ ଓ ତାଙ୍କ ପ୍ରେମିକା ଭୁବନେଶ୍ୱର ଫେରିଥିବା ଖବର ପାଇବା ପରେ ଥାନାରେ ପହଞ୍ଚିଥିଲେ ଚିକୁନର ପତ୍ନୀ ଅହଲ୍ୟା, ଚିକୁନର ବାପା, ମା' ଓ ବଡ଼ ଭାଇ । କାନ୍ଦି କାନ୍ଦି ଅହଲ୍ୟା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ କେବଳ ତାଙ୍କର । ଆଉ କାହାର ହୋଇ ପାରିବ ନାହିଁ । ପୁରା ଘଟଣାରେ ଦୋଷୀ କେଵଳ ଚିକୁନର ତଥା କଥିତ ପ୍ରେମିକା, ଚିକୁନ ନୁହେଁ । ସେହି ଝିଅ ହିଁ ତାଙ୍କ ସ୍ବାମୀଙ୍କୁ ବାଟବଣା କରିଛି । ତେଣୁ ତାକୁ ହିଁ ଦଣ୍ଡ ଦିଆଯିବା ଦରକାର ବୋଲି କହିଥିଲେ ପତ୍ନୀ ।

ମିଛ ଅପହରଣ ନାଟକର ପର୍ଦା ଫାସ
ଚିକୁନର ପରିବାର ଲୋକ ଦାବି କରିଥିଲେ ଯେ ପ୍ରେମିକା ନୁହେଁ, ନିଜ ପତ୍ନୀ ପାଖରେ ରହିବ ଚିକୁନ । ତାଙ୍କ ମାଆ ସୁମିତ୍ରା ପୃଷ୍ଟି ଅଭିଯୋଗ କରିଛନ୍ତି, "ତାଙ୍କ ପୁଅ ଭଲ । ପୁଅକୁ ପ୍ରେମିକା ଗୁଣି କରିଛି । ଏଭଳି ଘଟଣା ଚିକୁନ କରିଥିବ ବୋଲି ମୁଁ କେବେବି ବିଶ୍ବାସ କରିପାରୁନାହିଁ ।’’
ଚିକୁନର ବଡ଼ ଭାଇ ପୁରୁଷୋତ୍ତମ କହିଛନ୍ତି, ‘‘ଏଭଲି ଘଟଣା ବିଷୟରେ ମୁଁ କିମ୍ବା ମୋର ପରିବାର ଅବଗତ ନଥିଲୁ। ସେ ଏଭଳି କାମ କରି ବସିବ ଏହା ଆମ ଧାରଣା ନଥିଲା। ତେବେ ଯାହା ହେବାର ଥିଲା ହେଲା । ନିଜ ପ୍ରେମିକା ସାଙ୍ଗରେ ନୁହେଁ, ନିଜ ବିବାହିତା ପତ୍ନୀଙ୍କ ପାଖକୁ ସେ ଫେରିବା ଦରକାର।’’
ସୋମବାର ଦିନ ମଧ୍ୟପ୍ରଦେଶର କଟନୀ ଜିଆରିପି ପୋଲିସ ଚିକୁନ ଓ ତାଙ୍କ ପ୍ରେମିକାକୁ ଠାବ କରି କମିଶନରେଟ ପୋଲିସକୁ ଜଣାଇଥିଲେ । ଏହା ପରେ ପୋଲିସର ୪ ଜଣିଆ ଟିମ ମଧ୍ୟ ପ୍ରଦେଶ ଯାଇ ଉଭୟଙ୍କୁ ସାଙ୍ଗରେ ଧରି ଓଡ଼ିଶା ଫେରିଥିଲା ।

ଧଉଳି ଥାନାରେ ପ୍ରେମିକଙ୍କ ସହ ଅଟକ ଅଛନ୍ତି ପତିତପାବନ
ସୂଚନା ଅନୁସାରେ, ଏହି ଘଟଣାର ରହସ୍ୟ ଉନ୍ମୋଚନ କରିବା ପାଇଁ ଏମାନଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଲୋକଙ୍କ ପାଖରେ ଏବେ ପହଞ୍ଚି ପାରେ ପୋଲିସ। ଏହା ସହିତ ପତିତପାବନ ଯେଉଁ ସ୍ଥାନରେ ଅପହରଣର ମିଛ ନାଟକ ରଚିଥିଲା ସେ ସ୍ଥାନକୁ ଅଭିଯୁକ୍ତକୁ ନେଇ ଅଧିକ ତଦନ୍ତ କରିପାରେ ପୋଲିସ । ଏ ନେଇ ଧଉଳି ଥାନା ପୋଲିସ ଗୋପ ପୋଲିସ ସହ ମିଳିତ ଭାବେ ଛାନଭିନ କରୁଛି ।