News18 Odia Digital
ଭୁବନେଶ୍ବର: ଜୁନ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥଳଭାଗ ମୁହାଁ ମୌସୁମୀ। ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ମୌସୁମୀ ପ୍ରବେଶ କରିଛି।
ଦୁଇ ରୁ ତିନି ଦିନ ଭିତରେ ସମ୍ପୂର୍ଣ୍ଣ ଆଣ୍ଡାମାନରେ ମୌସୁମୀ ପ୍ରଵେଶ କରିବ। ଏହା ପରେ ଆସନ୍ତା ୨୭ରେ ଏହା କେରଳ ଓ ଜୁନ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଉଛି। ବର୍ଷା ଆସୁଛି। ହେଲେ ଏବେ ଯାଏ ସରିଲାନି ଡ୍ରେନେଜ ମରାମତି କାମ। ତେବେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଜଧାନୀରେ ଡ୍ରେନେଜ ସମସ୍ୟା ଦେଖା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ମୁକୁଳା ଡ୍ରେନକୁ ବ୍ୟାରିକେଡ ଭରସା। ଲମ୍ବା ମିଟର ଯାଏ ମୁକୁଳା ପଡ଼ିଛି ଡ୍ରେନ। ହେଲେ ଉପରେ ନାହିଁ ସ୍ଲାବ। ଡ୍ରେନ ଉପରେ ରହିଛି ବାଉଁଶ ବ୍ୟାରିକେଡ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

ବର୍ଷାରେ କୃତ୍ରିମ ବନ୍ୟା ପରିସ୍ଥିତି ଆଶଙ୍କା
କେବଳ ଲକ୍ଷ୍ମୀସାଗର କାହିଁକି ସହରର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ ଉପରେ ଏମିତି ବାଉଁଶ ବ୍ୟାରିକେଡ କରାଯାଇଛି। ପ୍ରତିବର୍ଷ ଲଗାଣ ବର୍ଷାରେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏକାକାର ହେଇଯାଉଛି ଡ୍ରେନ ଆଉ ରାସ୍ତା। ତଥାପି ହୋଇପାରୁନି ସ୍ଥାୟୀ ସମାଧାନ। ପୁଣି କେଉଁଠି ଡ୍ରେନରେ କଂକ୍ରିଟ ନିର୍ମାଣ କାମ ଜାରି ରହିଛି। ଯାହାକୁ ନେଇ ଚିନ୍ତାରେ ରାଜଧାନିବାସୀ।
"ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। କେତେବେଳେ ଘରେ ପାଣି ପଶୁଛି ତ କେତେବେଳେ ରାସ୍ତାରେ ଗାଡ଼ି ଭାସୁଛି। ଏନେଇ ବାରମ୍ବାର ଅଭିଯୋଗ ବି କରିଛୁ। ହେଲେ କିଛି ଫଳ ମିଳୁନି," କହିଛନ୍ତି ଲକ୍ଷ୍ମୀସାଗର ବାସିନ୍ଦା ବିନୟ ଚୌଧୁରୀ।
ସହରରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ଯେଉଁଠି ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ସେହିପରି ୩୪ଟି ଡ୍ରେନେଜ ଜନିତ ଦୁର୍ଘଟଣାପ୍ରବଣ ସ୍ଥାନ ରହିଛି। ସେ ସବୁ ଉପରେ ଫୋକସ ଥିବା କହିଛନ୍ତି ସିଟି ଡ୍ରେନେଜ ବିଭାଗ। ୯୦ ପ୍ରତିଶତ ଡ୍ରେନ ସଫେଇ କାମ ଶେଷ ହେଲାଣି। ମେ ଶେଷ ସୁଦ୍ଧା ସବୁ କାମ ସରିବ ବୋଲି କହିଛି ବିଏମସି।
"ଲକ୍ଷ୍ମୀସାଗର, ସୌଭାଗ୍ୟ ନଗର, ବୈରାଗୀ ନଗର, ଗଙ୍ଗୁଆ ନାଳ ପାଖ ଅଞ୍ଚଳ ଭଳି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଉପରେ ଆମେ ନଜର ରଖିଛୁ। ଜଳବନ୍ଦୀ ସମସ୍ୟା ଯେପରି ନ ହୁଏ ବା ଜଳବନ୍ଦୀ ହେଲେ କିଭଳି ତୁରନ୍ତ ପମ୍ପିଂ କରାଯାଇ ଜଳ ନିଷ୍କାସନ ହେବ ତା ଉପରେ ଧ୍ୟାନ ଦିଆଯାଇଛି। ମେ ଶେଷ ସୁଦ୍ଧା ଡ୍ରେନ ସଫେଇ କାମ ଶେଷ କରିବୁ," କହିଛନ୍ତି ସିଟି ଡ୍ରେନେଜ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଚନ୍ଦ୍ର ଦାସ।
ଡ୍ରେନେଜ ବ୍ୟବସ୍ଥା ସଜାଡ଼ିବାକୁ ନେଇ ବିଏମସି କେବଳ କାଗଜ କଲମରେ ଯୋଜନା କରୁଥିଲେ ମଧ୍ୟ ଏହା ଯଥା ପୂର୍ବ ତଥା ପର ସ୍ଥିତିରେ ରହିଛି। ବର୍ଷା ପୂର୍ବରୁ ସରିବ ତ ଡ୍ରେନେଜ ମରାମତି କାମ। ନା ପୁଣିଥରେ ଟିକିଏ ବର୍ଷାରେ ଡ୍ରେନ ପାଣିରେ ଉବୁଟୁବୁ ହେବେ ସ୍ମାର୍ଟସିଟିବାସୀ ତାହା ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।