ଭୁବନେଶ୍ୱରରେ ଡାକ୍ତରାଣୀଙ୍କ ଅବହେଳା: ମହିଳାଙ୍କ ପେଟରେ ଛାଡ଼ିଲେ ଗଜ କନା, ୨ ମାସ ଧରି ରହିଲା

ଉସ୍ଥି ହସ୍ପିଟାଲରେ ମେ ମାସ ହୋଇଥିବା ସିଜରିଆନ୍ ଅପରେସନ୍ ସମୟରେ ମହିଳାଙ୍କ ପେଟରେ ରହିଯାଇଥିଲା ଗଜ କନା ଓ କିଛି ଧାତବ ଅଂଶ । ତାଙ୍କୁ ଯନ୍ତ୍ରଣା ହେଉଥିଲା, କିନ୍ତୁ ଡାକ୍ତରାଣୀ ଶୁଣୁ ନ ଥିଲେ । ଏବେ ସେହି ବାହ୍ୟ ବସ୍ତୁ ବାହାରକୁ ଆସିଛି ।

ଭୁବନେଶ୍ୱରରେ ଡାକ୍ତରାଣୀଙ୍କ ଅବହେଳା: ମହିଳାଙ୍କ ପେଟରେ ଛାଡ଼ିଲେ ଗଜ କନା, ୨ ମାସ ଧରି ରହିଲା
(ବାମରୁ ଡାହାଣ) ଡାକ୍ତରାଣୀ ସ୍ମିତା ଶତପଥୀ; ଗଜ କନାର ଛବି; ପୀଡ଼ିତା ପୁଷ୍ପାଞ୍ଜଳି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ । କୋଭିଡ ଯୁଦ୍ଧରେ ବି ସେମାନେ ଆଗ ଧାଡ଼ିର ଯୋଦ୍ଧା । କିନ୍ତୁ ଏମିତି କିଛି ଡାକ୍ତର ଓ ହସପିଟାଲ୍‌ ଅଛନ୍ତି ଯେଉଁମାନଙ୍କ ମନମାନି ଓ ଖାମଖିଆଲି କାର୍ଯ୍ୟ ପାଇଁ କେତେବେଳେ ରୋଗୀଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ରୋଗୀଙ୍କୁ ଜୀବନ ସହ ସଂଗ୍ରାମ କରିବାକୁ ପଡ଼ୁଛି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଉସ୍ଥି ହସ୍ପିଟାଲରେ (Usthi Hospital)।

ଏହି ହସ୍ପିଟାଲର ପ୍ରସୂତି ବିଭାଗର ଡାକ୍ତରାଣୀ ସ୍ମିତା ଶତପଥୀଙ୍କ ବେପରୁଆ ଅପରେସନ ପାଇଁ ଜଣେ ରୋଗୀ ଏବେ ଜୀବନ ସହ ସଂଗ୍ରାମ କରୁଥିବା ଅଭିଯୋଗ ହୋଇଛି । ପୁଷ୍ପାଞ୍ଜଳି ନାମକ ୩୧-ବର୍ଷୀୟା ମହିଳା ନିଜର ଦ୍ବିତୀୟ ସନ୍ତାନ ନିମନ୍ତେ ୨୦୧୯ ନଭେମ୍ବରରୁ ଉସ୍ତି ହସପିଟାଲରେ ଡାକ୍ତର ସ୍ମୀତାଙ୍କ ପରାମର୍ଶ ନେଇ ଆସୁଥିଲେ । ଗତ ମେ ୧୬ରେ ପୁଷ୍ପା ସିଜରିଆନ୍‌ ଅପରେସନ୍‌ ମାଧ୍ୟମରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ସେହି ସମୟରେ ଡକ୍ଟର ସ୍ମିତାଙ୍କ ଖାମଖିଆଲ ଅସ୍ତ୍ରୋପଚାର ଯୋଗୁଁ ପୁଷ୍ପାଙ୍କ ପେଟ ଭିତରେ ରହିଯାଇଥିଲା ଏକ ଗଜ୍ କପଡ଼ା ଓ କିଛି ଧାତବ ଅଂଶ (ମେଟାଲିକ୍‌ ପାର୍ଟିକ୍ଲସ୍‌)।

ପୁଷ୍ପାଞ୍ଜଳି ଘରକୁ ଫେରିବା ପରେ ତାଙ୍କ ପେଟ ଯନ୍ତ୍ରଣା ଦିନକୁ ଦିନ ବଢ଼ିଥିଲା । ଡକ୍ଟର ସ୍ମିତାଙ୍କୁ କଲ୍‌ କରିବା ସହ ହ୍ୱାଟସଆପରେ ମେସେଜ ବି କରିଥିଲେ ତାଙ୍କ ସ୍ୱାମୀ । ‘‘ବ୍ୟସ୍ତ ହୁଅନି… ଇଣ୍ଟରନାରଲ ପ୍ରୋବ୍ଳେମ… ଭଲ ହୋଇଯିବ… ଅପେକ୍ଷା କର..’’ ଏମିତି ମେସେଜ ଦେଇଆସୁଥିବା ଡକ୍ଟର ସ୍ମିତାଙ୍କ ମେସେଜ ପୁଷ୍ପାଙ୍କ ଯନ୍ତ୍ରଣାକୁ ଦୂର କରିପାରି ନ ଥିଲା ।

ଡାକ୍ତରାଣୀ ସ୍ମିତା ଶତପଥୀ ଓ ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ଆନନ୍ଦଙ୍କ ମଧ୍ୟରେ ହ୍ୱାଟ୍ସ ଆପ୍ କଥାବାର୍ତ୍ତାରୁ କିଛି ଅଂଶ


ଜୁଲାଇ ୯ରେ ପୁଷ୍ପାଞ୍ଜଳି ସ୍ପର୍ଶ ହସପିଟାଲରେ ଏକ ସିଟିସ୍କାନ କରାଇବାରୁ ଜଣାପଡ଼ିଥିଲା ଯେ ତାଙ୍କ ପେଟରେ ଗଜ୍ କପଡ଼ା ଓ କିଛି ମେଟାଲ୍‌ ରହିଯାଇଛି । ଏ ନେଇ ଡକ୍ଟର ସ୍ମିତାଙ୍କୁ ପୁଷ୍ପାଙ୍କ ସ୍ବାମୀ ମେସେଜ୍‌ ଓ କଲ କରି କହିବା ପରେ ସେ ଏହାକୁ ମିଛ ବୋଲି କହିଥିଲେ ।  ହେଲେ ଗତ ୧୬ ତାରିଖରେ ଏମସ୍ (AIIMS)ରେ ଅପରେସନ କରାଇବା ପରେ ପୁଷ୍ପାଞ୍ଜଳିଙ୍କ ପେଟରୁ ବାହାରିଛି ଗଜ୍ କପଡ଼ା ଓ ମେଟାଲ୍‌ ।

ପୁଷ୍ପାଞ୍ଜଳି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ । ତାଙ୍କ ଅନ୍ତବୁଜୁଳା, ଡିମ୍ବାଶୟ ଓ ଗର୍ଭାଶୟର ଧମନୀ ପଚି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଥି ପାଇଁ ତାଙ୍କର ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଥିବା କହିଛନ୍ତି ତାଙ୍କ ସ୍ୱାମୀ ଆନନ୍ଦ କୁମାର । ଏ ନେଇ ସେ ବାରମ୍ବାର ଉସ୍ତି ହସପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କୈଣସି ଉତ୍ତର ରଖି ନ ଥିବା କହିଛନ୍ତି ଆନନ୍ଦ କୁମାର ।

ଝାରପଡ଼ାର ଜଗନ୍ନାଥ ନଗରରେ ରହୁଥିବା ପୁଷ୍ପାଞ୍ଜଳିଙ୍କ ସ୍ବାମୀ ଆନନ୍ଦ କୁମାର ପେଶାରେ ଏକ ଘରୋଇ ବ୍ୟାଙ୍କର ଅଡିଟର । ଏବେ ନିଜ ସ୍ତ୍ରୀଙ୍କ ପାଖରେ ଏମସରେ ରହି ସେବା ସୁଶ୍ରୁଶା କରୁଛନ୍ତି ସେ ।

ଏବେ ପୁଷ୍ପାଞ୍ଜଳି ଏମ୍ସ ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।


‘‘ପୁଷ୍ପାଙ୍କ ଦେହ ଦିନକୁ ଦିନ ଖରାପ ହେବାରୁ ମୁଁ ଡାକ୍ତରଙ୍କୁ ବାରମ୍ବାର କରିବା ସହ ମେସେଜ ବି କରିଛି । ସେ କେବଳ ଆଶ୍ବାସନା ଦେବା ସହ ଆଉ କିଛ କରି ନ ଥିଲେ । ଯେତେବେଳେ ପେଟରୁ ଗଜ କନା ବାହାରିଲା ବୋଲି ଡାକ୍ତର ସ୍ମିତାଙ୍କୁ କହିଲି, ସେ ଅବିଶ୍ବାସ କରିବା ସହ ଗ୍ରହଣ କଲେନି । ଏହାରି ଭିତରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ଉସ୍ଥି ହସପିଟାଲ୍‌ (Usthi Hospital) କର୍ତ୍ତୃପକ୍ଷ ଯଦି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୋତେ କ୍ଷତି ପୂରଣ ନ ଦେବେ ତେବେ ମୁଁ କୋର୍ଟର ଦ୍ବାରସ୍ଥ ହେବି,’’ କହିଛନ୍ତି ଆନନ୍ଦ କୁମାର ।

ଡାକ୍ତରାଣୀ ସ୍ମିତା ଶତପଥୀ ଏହି ଘଟଣା ବିଷୟରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।


ଘରୋଇ ହସପିଟାଲ ଓ ଡାକ୍ତରଙ୍କ ମନମାନି ଓ ଅବହେଳାତ୍ମକ କାର୍ଯ୍ୟକଳାପ ଉପରେ ସରକାର ଅଙ୍କୁଶ ଲଗାଇ ପାରିନାହାନ୍ତି । କ୍ଳିନିକାଲ ଏଷ୍ଟାବିଲସମେଣ୍ଟ ଆକ୍ଟ ଓ କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ କେବଳ ଧର୍ମକୁ ଆଖି ଠାର ବୋଲି କହିଛନ୍ତି ବିଶେଷଜ୍ଞମାନେ । କେବଳ ଉସ୍ତି ହସପିଟାଲ୍‌ ନୁହେଁ, ରାଜ୍ୟରେ ଏମିତି ବହୁ ଘରୋଇ ହସପିଟାଲ ମନମାନି କରୁଥିବାର ଅନେକ ଉଦାହରଣ ନିକଟରେସାମନାକୁ ଆସିଛି । ଏହାକୁ ନେଇ ପ୍ରତିବାଦ ହୋଇଛି, ଆଉ ରାଜ୍ୟ ସରରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିଦା ବିଷ୍ଣୁ ସାଜିଛି ବୋଲି ଅଭିଯୋଗ ହେଉଛି ।

ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ

ଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ

‘‘କ୍ଳିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେଉନି । କେବଳ ଘରୋଇ ହସପିଟାଲର ପଞ୍ଜୀକରଣ ଓ ନବୀକରଣ କରୁଛନ୍ତି ରାଜ୍ୟ ସରକାର । ଶୋଷଣ, ଅବହେଳା ଓ ଅନେକ ସମୟରେ ଉଦ୍ଦେଶ୍ୟମୂଳକ ଭାବରେ ହେଉଥିବା ହୀନ କାର୍ଯ୍ୟକଳାପକୁ ଏ ଯାଏଁ ରୋକାଯାଇପାରିନି । ସବୁ ଠୁ ଆଶ୍ଚର୍ଯ୍ୟର କଥା ହେଉଛି କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟରେ ଡାକ୍ତରଙ୍କ ପାଇଁ ଦଣ୍ଡ ବିଧାନ ଉଠିଯାଇଥିବା ବେଳେ କେବଳ କ୍ଷତି ପୂରଣକୁ ରଖାଯାଇଛି । ତେଣୁ ରୋଗୀ ହୁଅନ୍ତୁ କି ତାଙ୍କ ସମ୍ପର୍କୀୟ, ଏମିତି ଘରୋଇ ହସପିଟାଲ କି ଡାକ୍ତର, ଯିଏ ବି ଭୁଲ କରୁ ତାଙ୍କର ଖାସ୍‌ କିଛି ହେବାର ନାହିଁ । ହେଲେ ଏମିତି ମେଡିକାଲ୍‌ ନେଗ୍ଲିଜେନ୍ସ ମାମଲାରେ କାର୍ଯାନୁଷ୍ଠାନ ହେବା ଉଚିତ,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଗୌରାଙ୍ଗ ମହାପାତ୍ର ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 26, 2020, 7:52 PM IST
corona virus btn
corona virus btn
Loading