DCP ସୂର୍ଯ୍ୟବଂଶୀଙ୍କୁ DCP ସାଗରିକାଙ୍କ ଉପଦେଶ: ହେଲମେଟ୍ ଓ ବାଇକ୍ ଷ୍ଟଣ୍ଟ୍ ଉପରେ ବଲିଉଡ୍ ଧ୍ୟାନ ଦେଉ

ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଟ୍ୟାଗ୍ କରି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି DCP ସାଗରିକା: ‘‘ଏବେ ସମୟ ଆସିଯାଇଛି ବଲିଉଡ୍ ହୃଦୟଙ୍ଗମ କରିବା ଉଚ଼ିତ ଯେ ହେଲମେଟ୍ ପିନ୍ଧି ନ ଥିବା ଓ ବାଇକ ଷ୍ଟଣ୍ଟ କରୁଥିବା ଅଭିନେତାଙ୍କ ଦୃଶ୍ୟ ଦ୍ୱାରା ଯୁବ ପିଢ଼ି ପାଖରେ ଭୁଲ ବାର୍ତ୍ତା ପହଞ୍ଚୁଛି ।’’

DCP ସୂର୍ଯ୍ୟବଂଶୀଙ୍କୁ DCP ସାଗରିକାଙ୍କ ଉପଦେଶ: ହେଲମେଟ୍ ଓ ବାଇକ୍ ଷ୍ଟଣ୍ଟ୍ ଉପରେ ବଲିଉଡ୍ ଧ୍ୟାନ ଦେଉ
ଅଭିନେତା ଅକ୍ଷୟ କୁମାର ଓ (ଡାହାଣ) ଡି.ସି.ପି. ସାଗରିକା ନାଥ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସଡ଼କ ସୁରକ୍ଷା ବଢ଼େଇବା ଓ ଦୁର୍ଘଟଣାଜନିତ ମୃତ୍ୟୁ କମେଇବା ପାଇଁ ଓଡ଼ିଶା ସମେତ ସାରା ଦେଶର ଟ୍ରାଫିକ୍‌ ପୋଲିସ ତରଫରୁ ଅନେକ ପ୍ରୟାସ କରାଯାଉଥିବା ବେଳେ ବଲିଉଡ୍‌ ଫିଲ୍ମଗୁଡ଼ିକରେ ବିନା ହେଲମେଟ୍‌ରେ ଗାଡ଼ି ଚ଼ଳେଇବା ଓ ବାଇକ୍‌ ଷ୍ଟଣ୍ଟ୍‌ କରିବା ଦୃଶ୍ୟ ଯୁବ ପିଢ଼ିକୁ ଭୁଲ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ଭୁବନେଶ୍ବରର ଟ୍ରାଫିକ୍ ଡିସସି ସାଗରିକା ନାଥ ।

ଉଭୟ ଟ୍ରାଫିକ୍‌ ନିୟମ ଉପରେ ନିଜ କଡ଼ାପଣ ଓ ଲୋକଙ୍କୁ ବୁଝାଇ ସୁଝାଇ ପରିବର୍ତ୍ତନ ଆଣିବାର ଚ଼େଷ୍ଟା ପାଇଁ ଜଣାଶୁଣା ଆଇ.ପି.ଏସ୍‌. (IPS) ଅଫିସର ସାଗରିକା ନାଥ ବଲିଉଡର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଟ୍ୱିଟ୍‌ ଉପରେ ମନ୍ତବ୍ୟ ଦେଇ ବଲିଉଡକୁ ନିଜ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅକ୍ଷୟ କୁମାରଙ୍କୁ ପ୍ରଶଂସା କରିବା ସହିତ ସଡ଼କ ଦୁର୍ଘଟଣାରେ ଜନ ଜୀବନ ହାନି କମ୍‌ କରିବା ପାଇଁ ତାଙ୍କୁ ସିଧା ଆହ୍ୱାନ ବି କରିଛନ୍ତି ।

‘‘ଏବେ ସମୟ ଆସିଯାଇଛି ବଲିଉଡ୍‌ ହୃଦୟଙ୍ଗମ କରିବା ଉଚ଼ିତ ଯେ ହେଲମେଟ୍‌ ପିନ୍ଧି ନ ଥିବା ଓ ବାଇକ ଷ୍ଟଣ୍ଟ କରୁଥିବା ଅଭିନେତାଙ୍କ ଦୃଶ୍ୟ ଦ୍ୱାରା ଯୁବ ପିଢ଼ି ପାଖରେ ଭୁଲ ବାର୍ତ୍ତା ପହଞ୍ଚୁଛି,’’ ନିଜ ଟ୍ୱିଟରେ ଲେଖିଛନ୍ତି ୩୧ ବର୍ଷ ବୟସ୍କା ଏହି ଲୋକପ୍ରିୟ ପୋଲିସ ଅଧିକାରୀ ।

ଅଭିନେତା ଅକ୍ଷୟ କୁମାର ‘ଡିସିପି ବୀର ସୁର୍ଯ୍ୟବଂଶୀ’ ଫିଲ୍ମର ଅଫିସିଆଲ ଟ୍ରେଲର ଉପରେ କରିଥିବା ଏକ ପୋଷ୍ଟର ଉପରେ ଟ୍ୱିଟର ଉତ୍ତର ଦେଇ ଡିସିପି ସାଗରିକା ଏହି ଟୁଇଟ୍ କରିଛନ୍ତି । ନିଜ ଟ୍ୱିଟରେ ସାଗରିକା ଅଭିନେତା ଅମିର ଖାନଙ୍କ ଏକ ବାଇକ ଷ୍ଟଣ୍ଟର ଫଟୋ ଓ ଅକ୍ଷୟ କୁମାର ବିନା ହେଲମେଟରେ ବାଇକ ଉପରେ ବସିଥିବା ଏକ ଫଟୋ ଲଗେଇଛନ୍ତି ।

ସାଗରିକା ନାଥ କରିଥିବା ଟ୍ୱିଟ୍‌


ଏହି ଟ୍ୱିଟରେ ଅକ୍ଷୟ କୁମାରଙ୍କୁ ଟ୍ୟାଗ୍‌ କରିବା ସହିତ ସେ ଭୁବନେଶ୍ୱରର ଦୁଇ ଜଣ ବରିଷ୍ଠ ପୋଲିସ ଅଧିକାରୀ – ଭୁବନେଶ୍ବର-କଟକ କମିଶନରେଟ ପୋଲିସର ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ଓ ସେସୁ ନିର୍ଦ୍ଦେଶକ ତଥା ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା – ଓ ମୁମ୍ବାଇ ପୋଲିସକୁ ବି ଟ୍ୟାଗ୍‌ କରିଛନ୍ତି ସାଗରିକା ।

ଅକ୍ଷୟ କୁମାରଙ୍କୁ ପ୍ରଶଂସା କରି ସେହି ଟ୍ୱିଟରେ ସାଗରିକା ଆହୁରି ଲେଖିଛନ୍ତି: ‘‘ଅକ୍ଷୟ କୁମାର, ଆପଣ ଚ଼ମତ୍କାର । ଆପଣଙ୍କ ବହୁ ଚ଼ଳଚ୍ଚିତ୍ରକୁ ମୁଁ ଭଲ ପାଏ । ଆସନ୍ତୁ ଏକାଠି ହୋଇ ଦୁର୍ଘଟଣାଜନିତ ମୃତ୍ୟୁକୁ କମ୍‌ କରିବା ।’’

ତେବେ ସାଗରିକାଙ୍କ ଏହି ଟୁଇଟ୍ ପରେ ଟୁଇଟରରେ ଅନେକ ଲୋକ ତାଙ୍କ ମନ୍ତ୍ୟବ୍ୟ ଓ ପରାମର୍ଶରେ ସହମତି ପ୍ରକାଶ କରିଛନ୍ତି । ନିକଟରେ ଅଭିନେତା ‘କବୀର ସିଂ’ ଫିଲ୍ମରେ ଅଭିନେତା ଶାହିଦ୍‌ କପୁର୍‌ ବିନା ହେଲମେଟରେ ବାଇକ୍‌ ଚ଼ଳାଉଥିବା ଦେଖିବାକୁ ମିଳିଥିଲା ।

ଜଣେ ଲୋକ ସାଗରିକାଙ୍କ ଟ୍ୱିଟର ଉତ୍ତରରେ ଅକ୍ଷୟ କୁମାରଙ୍କୁ ସଡ଼କ ସୁରକ୍ଷା ଆମ୍ବାସାଡର୍‌ କରିବା ଦୁର୍ଭାଗ୍ୟଜନକ ବୋଲି କହିଥିବାରୁ ସାଗରିକା ସେଥିରେ ଅସହମତି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି: ‘‘ମୁଁ ଏ କଥାରେ ଅସହମତ । ଅକ୍ଷୟ କୁମାର କେତେକ ଚ଼ମତ୍କାର ଜନସଚ଼େତନତା ବିଜ୍ଞାପନ କରିଛନ୍ତି । ତାଙ୍କର ଅନେକ ଫିଲ୍ମ ବି ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ, ଯେମିତି ‘ପ୍ୟାଡମ୍ୟାନ’ । ବୋଧ ହୁଏ ଆମେ ଫିଲ୍ମରେ ପରଦାର ତଳ ଭାଗରେ ଏକ ସତର୍କତା ସୂଚ଼ନା (ଡିସକ୍ଲେମର୍‌) ଦେଇ ପାରିବା, ଯେମିତି ତମ୍ବାକୁ ସେବନରୁ ହାନି ବିଷୟରେ ଦିଆଯାଉଛି’’ ।

ଅକ୍ଷୟ କୁମାର କରିଥିବା ଟ୍ୱିଟ୍‌


ନୁତନ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ୍ ନିୟମଗୁଡ଼ିକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି । ଓଡ଼ିଶାରେ ମଧ୍ୟ ଏହି ନିୟମ ସବୁକୁ ମାର୍ଚ୍ଚ ୧ ତାରିଖ ଠାରୁ କଡ଼ାକଡ଼ିଭାବେ ଭାବେ ପାଳନ କରାଯାଉଛି । ଓଡିଶା ସରକାରଙ୍କ ପକ୍ଷରୁ ଗାଡ଼ି କାଗଜପତ୍ର ଠିକ୍ କରିବା ପାଇଁ ପ୍ରଥମେ ତିନି ମାସ ଓ ତା’ ପରେ ଆଉ ତିନି ମାସ ଅବଧି ଦିଆଯାଇଥିଲା ।

ଟ୍ରାଫିକ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ଜରିମାନା ଆଦାୟ ଉପରେ ରାଜ୍ୟ ପରିବହନ ଅଥୋରିଟି (ଏସଟିଏ) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୧ ତାରିଖ ରାତି ସାଢ଼େ ୯ଟା ଓ ମାର୍ଚ୍ଚ ୨ ତାରିଖ ସୁଦ୍ଧା  ୩,୭୧୭ ଜଣଙ୍କ ଠାରୁ ଏକ କୋଟି ୬୪ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିଲା । ସେଥିରେ ମଦ ପିଇ ଗାଡ଼ି ଚ଼ଳାଇବା (୩୯), ଦୃତ ଗତି (୩୫୬), ଓଲଟା ଦିଗରେ (ରଙ୍ଗ୍‌ ରୁଟରେ) ଗାଡ଼ି ଚାଳନା (୫୭), ବାଇକରେ ତିନି ଜଣ  ଯିବା (୧୦୧), ଗାଡ଼ି ଚ଼ଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର କରିବା (୫୦), ବିନା ହେଲମେଟରେ ଗାଡ଼ି ଚ଼ଳାଇବା (୧,୫୮୫), ଓ ସିଟ୍ ବେଲ୍ଟ ନ ପିନ୍ଧି ଗାଡ଼ି ଚ଼ଳାଇବା (୧୪୭) ଆଦି ଅଭିଯୋଗ ଥିଲା । ସେହିପରି ମାର୍ଚ୍ଚ ୩ ତାରିଖ ରାତି ସୁଦ୍ଧା ୧,୪୩୪ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଥିବା ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି ।
First published: March 4, 2020, 3:27 PM IST
corona virus btn
corona virus btn
Loading