ଏବେ ରୋକିବ ରଙ୍ଗ୍ ରୁଟ୍ ଡ୍ରାଇଭିଂ; ଭୁବନେଶ୍ୱରର ସଡ଼କରେ ଲାଗିବ ଟାୟାର୍ କିଲର୍

ପରୀକ୍ଷାମୂଳକ ଭାବେ ପ୍ରଥମେ ବୋମିଖାଲ ଫ୍ଲାଏଓଭରରେ ଲଗାଯିବ ଟାୟାର୍ କିଲର୍, ଯେଉଁଥିରେ ଧାତୁ ତିଆରି ଧାରୁଆ ପାତ ସବୁ ଲାଗିଥାଏ । ରଙ୍ଗ୍ ରୁଟ୍‌ରେ ଯାଇ କୌଣସି ଗାଡ଼ି ଏହି ଟାୟାର୍ କିଲର୍ ଉପରେ ଚ଼ଢ଼ିଲେ ସେ ଗାଡ଼ିର ଟାୟାର୍ କଣା ହୋଇଯାଏ । ଏହି ବ୍ୟବସ୍ଥା ସଫଳ ହେଲେ ଅନ୍ୟ ୩୨ଟି ରଙ୍ଗ୍ ରୁଟ୍ ଡ୍ରାଇଭିଂ ପ୍ରବଣ ଅଞ୍ଚଳରେ ଲାଗିବ ଟାୟାର କିଲର । ନୋଏଡା, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ସହରରେ ଏହି ବ୍ୟବସ୍ଥା ସଫଳ ହୋଇଛି ।

ଏବେ ରୋକିବ ରଙ୍ଗ୍ ରୁଟ୍ ଡ୍ରାଇଭିଂ; ଭୁବନେଶ୍ୱରର ସଡ଼କରେ ଲାଗିବ ଟାୟାର୍ କିଲର୍
ଭୁବନେଶ୍ୱରର ବୋମିଖାଲ ଫ୍ଲାଇଓଭରରେ ରଙ୍ଗ୍‌ ରୁ଼୍‌ଟ୍‌ ଗାଡ଼ି ଚ଼ାଳନାର ଏକ ଦୃଶ୍ୟ
  • News18 Odia
  • Last Updated: February 6, 2020, 10:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସହରର ବ୍ୟସ୍ତ ସଡ଼କମାନଙ୍କରେ ଓଲଟା ଦିଗରୁ ଗାଡ଼ି ଚ଼ଳେଇ ଆସିବା ଦ୍ୱାରା କିଛି ଲୋକ କେବଳ ଟ୍ରାଫିକ୍‌ ବ୍ୟବସ୍ଥାକୁ ଛିନଛତ୍ର କରିଦିଅନ୍ତି ତାହା ନୁହେଁ, ସେମାନେ ଅନେକ ଜୀବନକୁ ବିପଦରେ ବି ପକାନ୍ତି । ରାଜଧାନୀରେ କମ୍‌ ହେଉ ନ ଥିବା ରଙ୍ଗ୍‌ ରୁଟ୍ ଡ୍ରାଇଭିଂକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଖୁବ୍‌ ଶୀଘ୍ର ସଡ଼କ ଉପରେ ଲଗେଇବାକୁ ଯାଉଛି ସ୍ପାଇକ୍‌ ବ୍ୟାରିଅର୍‌ ତଥା ଟାୟାର୍‌ କିଲର୍‌ ।

ପରୀକ୍ଷାମୂଳକ ଭାବେ ପ୍ରଥମେ ବୋମିଖାଲ ଫ୍ଲାଏଓଭରରେ ଲଗାଯିବ ଟାୟାର୍‌ କିଲର୍‌, ଯେଉଁଥିରେ ଧାତୁ ତିଆରି ଧାରୁଆ ପାତ ସବୁ ଲାଗିଥାଏ । ରଙ୍ଗ୍‌ ରୁଟ୍‌ରେ ଯାଇ କୌଣସି ଗାଡ଼ି ଏହି ଟାୟାର୍‌ କିଲର୍‌ ଉପରେ ଚ଼ଢ଼ିଲେ ସେ ଗାଡ଼ିର ଟାୟାର୍‌ କଣା ହୋଇଯାଏ । ଏହି ବ୍ୟବସ୍ଥା ସଫଳ ହେଲେ ଅନ୍ୟ ୩୨ଟି ରଙ୍ଗ୍‌ ରୁଟ୍ ଡ୍ରାଇଭିଂ ପ୍ରବଣ ଅଞ୍ଚଳରେ ଲାଗିବ ଟାୟାର କିଲର । ନୋଏଡା, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ସହରରେ ଏହି ବ୍ୟବସ୍ଥା ସଫଳ ହୋଇଛି ।

‘‘କଟକ-ଭୁବନେଶ୍ବର ଦ୍ୱୈତ ନଗରୀରେ ୨୪୨ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚ଼ିହ୍ନଟ କରାଯାଇଛି । ସେଥି ମଧ୍ୟରୁ ୩୨ଟି ସ୍ଥାନରେ ଅଧିକ ରଙ୍ଗ୍‌ ସାଇଡ୍ ଡ୍ରାଇଭିଂ ହେଉଛି, ଯାହା ଅତ୍ୟନ୍ତ ବିପଦଜନକ । ଲୋକଙ୍କୁ ବାରମ୍ବାର ରଙ୍ଗ୍‌ ରୁଟ୍ ଡ୍ରାଇଭିଂ ନ କରିବାକୁ ସଚେତନ କରାଯିବା ସତ୍ତ୍ୱେ ସେମାନେ ଶୁଣିବାକୁ ନାରାଜ । ଟାୟାର୍‌ କିଲର୍‌ ଲାଗିଲେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି,’’ କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ।

ଟାୟାର୍‌ କିଲର୍‌


ଭୁବନେଶ୍ୱରରେ ରଙ୍ଗ୍‌ ରୁଟ୍ ଡ୍ରାଇଭିଂରେ ଥିବା ବିପଦ ବିଷୟରେ ଲୋକଙ୍କୁ ବାରମ୍ବାର ସଚ଼େତନ କରାଯାଇଛି । ସେ ବିଷୟରେ ପଥପ୍ରାନ୍ତ ନାଟକ ବି କରାଯାଇଛି । ଗୋଲାପ ଫୁଲ, ଚକୋଲେଟ୍‌ ଦେଇ ଲୋକଙ୍କୁ ବୁଝା ଯାଇଛି । ତା’ ପରେ ବି ନିୟମ ମାନୁନାହାଁନ୍ତି ଲୋକେ । ଫଳରେ ଏମିତି ବିପଦଜନକ ରାସ୍ତା ବ୍ୟବହାର ଉପରେ ରୋକ ଲଗାଇବାକୁ ସ୍ପାଇକ ବ୍ୟାରିଅର ତଥା ଟାୟାର କିଲର ଲଗାଇବାକୁ ଚ଼ରମ ନିଷ୍ପତ୍ତି ନେଇଛି କମିଶନରେଟ୍‌ ପୋଲିସ ।

ରାଜଧାନୀର ଅଧିକାଂଶ ବାଇକ୍‌ ଓ କାର୍‌ ଚ଼ାଳକ ଆପଣେଇଛନ୍ତି ସର୍ଟକର୍ଟ ଫର୍ମୁଲା ।  ଯିଏ ଯୁଆଡେ ପାରୁଛି ମନ ଇଚ୍ଛା ଚ଼ଳାଉଛି ଗାଡ଼ି । ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ କରି ଟ୍ରାଫିକ୍‌ ନିୟମକୁ ଛକ୍କା ମାରୁଛନ୍ତି ଲୋକେ । ମଙ୍ଗଳବାର ଦିନ ଷ୍ଟୁଆର୍ଟ ସ୍କୁଲ ନିକଟରେ ଜଣେ ମହିଳା ରଙ୍ଗ୍‌ ରୁଟ୍‌ରେ ବାଇକ୍‌ ଚ଼ଳେଇ ଯାଉଥିବା ବେଳେ ଧରା ପଡ଼ି ହଟହଟା ହୋଇଥିଲେ । ଫାଇନ୍‌ ଦେଇଥିଲେ, କ୍ଷମା ବି ମାଗିଥିଲେ । ଏ ଘଟଣା ଗଣମାଧ୍ୟମରେ ବହୁତ ପ୍ରସାରିତ ହୋଇଥିଲା । ହେଲେ ଦିନକ ପରେ ସେହି ସ୍ଥାନରେ ସେହି ସମାନ ସ୍ଥିତି ।

ରଙ୍ଗ୍‌ ରୁଟ୍‌ରେ ଯାଇ ଟାୟାର୍‌ କିଲର୍‌ ଉପରେ ଚ଼ଢ଼ିଲେ ଟାୟାର୍‌ କଣା ହୋଇଯିବ ।


ଅଭିଭାବକ ମାନେ ରାଜଧାନୀର ବିଭିନ୍ନ ସ୍କୁଲକୁ ଆସୁଛନ୍ତି ପିଲାଙ୍କୁ ଛାଡ଼ିବାକୁ ଓ ନେବାକୁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚ଼ଳାଉଥିବା ଦେଖିବାକୁ ମିଳୁଛି । କେବଳ ଷ୍ଟୁଆର୍ସ ସ୍କୁଲ ନୁହେଁ, ବାଣୀବିହାର ଛକ, ବୋମିଖାଲ ଫ୍ଲାଏଓଭର, ଖଣ୍ଡଗିରି, ଜୟଦେବ ବିହାର ଛକ, କଟକରୋଡ, ଲକ୍ଷ୍ମୀସାଗର, କଳ୍ପନା ଛକ ଓ ରାଜମହଲ ଭଳି ପ୍ରମୁଖ ଛକରେ ଦିନ ଦ୍ୱିପହରରେ ଲୋକେ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚ଼ଳେଇ ଯାଉଛନ୍ତି । ରଙ୍ଗ୍‌ ରୁଟ୍ ଯାତ୍ରା ଯୋଗୁଁ ସବୁ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

‘‘ସ୍ପାଇକ୍‌ ବ୍ୟାରିଅର୍‌ ତଥା ଟାୟାର କିଲର ବ୍ୟବସ୍ଥା ନୋଏଡ଼ା, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ସିଟିରେ ସଫଳ ହୋଇଛି । ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ଏହା ବୋମିଖାଲ ଫ୍ଲାଏଓଭରରେ ଲଗାଯିବ । ଯଦି ସଫଳ ହେଲା, ତାହେଲେ କଟକ ଓ ଭୁବନେଶ୍ବରରେ ଲାଗିବ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ନ୍ୟାଶନାଲ ରୋଡ଼ ସେଫଟି କାଉନସିଲର ସଭାପତି ସୟଦ ମକବୁଲ ଅଲ୍ଲୀ କହିଛନ୍ତି: ‘‘ରଙ୍ଗ୍‌ ରୁଟ୍ ଡ୍ରାଇଭିଂ ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ବାରା ଭୁଲ୍‌ ଦିଗରେ ଯାଉଥିବା ଲୋକ ତ ଦୁର୍ଘଟଣାର ସମ୍ମୁଖୀନ ହୁଏ, ତା’ ସହ ଯିଏ ଟ୍ରାଫିକ୍‌ ନିୟମ ମାନି ଠିକ୍‌ ରାସ୍ତାରେ ଗାଡି ଚ଼ଳାଉଛି ତା’ର ବି କ୍ଷତି ହୁଏ । ତେଣୁ ନିୟମକୁ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି’’ ।

ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥ ଲୋକଙ୍କୁ ସର୍ବଦା ଟ୍ରାଫିକ୍‌ ନିୟମ ମାନିବାକୁ ଅନୁରାଧ କରିଛନ୍ତି । ‘‘କୌଣସି ପରିସ୍ଥିତିରେ ନିୟମ ଉଲଙ୍ଘନ କରନ୍ତୁ ନାହିଁ କି ପୋଲିସ କର୍ମଚାରୀଙ୍କ ଗୋଡ଼ହାତ ଧରି ଅନୁରୋଧ କରନ୍ତୁ ନାହିଁ,’’ କହିଛନ୍ତି ଷଡଙ୍ଗୀ ।

ନୂଆ ମୋଟରଯାନ ଆଇନରେ ଉଲ୍ଲେଖ ରହିଛି ଯେ ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ ସମୟରେ ଧରାପଡିଲେ ୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିବ ପୋଲିସ । ଏପରିକି ଗାଡ଼ିଟିକୁ ପୋଲିସ ଜବତ ବି କରିପାରିବ । ବିଦେଶରେ ରଙ୍ଗ୍‌ ରୁଟ୍ ଡ୍ରାଇଭିଂକୁ ହତ୍ୟା ଉଦ୍ୟମ ପରି ଗମ୍ଭୀର ଅପରାଧ ଭାବେ ଗଣାଯାଏ ।
First published: February 6, 2020, 10:34 PM IST