କପି ଧରିଥିବାରୁ କଲେଜ ଅଧ୍ୟକ୍ଷଙ୍କ ଉପରେ ହାତୁଡ଼ିରେ ମରଣାନ୍ତକ ଆକ୍ରମଣ କଲା ଛାତ୍ର; ଗିରଫ ହେଲା

ଫେବୃୟାରୀର ରାଗକୁ ସାଇତି ରଖି ଜୁନରେ ପ୍ରତିଶୋଧ ନେଲା ଭୁବନେଶ୍ୱରର ଏକ କଲେଜର ଜଣେ ବାଟବଣା ଛାତ୍ର । ତା’ ହାତୁ଼ଡ଼ି ଆଘାତରେ କଲେଜ ଅଧ୍ୟକ୍ଷଙ୍କ ମଥାରେ ଗଭୀର ଆଘାତ ଲାଗିଛି l ସେ ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।

କପି ଧରିଥିବାରୁ କଲେଜ ଅଧ୍ୟକ୍ଷଙ୍କ ଉପରେ ହାତୁଡ଼ିରେ ମରଣାନ୍ତକ ଆକ୍ରମଣ କଲା ଛାତ୍ର; ଗିରଫ ହେଲା
ଗିରଫ ହେବା ପରେ ପୋଲିସ ସହ ଛାତ୍ର ସୋମନାଥ; (ଡାହାଣ) କଲେଜ ଅଧ୍ଯକ୍ଷ ପ୍ରଶାନ୍ତ ରାଉତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କପି ଧରିବାରୁ କଲେଜ ଅଧ୍ୟକ୍ଷଙ୍କୁ ହାତୁଡ଼ିରେ ମାରି ଲହୁଲୁହାଣ କରିଛି ଜଣେ ଛାତ୍ର l ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଏଭଳି ଏକ କଳଙ୍କିତ ଘଟଣା ଘଟିଛି ଭୁବନେଶ୍ଵର ପଟିଆ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ l ସେମିଷ୍ଟାର ପରୀକ୍ଷାରେ କପି କରୁଥିବା ବେଳେ ଧରାପଡ଼ିଥିବା ଯୁକ୍ତ ୩ ଦ୍ଵିତୀୟ ବର୍ଷ ବିଜ୍ଞାନର ଛାତ୍ର ସୋମନାଥ ସୁତାର କଲେଜ ଅଧ୍ଯକ୍ଷ ପ୍ରଶାନ୍ତ ରାଉତଙ୍କ ଉପରେ କରିଛି ମରଣାନ୍ତକ ଆକ୍ରମଣ l

ଫେବୃୟାରୀ ମାସରେ ହୋଇଥିବା ପରୀକ୍ଷାରେ ସୋମନାଥକୁ କପି କରୁଥିବା ବେଳେ ଧରିଥିଲେ ପ୍ରଶାନ୍ତ ରାଉତ । ସେହି ଦିନରୁ ପ୍ରତିଶୋଧର ନିଆଁରେ ଜଳୁଥିଲା ସୋମନାଥ l  ଅଧ୍ୟକ୍ଷଙ୍କୁ ପାନେ ଦେବାକୁ ମଉକା ଖୋଜୁଥିଲା l କିନ୍ତୁ ଲକଡାଉନ ଯୋଗୁଁ କଲେଜ ବନ୍ଦ ଥିଲା l ଜୁନ ୧୭ରେ କଲେଜ ଖୋଲିବା ପରେ ସୋମନାଥ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା l କିନ୍ତୁ ସୁଯୋଗ ପାଇ ନ ଥିଲା l

ଜୁନ ୩୦ ମଧ୍ୟ୍ୟାହ୍ନରେ ଅଧ୍ଯକ୍ଷ ଓ କଲେଜର ଅନ୍ୟ କେତେକ କର୍ମଚାରୀମାନେ ଅଫିସରେ ବସିଥିବା ବେଳେ ସୋମନାଥ ହଠାତ ଅଫିସରେ ପଶିଥିଲା l  ସାଙ୍ଗରେ ନେଇଥିବା ହାତୁଡ଼ିରେ ଅତର୍କିତ ଆକ୍ରମଣ କରିଥିଲା ପ୍ରଶାନ୍ତଙ୍କ ଉପରେ । ତାଙ୍କ ମୁଣ୍ଡକୁ ହାତୁଡ଼ିରେ ଜୋରରେ ପିଟିଦେଇ ସେଠାରୁ ଦୌଡ଼ି ପଳାଇଯାଇଥିଲା ସେ ।

ଆକ୍ରମଣରେ ବ୍ୟବହୃତ ହାତୁଡ଼ି


ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ରକ୍ତ ଜମାଟ ବାନ୍ଧିଯାଇଛି l ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି ।

‘‘କଲେଜର ଜଣେ ଛାତ୍ର ହୋଇ ସୋମନାଥ ପ୍ରତିଶୋଧ ପରାୟଣ ହୋଇ ଅଧ୍ୟକ୍ଷଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିବ ବୋଲି ଆମେ କେବେ ବିଶ୍ୱାସ କରି ନ ଥିଲୁ,’’ କହିଛନ୍ତି କଲେଜର ମୁଖ୍ୟ କିରାଣୀ ସଚିନ୍ଦ୍ର ସେଠୀ ।

ଲମ୍ବା ଚୁଟି ରଖିଥିବାରୁ ୨୦୧୯ରେ ଅଧ୍ୟକ୍ଷ ସୋମନାଥଙ୍କ ଉପରେ ଥରେ ବିରକ୍ତ ହୋଇଥିଲେ l ଏହାକୁ ନେଇ ସେ ମାନସିକ ଅଶାନ୍ତିରେ ଥିଲା l ପ୍ରଥମ ସେମିଷ୍ଟାର ପରୀକ୍ଷା ବେଳେ ଜଣେ ଅଧ୍ୟାପକ ତାକୁ ଆଡମିଟ କାର୍ଡ଼ ମାଗିବାରୁ ସେ ଆଡମିଟ କାର୍ଡ଼ ଚିରି ତାଙ୍କ ଉପରକୁ ଫୋପାଡ଼ି ତାଚ୍ଛଲ୍ୟ କରିଥିଲା ବୋଲି କହିଛନ୍ତି କଲେଜର କେତେକ କର୍ମଚାରୀ । ସେହି ଘଟଣା ପହଞ୍ଚିଥିଲା ଥାନାରେ l ଶେଷରେ ଜୋରିମାନା ଦେଇ କ୍ଷମା ପ୍ରାର୍ଥନା କରି ମୁକୁଳିଥିଲା ସୋମନାଥ l

ଆକ୍ରମଣ ସମୟର ସିସିଟିଭି ଫୁଟେଜରୁ ଏକ ଫ୍ରେମ୍


କଲେଜ ଭିତରେ ପଶି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିବାର ଟିକିନିକି ଦୃଶ୍ୟ ରେକର୍ଡ଼ ହୋଇଛି ଅଧ୍ୟକ୍ଷଙ୍କ ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ l ସୋମନାଥର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗ୍ରାମରେ l ଭୁବନେଶ୍ଵରର ମଞ୍ଚେଶ୍ଵର ଥାନା ରଙ୍ଗମାଟିଆରେ ରହି ପାଠ ପଢୁଥିଲା l

‘‘ଗୁରୁବାର ରାତିରେ ସୋମନାଥକୁ ଗିରଫ କରାଯାଇଛି l ତା’ ନିକଟରୁ ଆକ୍ରମଣରେ ବ୍ୟବହାର ହୋଇଥିବା ହାତୁଡିଟିକୁ ପୋଲିସ ଜବତ କରିଛି l ତା’ ବିରୁଦ୍ଧରେ ଆଇପିସି ଧାରା ୪୫୨, ୩୦୭, ୨୯୪ ଏବଂ ୫୦୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି,’’ କହିଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ ।

ଏହି ଘଟଣା ଉପରେ ଗଭୀର ଉଦବେଗ ପ୍ରକାଶ କରି ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ମହାନ୍ତି କହିଛନ୍ତି: ‘‘ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏଭଳି ଘଟଣା ସମାଜରେ ଆଦୌ ଗ୍ରହଣଯୋଗ୍ୟ ନୁହେଁ l ଅଧ୍ୟକ୍ଷ ହିସାବରେ ଜଣେ ଛାତ୍ରକୁ ବାଟକୁ ଆଣିବା ପାଇଁ ସେ ଉଦ୍ୟମ କରୁଥିଲେ l ତେଣୁ ଆଗକୁ ଯେମିତି ଏ ଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥି ପାଇଁ କଲେଜରୁ ସମ୍ପୁକ୍ତ ଛାତ୍ରକୁ ତୁରନ୍ତ ବହିଷ୍କାର କରାଯିବା ଉଚିତ ।’’
First published: July 3, 2020, 8:07 PM IST
corona virus btn
corona virus btn
Loading