ଚ଼ାବୁକ୍ ଧରି ବି.ଏମ୍‌.ସି. ପ୍ରସ୍ତୁତ: ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ପାଣି ଓ ବିଜୁଳି ସଂଯୋଗ କଟିବ

ଏବେ ପ୍ରାୟ ୧୧ କୋଟି ଟଙ୍କାର ହୋଲ୍‌ଡିଂ ଟିକସ ବାକି ପଡ଼ିଛି । କିନ୍ନର ଏସ୍‌.ଏଚ୍‌.ଜି.ଙ୍କ ଦ୍ବାରା ଗତ ୧୫ ଦିନରେ ପ୍ରାୟ ୫୦ ଲକ୍ଷ ଟଙ୍କା ଆଦାୟ ହୋଇଛି । ତଥାପି ଅନେକ ବଡ଼ ଖିଲାପକାରୀ ଟିକସ ପଇଠ କରିନାହାନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବକେୟା ନ ଦେଲେ କେସ୍‌ କରିବ ବି.ଏମ୍.ସି. ।

ଚ଼ାବୁକ୍ ଧରି ବି.ଏମ୍‌.ସି. ପ୍ରସ୍ତୁତ: ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ପାଣି ଓ ବିଜୁଳି ସଂଯୋଗ କଟିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 29, 2020, 2:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆପଣ ଯଦି ରାଜଧାନୀର ବାସିନ୍ଦା ଆଉ ଆପଣ ହୋଲ୍‌ଡିଂ ଟିକସ ବାକି ରଖିଛନ୍ତି, ତାହେଲେ ଆପଣଙ୍କୁ ବିଦ୍ୟୁତ ଓ ପାଣି ଆଉ ମିଳିବ ନାହିଁ । ବକେୟା ଟିକସ ପଇଠ କଲେ ହିଁ ଏ ସମସ୍ତ ସେବା ଓ ସୁବିଧା ଆପଣ ପାଇବେ । ଏ ନେଇ ରାଜଧାନୀବାସୀଙ୍କୁ ଚ଼େତାବନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ।

ନିର୍ଦ୍ଧାରିତ ସମୟରେ ବକେୟା ଟିକସ ପଇଠ ନ କଲେ ଖିଲାପକାରୀଙ୍କ ଘର ସିଲ୍‌ କରିବାକୁ ଯୋଜନା କରିଛି ବି.ଏମ୍‌.ସି. । ବିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି ।

ବି.ଏମ୍‌.ସି. ପ୍ରଥମେ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲା, ତା’ ପରେ ଟିକସ ଆଦାୟ ନେଇ କିନ୍ନର ଏସ୍‌.ଏଚ୍‌.ଜି.ଙ୍କ ସମେତ ୨୦ଟି ଏସ୍‌.ଏଚ୍‌.ଜି.କୁ ନିୟୋଜିତ କରିଥିଲା । ଆଉ ଏବେ ଖିଲାପକାରୀଙ୍କ ବିରୁଦ୍ଧରେ କେସ୍‌ କରି ବିଦ୍ୟୁତ ଓ ପାଣି ସଂଯୋଗ ବନ୍ଦ କରିବାକୁ ଚେତାବନୀ ଦେଇଛି । ବକେୟା ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ ନେଇ ଏଭଳି କଡ଼ା ନିଷ୍ପତ୍ତି ନେଇଛି ବି.ଏମ୍‌.ସି. ।

‘‘ବଡ ଖିଲାପକାରୀଙ୍କ ବିରୁଦ୍ଧରେ ଓ.ପି.ଡି.ଆର୍‌. ବା ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ। ଜୋନାଲ ଡେପୁଟି କମିଶନର ଏହାର ଅନୁଧ୍ୟାନ କରିବେ। ଆକ୍ଟ ଅନୁଯାୟୀ ଖିଲାପକାରୀଙ୍କୁ ନୋଟିସ ପଠାଯିବ। ପରେ ଜୋନାଲ୍‌ ଡେପୁଟି କମିଶନର ସେସୁ ଓ ପି.ଏଚ୍‌.ଇ.ଡି. ବିଭାଗକୁ ସେବା ବନ୍ଦ କରିବାକୁ ଚ଼ିଠି ଲେଖିବେ । ମାର୍ଚ୍ଚ ମାସରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ,’’ କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚ଼ନ୍ଦ୍ର ଚ଼ୌଧୁରୀ ।

ଏବେ ପ୍ରାୟ ୧୧ କୋଟି ଟଙ୍କାର ହୋଲ୍‌ଡିଂ ଟିକସ ବାକି ରହିଛି । ଦୀର୍ଘ ଦିନ ଧରି ଅନେକ ଲୋକ ହୋଲଡିଂ ଟିକସ ଫାଙ୍କି ଚ଼ାଲିଛନ୍ତି। ବକେୟା ଟିକସ ଆଦାୟ ପାଇଁ କିଛି ଦିନ ତଳେ କିନ୍ନର ଏସ୍‌.ଏଚ୍‌.ଜି.ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। କିନ୍ନର ଏସ୍‌.ଏଚ୍‌.ଜି.ଙ୍କ ଦ୍ବାରା ଗତ ୧୫ ଦିନରେ ପ୍ରାୟ ୫୦ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ତଥାପି ଅନେକ ବଡ଼ ବଡ଼ ଖିଲାପକାରୀ ଟିକସ ପଇଠ କରିବାରେ ପଞ୍ଚଘୁଞ୍ଚା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଘରୋଇ ସ୍କୁଲ, ନର୍ସିଂହୋମ, ହୋଟେଲ ଓ  ଧନୀ ବ୍ୟକ୍ତି ମଧ୍ୟ ଅଛନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବକେୟା ଟିକସ ଦାଖଲ ନ କଲେ ସେମାନଙ୍କ ତାଲିକା ପ୍ରସ୍ତୁତ କରି ଓପିଡିଆର୍‌ ଆକ୍ଟ ଅନୁଯାୟୀ କେସ୍‌ କରାଯିବ ।

‘‘ଅନ୍ୟ ରାଜ୍ୟରେ ମୁନିସପାଳିଟି ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆ ଯାଇଛି। ବି.ଏମ.ସି.ର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ,’’ କହିଛନ୍ତି ବି.ଏମ.ସି.ର ପୂର୍ବତନ ଟ୍ୟାକ୍ସ ଓ ଫାଇନାନ୍ସ ଅଧ୍ୟକ୍ଷ ଶେଖ ନିଜାମୁଦ୍ଦିନ। ସେହିପରି ଟ୍ୟାକ୍ସ କଲେକ୍ଟର କିନ୍ନର ମେଘନା କହିଛନ୍ତି, "ଅନେକ ସମୟରେ ଲୋକଙ୍କୁ ଅନୁରୋଧ କରିବା ପରେ ବି ଟିକସ ଦେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ସେମାନେ । ଏଭଳି କଡ଼ା ପଦକ୍ଷେପ ନିଆଗଲେ ତୁରନ୍ତ ଲୋକେ ଟିକସ ପଇଠ କରିବେ’’ ।

ବି.ଏମ୍‌.ସି. ଅଞ୍ଚଳରେ ଘର କଲେ ହୋଲ୍‌ଡିଂ ଟିକସ ଦେବା ବାଧ୍ୟତାମୂଳକ । ନହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ଟିକସ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜେ.ଡି.ସି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଖିଲାପକାରୀ ପ୍ରତିଷ୍ଠାନକୁ ସିଲ୍‌ ବି କରାଯିବ ବୋଲି କହିଛନ୍ତି ବି.ଏମ୍‌.ସି. ଅଧିକାରୀମାନେ ।
First published: February 29, 2020, 2:13 PM IST