ନିଜ ଦୁଇଟି କିଡନୀ ଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ସୁଚ଼ିତ୍ରା ଦାସ, ମରି ବି ହୋଇଗଲେ ଅମର

‘‘ସେ ତ ଯାଉଛି । ଯଦି ତା’ ପାଇଁ ଆଉ ଅନ୍ୟ କେହି ବଞ୍ଚିପାରିବ, ତାହେଲେ ୟା ଠାରୁ ଭଲ କାମ ଆଉ କଣ ଅଛି?’’ କହିଥିଲେ ସୁଚ଼ିତ୍ରାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ଦାସ । ଓଡ଼ିଶାରେ ଗୋଟିଏ ମାସରେ ଏହା ଦ୍ୱିତୀୟ ଅଙ୍ଗ ଦାନ ପରେ ସଫଳ କିଡନୀ ପ୍ରତ୍ୟାରୋପଣ ଘଟଣା ।

ନିଜ ଦୁଇଟି କିଡନୀ ଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ସୁଚ଼ିତ୍ରା ଦାସ, ମରି ବି ହୋଇଗଲେ ଅମର
ସ୍ବାମୀ ଗୋପାଳ ଚନ୍ଦ୍ର ଦାସଙ୍କ ସହ ସୁଚ଼ିତ୍ରା ଦାସ
  • News18 Odia
  • Last Updated: February 28, 2020, 12:10 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ପରିବାରରେ ଖୁସିର ଲହରୀ ଖେଳାଇବାର ଦୁଇ ଦୁଇଟି ଘଟଣା ସାମନାକୁ ଆସିଛି ମାସକ ଭିତରେ । ଗଞ୍ଜାମର ସ୍ୱର୍ଗତା ପ୍ରିୟଙ୍କାsରାଣୀ ପାତ୍ରଙ୍କ ପରେ ଏବେ ଭୁବନେଶ୍ୱରର ସ୍ୱର୍ଗତା ସୁଚିତ୍ରା ଦାସଙ୍କ ପରିବାର ଅଙ୍ଗ ଦାନ ପରି ମହା ପୁଣ୍ୟ କରି ଅଶେଷ ପ୍ରଶଂସା ଓ କୃତଜ୍ଞତାର ପାତ୍ର ହୋଇଛନ୍ତି ।

ପ୍ରତିଷ୍ଠିତ ଖବରକାଗଜ ସମାଜର ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ ମଝିଆଁ ବୋହୂ ୫୬ ବର୍ଷୀୟା ସୁଚିତ୍ରା ଦାସ ବ୍ରେନ ଡେଡ୍ ହେବା ଜାଣି ତାଙ୍କର ଦୁଇଟି ଯାକ କିଡନୀ ଦାନ କରିବାକୁ ସହମତି ଦେଇଥିଲେ ତାଙ୍କ ପରିବାର । ସେ ଆଡମ୍ଟ୍‌ ଥିବା ଆପୋଲୋ ହସ୍ପିଟାଲ ତରଫରୁ କରାଯାଇଥିଲା କାଡାଭେରିକ କିଡନୀ ପ୍ରତିରୋପଣ । ମାତ୍ର ତିନି ସପ୍ତାହ ଭିତରେ ଏହା ଥିଲା ରାଜ୍ୟର ଦ୍ୱିତୀୟ ସଫଳ କାଡାଭେରିକ କିଡନୀ ପ୍ରତିରୋପଣ ।

‘‘ସେ ତ ଯାଉଛି । ଯଦି ତା’ ପାଇଁ ଆଉ ଅନ୍ୟ କେହି ବଞ୍ଚିପାରିବ, ତାହେଲେ ୟା ଠାରୁ ଭଲ କାମ ଆଉ କଣ ଅଛି? ମୁଁ ମୋ’ ପୁଅ ଓ ଝିଅଙ୍କୁ ପଚ଼ାରିଲି । ସେମାନେ କହିଲେ ଯେ ଅଙ୍ଗ ଦାନ ଏକ ମହାନ କାର୍ଯ୍ୟ, ଆଉ ଆମ ମା’ଙ୍କ ଯୋଗୁଁ ଯଦି ଆଉ କେହି ଜୀବନ ପାଉଛି ତାହେଲେ ତା’ ଠାରୁ ବଡ଼ କଥା ଆଉ କିଛି ନାହିଁ,’’ କହିଛନ୍ତି ମୃତ ସୁଚ଼ିତ୍ରାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ଦାସ ।

ସପରିବାର ଭୁବନେଶ୍ବରର ପୋଖରୀପୁଟରେ ରହୁଥିବା ସୁଚିତ୍ରା ରବିବାର ହଠାତ୍ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଭର୍ତ୍ତି କରାଯାଇଥିଲା ଆପୋଲୋ ହସ୍ପିଟାଲରେ । ତିନି ଦିନ ଧରି ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା । ବୁଧବାର ସନ୍ଧ୍ୟାରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ଏହା ଜାଣିବା ପରେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ମନସ୍ଥ କରିଥିଲେ ସ୍ବାମୀ ଗୋପାଳ ଚନ୍ଦ୍ର ଦାସ ।

କିଡନୀ ଟ୍ରାନ୍ସପ୍ଲାଣ୍ଟେସନ କରିଥିବା ଆପୋଲୋ ହସ୍ପିଟାଲ୍‌ର ଡାକ୍ତରୀ ଟିମ୍‌


ତତକ୍ଷଣାତ ହସ୍ପିଟାଲ କର୍ତ୍ତୃପକ୍ଷ ଆରମ୍ଭ କରିଦେଇଥିଲେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟେସନ ପାଇଁ ପ୍ରସ୍ତୁତି । କିଡନୀ ପ୍ରତିରୋପଣ ଅପେକ୍ଷାରେ ଥିବା ଦୁଇ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ପାଖାପାଖି ଛଅ ଘଣ୍ଟାର ଅପରେସନ ପରେ ଦୁଇ ଜଣ ରୋଗୀଙ୍କଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା ସୁଚିତ୍ରାଙ୍କ ଦୁଇଟି ଯାକ କିଡନୀ ।

‘‘ଆମେ କିଡନୀ ବାହାର କରିବା ପାଇଁ ଅପରେସନ୍‌ ସନ୍ଧ୍ୟା ୭ଟା ପାଖାପାଖି ଆରମ୍ଭ କରିଥିଲୁ ଓ ସାଢ଼େ ୧୦ଟା ସୁଦ୍ଧା ସାରିଥିଲୁ । ତା’ପରେ ପ୍ରତ୍ୟାରୋପଣ ଅପରେସନ୍‌ ଆରମ୍ଭ କରିଥିଲୁ ରାତି ୧୧ଟାରେ ଓ ସାରିଥିଲୁ ଭୋର୍‌ ତିନିଟା ବେଳେ । ପ୍ରତ୍ୟାରୋପଣ ପରେ ରୋଗୀଙ୍କ ଅବସ୍ଥା ଭଲ ଅଛି । ସବୁ କିଛି ଠିକ୍‌ ଠାକ୍‌ ହୋଇଛି,’’ କହିଛନ୍ତି ଆପୋଲୋ ହସ୍ପିଟାଲର ୟୁରୋଲୋଜିକାଲ୍‌ ସର୍ଜନ୍‌ ଡାକ୍ତର ସମୀରନ ଅଧିକାରୀ ।

ଗୋପାଳ ଚନ୍ଦ୍ର ଦାସ


ଗତ ୪ ତାରିଖରେ ସେହି ଆପୋଲୋ ହସ୍ପିଟାଲରେ ଘଟିଥିଲା ଅନୁରୂପ ଘଟଣା । ଏକ ମର୍ମନ୍ତୁଦ ଦୁର୍ଘଟଣାର ସାମ୍ନା କରିଥିବା ଗଞ୍ଜାମ ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ତାଙ୍କ ପରିବାରବର୍ଗ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆପୋଲୋ ଓ ଏସ୍‌.ସି.ବି. ମେଡିକାଲରେ ଚିକିତ୍ସାଧୀନ ଦୁଇ ଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା ପ୍ରିୟଙ୍କାରାଣୀଙ୍କ ଦୁଇଟି କିଡନୀ । ତାହା ଥିଲା ଓଡ଼ିଶାର ପ୍ରଥମ ସଫଳ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟେସନ ।

‘‘ଏହି ଅଙ୍ଗ ଦାନ ଘଟଣାଗୁଡ଼ିକ ଓଡ଼ିଶାର ଡାକ୍ତରୀ ଓ ମାନବିକତାର ଇତିହାସରେ ଗୋଟେ ଗୋଟେ ମାଇଲ ଖୁଣ୍ଟ । ଗୋଟିଏ ମାସରେ ଏମିତି ଦୁଇଟି ଅଙ୍ଗ ଦାନ ଉଦାହରଣ ଆସିବା ଗୋଟେ ବିରାଟ କଥା । ଏଇଥିରୁ ଆମେ ନିଶ୍ଚିତ ହେଉଛୁ ଯେ ଲୋକମାନଙ୍କ ପାଖରେ ସଚ଼େତନତାର ବାର୍ତ୍ତା ପହଞ୍ଚିପାରିଛି । ପ୍ରିୟଙ୍କାରାଣୀଙ୍କ ପର ଠାରୁ ଶହ ଶହ ସଂଖ୍ୟାରେ ଲୋକେ ଅଙ୍ଗ ଦାନ କରିବାକୁ ସତ୍ୟପାଠ କରିବା ପାଇଁ ଆଗେଇ ଆସିଛନ୍ତି,’’ କହିଛନ୍ତି ଭାରତ ଶରୀର ଓ ଅଙ୍ଗଦାନ ଅଭିଯାନର ସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟ ।
First published: February 28, 2020, 12:10 AM IST
corona virus btn
corona virus btn
Loading