News18 Odia Digital
ଭୁବନେଶ୍ୱର: ରାଜଧାନୀରେ ସକ୍ରିୟ ହୋଇଥିବା କେତେକ ହାଇ-ପ୍ରୋଫାଇଲ୍ ଠକଙ୍କୁ ସୁରକ୍ଷା ଓ ସହାୟତା ଦେଇ ଫାଇଦା ନେବାକୁ ଚେଷ୍ଟା କରୁଥିଲେ ଖୋଦ୍ ଆଇନର ରକ୍ଷକ । କୋଟିଏ ଟଙ୍କାର କଳା କାରବାର ହେଉଥିବା ବେଳେ ଖାକି ବର୍ଦିକୁ ଧରିଥିଲା ଖାକି ବର୍ଦି । କମିଶନରେଟ୍ ପୋଲିସର ତିନି ଜଣ କର୍ମଚାରୀଙ୍କ ସମେତ ଏହି କଳା କାରନାମାରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି ଓ ‘‘ଅଙ୍ଗାଡ଼ିଆ ସ୍କିମ୍’’ର ଗୁମର ଖୋଲିଛି । ସେମାନଙ୍କ ଠାରୁ ଜବତ ହୋଇଛି ୯୯ ଲକ୍ଷ ୫୦ ହଜାର ଟଙ୍କା ।
ଏହି କଳା ସ୍କିମର ପ୍ଲାନ୍ ଥିଲା ଏମିତି: ‘କୋଟିଏ ଟଙ୍କା ଦିଅ, ଦେଢ଼ କୋଟି ଟଙ୍କା ନିଅ’ । ତାହା ପୁଣି ଆକାଉଣ୍ଟରୁ ଆକାଉଣ୍ଟକୁ । ଏହି ଅଙ୍ଗାଡି଼ଆ ସ୍କିମରେ ଏମିତି କୋଟି କୋଟି ଟଙ୍କା ଲଗାଇ କିଛି ଲୋକ ବେଶ୍ ଲାଭ ପାଇଛନ୍ତି ବୋଲି କୁହାଯାଉଥିଲା । ଲୋକଙ୍କୁ ଲୋଭ ଦେଖାଇ କୁହାଯାଉଥିଲା ଯେ ଯଦି କେହି କୋଟିଏ ଟଙ୍କା ଲଗେଇବେ ତାହେଲେ ତାଙ୍କୁ ଦେଢ଼ କୋଟି ଟଙ୍କା ମିଳିବ । ଏମିତି ଲୋଭ ଦେଖାଇ କରଞ୍ଜିଆର କମଲ ସାହା ନାମକ ଜଣେ ବ୍ୟବସାୟୀଙ୍କୁ ଠକିବାରୁ ଚେଷ୍ଟା କରୁଥିଲେ ପୁରୀ ଅଞ୍ଚଳର ପ୍ରଶାନ୍ତ ପଣ୍ଡା । ମାତ୍ର ଠକେଇ ପୂରା ହେବା ଆଗରୁ ହିଁ ସେ ଓ ତାଙ୍କ ରାକେଟରେ ଥିବା ଲୋକେ ଧରାପଡ଼ିଗଲେ ପୋଲିସ ହାତରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ
ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ମଙ୍ଗଳବାର ଦିନ କମଲ ସାହାଙ୍କୁ ପ୍ରଶାନ୍ତ ପଣ୍ଡା ଡାକିଥିଲେ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କ ନିକଟରେ ଥିବା ଏକ ଓୟୋ ହୋଟେଲର ରୁମ୍ ନମ୍ବର୍ ୫୦୪କୁ । ପୋଲିସ କବଳରୁ ଖସିଯିବା ପାଇଁ ବେଟିଂର ଆଳ ଦେଖାଇ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ହାତରେ ରଖିଥିଲେ ପଣ୍ଡା ଓ ତାଙ୍କ ସହଯୋଗୀମାନେ । ହେଲେ ଡିଲ୍ ବେଳେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚିଯାଇଥିଲା ଓ ସେମାନଙ୍କ ସବୁ ଯୋଜନା ଫେଲ୍ ମାରିଥିଲା । ପୋଲିସ ହାତରେ ଧରାପଡ଼ିଯାଇଥିଲା ପୂରା ଠକ ଗ୍ୟାଙ୍ଗ୍ । ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ପଣ୍ଡା ଓରଫ୍ ହ୍ୟାପି ଓ ତାଙ୍କ ସହଯୋଗୀ କରଞ୍ଜିଆ ନିବାସୀ ଏନ୍.ଜି.ଓ. ସଞ୍ଚାଳକ ମହେଶ୍ୱର ସାହୁଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ
ପ୍ରଶାନ୍ତ ପଣ୍ଡାଙ୍କ ଠାରୁ ଡାକରା ପାଇ ଗୋଟିଏ ବ୍ୟାଗରେ ପ୍ରତି ବଣ୍ଡଲ୍ ଅଢ଼େଇ ଲକ୍ଷ ଟଙ୍କା ଥିବା ୪୦ଟି ବଣ୍ଡଲରେ ମୋ’ଟ ୧ କୋଟି ଟଙ୍କା ଧରି କରଞ୍ଜିଆରୁ ଭୁବନେଶ୍ୱର ଆସିଥିଲେ କମଲ୍ ସାହା । ତାଙ୍କର କରଞ୍ଜିଆରେ ଏକ ଛଡ଼ ଓ ସିମେଣ୍ଟ୍ ଦୋକାନ ଅଛି । ଓୟୋ ହୋଟେଲର ରୁମରେ ଆରମ୍ଭ ହୋଇଥିଲା ଡିଲ୍ । ତେବେ ଅଧିକ ଚାଲାକ୍ ହୋଇ ପୋଲିସକୁ ଖବର ଦେଇଥିଲେ ପ୍ରଶାନ୍ତ ପଣ୍ଡା । ଯେତେବେଳେ ଟଙ୍କା ହୋଟେଲ୍ ରୁମରେ ପହଞ୍ଚିଥିଲା ସେତେବେଳ ପୋଲିସ୍ ରେଡ୍ କରି ଟଙ୍କା ଜବତ କରିଥିଲା ଓ ସେଠାରେ ଥିବା ପାଞ୍ଚ ଜଣ ଲୋକଙ୍କୁ ଅଟକ ରଖିଥିଲା । ତଦନ୍ତ ପରେ ଯାହା ସତ ସାମ୍ନାକୁ ଆସିଲା ତାହା ପୋଲିସର ହୋସ୍ ଉଡାଇଦେଇଥିଲା ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ଗିରଫ ହୋଇଥିବା ତିନି ଜଣ ପୋଲିସ କର୍ମୀ ହେଉଛନ୍ତି କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡିର ଦିଲ୍ଲୀପ ମଲ୍ଲିକ, ସନ୍ଦୀପ ପୃଷ୍ଟି ଓ କଟକ ୟୁପିଡିର ପ୍ରଫୁଲ୍ଲ ଭୂୟାଁ । ସେମାନଙ୍କ ଠାରୁ ନଅ ବଣ୍ଡଲ୍ ଟଙ୍କା ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପଣ୍ଡାଙ୍କ ସହ ତାଙ୍କ ସହଯୋଗୀ ପ୍ରଶାନ୍ତ ପାଢ଼ୀ ବି ଗିରଫ ହୋଇଛନ୍ତି ।
‘‘ପ୍ରଶାନ୍ତ ପଣ୍ଡା କହୁଥିଲେ ଯେ ବିଭିନ୍ନ ଫଣ୍ଡିଂ ଏଜେନ୍ସି ଓ ସଂସ୍ଥା ଅଛନ୍ତି ଯେଉଁମାନଙ୍କର ଲୁଜ୍ କ୍ୟାଶ୍ (ନଗଦ ଟଙ୍କା) ଦରକାର ହୁଏ, ଆଉ ଯଦି ଆମେ ସେମାନଙ୍କୁ ଅନଆକାଉଣ୍ଟେଡ୍ ଟଙ୍କା ଦେବା ତାହେଲେ ସେମାନେ ଆମ ଆକାଉଣ୍ଟରେ ତା’ ଠାରୁ ବେଶୀ ଟଙ୍କା ପଠେଇବେ ଯେଉଁଥିରେ ଆୟ କର ଆଦି ଦେଇ ଆପଣ ସମ୍ପୂର୍ଣ୍ଣ ଧଳା ଧନ କରିପାରିବେ । ପଣ୍ଡା ତାଙ୍କର ଏହି ଅଙ୍ଗାଡ଼ିଆ ସ୍କିମ୍ ଓ କମ୍ପାନୀର ଡକ୍ୟୁମେଣ୍ଟ୍ ବି ଦେଖାଉଥିଲେ । ଏହାର ନିୟମାବଳୀ ବି ଶୁଣାଉଥିଲେ ଓ ଚୁକ୍ତି ବି ସାଇନ୍ କରାଉଥିଲେ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।