ଆଉ ଲୁଚ଼ି କି ଲାଭ? ଭୁବନେଶ୍ୱରରେ ହୋଲଡିଂ ଟାକ୍ସର ବଡ଼ ଖିଲାପକାରୀଙ୍କ ନାଁର ତାଲିକା ଲାଗିଲା ହୋର୍ଡ଼ିଂରେ

ବର୍ଷ ବର୍ଷ ଧରି ହୋଲଡିଂ ଟାକ୍ସ ଦେଇ ନ ଥିବା ୩୪୩ ଜଣ ବଡ଼ ଖିଲାପକାରୀଙ୍କ ତାଲିକା ହୋର୍ଡ଼ିଂରେ ଲଗାଯାଇଛି ଭୁବନେଶ୍ୱରର ରାସ୍ତାରେ । ସେମାନଙ୍କ ନାଆଁରେ ମୋଟ ୧୧ କୋଟି ଟଙ୍କାର ଟାକ୍ସ ବକେୟା ପଡ଼ିଛି ।

ଆଉ ଲୁଚ଼ି କି ଲାଭ? ଭୁବନେଶ୍ୱରରେ ହୋଲଡିଂ ଟାକ୍ସର ବଡ଼ ଖିଲାପକାରୀଙ୍କ ନାଁର ତାଲିକା ଲାଗିଲା ହୋର୍ଡ଼ିଂରେ
ଭୁବନେଶ୍ୱରରେ ଏକ ରାସ୍ତା କଡ଼ରେ ଲାଗିଥିବା ହୋର୍ଡ଼ିଂ
  • News18 Odia
  • Last Updated: March 13, 2020, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ହୋଲଡିଂ ଟାକ୍ସ ପଇଠ କରି ନ  ଥିବା ଲୋକଙ୍କ ପାଇଁ କିଛି ଖରାପ ଖବର ଆସିଛି । ବିଏମସିର ବଡ଼ ଡିଫଲଟର୍ସଙ୍କ ନାଆଁ ଏବେ ସହରର ସବୁ ଗଳି କନ୍ଦିରେ ଲେଖାଥିବା ଦେଖିବାକୁ ମିଳୁଛି । ବର୍ଷ ବର୍ଷ ଧରି ଟାକ୍ସ ଦେଇ ନ ଥିବା ୩୪୩ ଜଣ ବଡ଼ ଖିଲାପକାରୀଙ୍କ ତାଲିକା ହୋର୍ଡିଂ ହୋଇ ଲାଗିଛି ରାଜଧାନୀର ରାଜରାସ୍ତାରେ ।

ବାଣୀବିହାର, ଗଙ୍ଗନଗର ଓ ମାଷ୍ଟରକ୍ୟାଣ୍ଟିନ୍ ଭଳି କିଛି ମୁଖ୍ୟ ଛକରେ ଲାଗିଛି ଟାକ୍ସ ଖିଲାପକାରୀଙ୍କ ନାଆଁ ସହ ସମ୍ପୂର୍ଣ୍ଣ ତଥ୍ୟ । ଭୋଇନଗରର ଉମାନନ୍ଦ ଆଣ୍ଡ ଅଦର୍ସ ନାଆଁରେ ବକେୟା ରହିଛି ୩ ଲକ୍ଷ ୪୬ ହଜାର ୨୪୮ ଟଙ୍କା  । ସେହି ଭଳି ଅବଦୁଲ ଖାଲିଗ୍ ଓ ଅବଦୁଲ୍ ଖୁସିଦୁଙ୍କ ନାମରେ ରହିଛି ୩ ଲକ୍ଷ ୧୯ ହଜାର ୬୮୦ ଟଙ୍କା ଓ ଅଞ୍ଜୁମ୍ ବେଗମଙ୍କ ନାଆଁରେ ରହିଛି ୧ ଲକ୍ଷ ୨୩ ହଜାର ଟଙ୍କାର ବକେୟା । ଖାଲି ଏଇ ତିନି ଜଣ ନୁହେଁ, ମୋଟ୍ ୩୪୩ ଜଣଙ୍କ ନାଆଁରେ ୧୧ କୋଟି ଟଙ୍କାର ଟାକ୍ସ ବକେୟା ରହିଛି  ।

‘‘ବିଏମସି କର୍ତ୍ତୃପକ୍ଷ ଓ ୱାର୍ଡ ଅଫିସରମାନେ ଅନେକ ଚେଷ୍ଟା କରି ବକେୟା ଟଙ୍କା ଆଦାୟ କରିପାରିନାହାନ୍ତି । ତେଣୁ ହୋର୍ଡିଂ ଜରିଆରେ ଡିଫଲଟର୍ ଘୋଷଣା କରିବାକୁ ଆମେ ବାଧ୍ୟ ହୋଇଛୁ,’’କହିଛନ୍ତି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ। ‘‘ଟାକ୍ସ ବାବଦକୁ ବାକି ଥିବା ଟଙ୍କା ପଇଠ ନ କଲେ ଓପିଡିଆର୍ ଆଇନ ଅନୁଯାୟୀ ସେହି ଟଙ୍କା ଆଦାୟ ହେବ,’’ ସେ କହିଛନ୍ତି ।

ଗତ ଫେବୃଆରୀ ମାସରେ ହୋଲଡିଂ ଟାକ୍ସ ଆଦାୟ ପାଇଁ କିନ୍ନର ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ବ ଦେଇଥିଲା ବିଏମସି ।

ବିଏମସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ


‘‘ସେମାନଙ୍କ ଦ୍ୱାରା ମାସକ ଭିତରେ ଦେଢ଼ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କିଛି ଟାକ୍ସ ଖିଲାପକାରୀ ଆଇନକୁ ଆଳ କରି ଟାକ୍ସ ଫାଙ୍କିବାକୁ ଚେଷ୍ଟା କରିଆସୁଛନ୍ତି,’’ କହିଛନ୍ତି ଟାକ୍ସ କଲେକ୍ଟର କିନ୍ନର ମେଘନା ।

ସ୍ମାର୍ଟ ସିଟିକୁ ଆହୁରି ସୁନ୍ଦର କରିବାକୁ ହେଲେ ସାଧାରଣ ଲୋକଙ୍କ ସହାୟତାର ଆବଶ୍ୟକ ରହିଛି  । ସମୟରେ ଟାକ୍ସ ଦେଇ ବିଏମସିକୁ ସାଯାଯ୍ୟ କରିବାକୁ ପ୍ରତି ୱାର୍ଡ଼ରେ ସାଧାରଣ ଲୋକଙ୍କୁ କର୍ପୋରେଟରମାନେ ପୂର୍ବରୁ ସଚେତନ ମଧ୍ୟ କରାଉଥିଲେ । ତଥାପି ବାକି ପଡ଼ି ରହିଛି କୋଟି କୋଟି ଟଙ୍କା  ।

ତେବେ ପ୍ରଶ୍ନ ଉଠୁଛି କାହିଁକି ବିଏମସି ବର୍ଷ ବର୍ଷ ଧରି ଟାକ୍ସ ଆଦାୟ କରିବାରେ ବିଳମ୍ବ କରୁଥିଲା  । ପ୍ରତି ବର୍ଷ  ମାର୍ଚ୍ଚ ସୁଦ୍ଧା ଟଙ୍କା ଆଦାୟ ହେଉଥିବା ବେଳେ ବକେୟା ଟଙ୍କା ସମୟରେ ଆଦାୟ ହେବ କି ନା ତାହା ଏବେ ସନ୍ଦେହରେ  ।
First published: March 13, 2020, 10:53 PM IST
corona virus btn
corona virus btn
Loading