ସ୍ମାର୍ଟ ସିଟି ଭୁବନେଶ୍ୱରରେ ନିର୍ମାଣ ହେବ କୃତ୍ରିମ ହ୍ରଦ; ଡ୍ରେନ୍‌ ପାଣିକୁ ବିଶୁଦ୍ଧ କରି ଏଥିରେ ଛଡ଼ାଯିବ

ଜନପଥରୁ ଶାନ୍ତିପଲ୍ଲୀ ବସ୍ତି ଯାଏ ଏକ କୃତ୍ରିମ ହ୍ରଦ ନିର୍ମାଣ କରିବ ସ୍ମାର୍ଟ ସିଟି କମ୍ପାନୀ । ଏଥି ପାଇଁ ୪୫ ଏକର ଜମି ଅଧିଗ୍ରହଣ କରାଯିବ । ହ୍ରଦର ଉଭୟ ପାର୍ଶ୍ବରେ ଲୋକଙ୍କ ଯାତାୟତ ପାଇଁ ରହିବ ପାଥୱେ । ଏହି ପ୍ରକଳ୍ପ ପାଇଁ ପ୍ରଥମେ ଜବରଦଖଲ ଉଚ୍ଛେଦ କରାଯିବ ।

ସ୍ମାର୍ଟ ସିଟି ଭୁବନେଶ୍ୱରରେ ନିର୍ମାଣ ହେବ କୃତ୍ରିମ ହ୍ରଦ; ଡ୍ରେନ୍‌ ପାଣିକୁ ବିଶୁଦ୍ଧ କରି ଏଥିରେ ଛଡ଼ାଯିବ
ଲେକ୍‌ ନ୍ୟଟ୍ରାଲ୍‌ ପାଇଁ ତିଆରି ହୋଇଥିବା ମାଷ୍ଟର୍‌ ପ୍ଲାନ୍‌
  • News18 Odia
  • Last Updated: March 13, 2020, 8:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ପରିଣତ ହେଉଥିବା ରାଜ୍ୟ ରାଜଧାନୀରେ ଏକ ସ୍ମାର୍ଟ ପ୍ରକଳ୍ପ ଦ୍ୱାରା ମନୋରଞ୍ଜନ ଓ ସ୍ୱଚ୍ଛତା ଉଭୟ ଲକ୍ଷ ହାସଲ କରାଯିବାକୁ ଯୋଜନା ହୋଉଛି । ସହରର ଡ୍ରେନ୍‌ ପାଣିକୁ ବିଶୁଦ୍ଧିକରଣ କରାଯାଇ ଏକ କୃତ୍ରିମ ହ୍ରଦରେ ଛଡ଼ାଯିବ । ଏ ନେଇ ୧୦ ନମ୍ବର ପ୍ରାକୃତିକ ନାଳ ପାର୍ଶ୍ବରେ ପ୍ରାୟ ୪୫ ଏକର ଜମି ଅଧିଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏଥି ପାଇଁ ୫୦.୯ କୋଟି ଟଙ୍କାର ବଜେଟ ଆକଳନ ହୋଇଛି ।

‘‘ବଦଳିବ ୧୦ ନମ୍ବର ପ୍ରାକୃତିକ ନାଳର ପାରିପାର୍ଶ୍ବିକ ସ୍ଥିତି । ଜନପଥରୁ ଶାନ୍ତିପଲ୍ଲୀ ବସ୍ତି ଯାଏ ନିର୍ମାଣ ହେବ ଏକ କୃତ୍ରିମ ହ୍ରଦ । ଏ ନେଇ ୪୫ ଏକର ଜମି ଅଧିଗ୍ରହଣ କରାଯିବ । ପ୍ରାକୃତିକ ନାଳ କଡ଼ରେ ନିର୍ମାଣ ହେବ ଏକ ହ୍ରଦ । ଗ୍ରାଉଣ୍ଡ ୱାଟର ସହ ଡ୍ରେନ୍‌ର ଜଳକୁ ବିଶୁଦ୍ଧକରଣ କରାଯିବା ପରେ ଛଡାଯିବ ହ୍ରଦରେ । ହ୍ରଦର ଉଭୟ ପାର୍ଶ୍ବରେ ଲୋକଙ୍କ ଯାତାୟତ ପାଇଁ ରହିବ ପାଥୱେ,’’ ଏହି ଅଭିନବ ଯୋଜନା ବିଷୟରେ ସୂଚ଼ନା ଦେଇ କହିଛନ୍ତି ସ୍ମାର୍ଟ ସିଟି କମ୍ପାନୀର ଇଞ୍ଜିନିୟରିଂ ବିଭାଗର ଜିଏମ୍‌ ଅଶ୍ବିନୀ କୁମାର ବିଶ୍ବାଳ । ଏହି ପ୍ରକଳ୍ପକୁ ‘ଲେକ୍‌ ନ୍ୟୁଟ୍ରାଲ୍‌’ ନାଆଁ ଦିଆଯାଇଛି ।

ଏହି ପାଥୱେରେ ରହିବ ସୁନ୍ଦର ଲାଇଟିଂ ବ୍ୟବସ୍ଥା । ବିଶେଷ କରି ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଏଥିରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ବୋଲି କହିଛନ୍ତି ବିଶ୍ୱାଳ । ଏ ନେଇ ପ୍ରଥମ ପର୍ଯ୍ୟାୟରେ ୫୦.୯ କୋଟି ଟଙ୍କା ବଜେଟ ଆକଳନ ହୋଇଛି ଓ ପ୍ରକଳ୍ପ ପାଇଁ ଡିପିଆର୍‌ ବି ପ୍ରସ୍ତୁତ ହୋଇସାରିଛି । ଜୁନ୍‌ ସୁଦ୍ଧା ଟେଣ୍ଡର କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ମାର୍ଟ ସିଟି କମ୍ପାନୀ ।

ବର୍ତ୍ତମାନ ଏମିତି ଡ୍ରେନ୍‌ସବୁ ଭୁବନେଶ୍ୱରରରେ ଦେଖିବାକୁ ମିଳୁଛି ।


ଜବରଦଖଲ ଯୋଗୁଁ ଭୁବନେଶ୍ୱରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡିକ ସଙ୍କୁଚିତ ହୋଇ ରହିଛି । ଫଳରେ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି । ଜନପଥରୁ ଶାନ୍ତିପଲ୍ଲୀ ରେଲୱେ ଲାଇନ୍‌ ଯାଏ ୧୦ ନମ୍ବର ଡ୍ରେନ୍‌ରେ ମଧ୍ୟ ଅନେକ ସ୍ଥାନରେ ଜବରଦଖଲ ରହିଛି । ତେଣୁ ପ୍ରଥମେ ଜବରଦଖଲ ଉଚ୍ଛେଦ ପରେ ଜଳ ବିଶୁଦ୍ଧିକରଣ କାମ ଆରମ୍ଭ କରାଯିବ ।

‘‘ଏହି ପ୍ରକଳ୍ପ ଦ୍ବାରା ଲୋକଙ୍କୁ ମନୋରଞ୍ଜନର ଏକ ଭିନ୍ନ ସ୍ବାଦ ତ ମିଳିବ, ତା’ ସହ ସ୍ବଚ୍ଛତା ଆଡ଼କୁ ଆଉ ପାଦେ ଆଗେଇବ ସ୍ମାର୍ଟ ସିଟି । ସଂପୃକ୍ତ ଅଞ୍ଚଳରେ ଡ୍ରେନ୍‌ର ଦୁର୍ଗନ୍ଧମୟ ପରିବେଶରୁ ମଧ୍ୟ ମୁକ୍ତି ମିଳିପାରିବ । ହ୍ରଦ ପାଣିକୁ ବୃକ୍ଷରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିହେବ,’’ କହିଛନ୍ତି ବିଶ୍ୱାଳ ।

ଲେକ୍‌ ନ୍ୟୁଟ୍ରାଲ୍‌ ପ୍ରକଳ୍ପକୁ ସ୍ବାଗତ କରିଛନ୍ତି ଅନେକ ଲୋକ । ହେଲେ ପ୍ରଥମେ ସହରର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଜରୁରୀ ବୋଲି ସେମାନେ କହିଛନ୍ତି । ଅନେକ ସ୍ଥାନରେ ବେଆଇନ୍‌ ଅଧିଗ୍ରହଣ ପାଇଁ ଡ୍ରେନ୍‌ ବ୍ଲକ୍‌ ହେଉଥିବାରୁ ପ୍ରଥମେ ତା’ର ପୁନଋରୁଦ୍ଧାର କଲେ ସହରରେ ଜଳବନ୍ଦୀ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ସେମାନେ ।

‘‘ସହରର ଗଳିକନ୍ଦିରେ ବସ୍ତି ଗଢ଼ିଉଠିଛି । ଅନେକ ସ୍ଥାନରେ ଡ୍ରେନ୍‌ ଉପରେ ମଧ୍ୟ ଘର ତିଆରି ହୋଇଛି । ତେଣୁ ଆଗ ଏ ସବୁ ସମସ୍ୟାର ସମାଧାନ ଜରୁରୀ,’’ କହିଛନ୍ତି ଷ୍ଟ୍ରକଚରାଲ ଇଞ୍ଜିନିୟର ପ୍ରଦୀପ୍ତ ମହାପାତ୍ର । ‘‘ଏଭଳି ପ୍ରକଳ୍ପ କାଗଜ କଲମରେ ବେଶ୍‌ ସୁନ୍ଦର । କୃତ୍ରିମ ହ୍ରଦ, ପାର୍କ, ସୋଲାର ଲାଇଟ, ମ୍ୟୁଜିକାଲ୍‌ ଫାଉଣ୍ଟେନ......ଏ ସବୁ ଶୁଣିବାକୁ ଭଲ ଲାଗୁଛି । କିନ୍ତୁ ଏହର ବାସ୍ତବତା ବେଶ୍‌ ଚ୍ୟାଲେଞ୍ଜିଂ,’’ ସେ କହିଛନ୍ତି ।

କଟକରେ ଜାଇକା ପକ୍ଷରୁ ଏଭଳି ଏକ ଲେକ୍‌ ନ୍ୟୁଟ୍ରାଲ୍‌ ପ୍ରକଳ୍ପର ଯୋଜନା ହୋଇଥିଲା । ତାହା ବର୍ତ୍ତମାନ ଯାଏ କାର୍ଯ୍ୟକ୍ଷମ ହୋଇ ନାହିଁ । ତେଣୁ ସ୍ମାର୍ଟ ସିଟିର ଏହି ପ୍ରକଳ୍ପ କେତେ ଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି ।
First published: March 13, 2020, 8:00 PM IST
corona virus btn
corona virus btn
Loading