ବାଲେଶ୍ୱରବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କଂଗ୍ରେସ ସଭାପତି

କାଳିଆ, ବଳିଆର କୁହୁକ ଜାଲରେ ବାସ୍ତବିକ ଜିଲ୍ଲାର ଚାଷୀ ହନ୍ତସନ୍ତ। ବାଲେଶ୍ବରବାସୀ ଆଶୀର୍ବାଦ କଲେ କଂଗ୍ରେସ ପୁଣି ବିକାଶ ଧାରାକୁ ପୁନର୍ଜୀବିତ କରିବ: କଂଗ୍ରେସ

ଭାରତ ଯୋଡ ଯାତ୍ରା

ଭାରତ ଯୋଡ ଯାତ୍ରା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: କଂଗ୍ରେସ ସମୟରେ ଜିଲ୍ଲାରେ ଯାହା କିଛି ବିକାଶ ହୋଇଥିଲା, ବିଜେଡି ଶାସନ ସମୟରେ ତାହା ପଥ ଭ୍ରଷ୍ଟ ହୋଇଛି ବୋଲି ମଧ୍ୟ ଦଳ ଅଭିଯୋଗ ଆଣିଛି। ବାଲେଶ୍ବରବାସୀ ଆଶୀର୍ବାଦ କଲେ କଂଗ୍ରେସ ପୁଣି ବିକାଶ ଧାରାକୁ ପୁନର୍ଜୀବିତ କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଭାରତ ଯୋଡ ଓଡ଼ିଶା ପରିବର୍ତ୍ତନ ଯାତ୍ରା ବାଲେଶ୍ଵରରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ l ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲେଶ୍ବରବାସୀ ପ୍ରତାରିତ ହୋଇଛନ୍ତି l ତାର ସଦ୍ୟତମ ଉଦାହରଣ ହେଉଛି ଗତ ବାଲେଶ୍ଵର ସଦର ଉପନିର୍ବାଚନ ସମୟରେ ସେ ଲୋକଙ୍କୁ ଭୋଟ ମାଗିବାକୁ ଯାଇ କହିଥିଲେ, "ବାଲେଶ୍ଵର ବିକାଶର ଦାୟିତ୍ଵ ମୋର"। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବୋଲି ବିକାଶ ମୂଳକ କାର୍ଯ୍ୟ ସେ କରିଛନ୍ତି ବୋଲି ନଜିର ନାହିଁ। ବାଲେଶ୍ଵରର ବିକାଶର ବିନ୍ଧାଣୀ ଥିଲା କଂଗ୍ରେସ। କଂଗ୍ରେସ ସରକାର ସମୟରେ ବାଲେଶ୍ଵର ଜିଲ୍ଲା ବିକାଶର ଚିତ୍ରକୁ ଦେଖିଥିଲା। ଶିଳ୍ପ କ୍ଷେତ୍ରରେ ଜିଲ୍ଲା ବେଶ ଅଗ୍ରସର ହୋଇଥିଲା। କଂଗ୍ରେସ ସମୟରେ ଜିଲ୍ଲା ହୋଇଥିଲା ଶିଳ୍ପ ସମୃଦ୍ଧ। ବିର୍ଲା ଟାୟାର୍ସ, ଇସ୍ପାତ ଏଲ୍ଲୋୟେଜ୍, ଇମାମୀ, ବାଲିଆପାଳରେ ସୂତାକଳ, ରୂପସାରେ ଝୋଟ କଳ ଇତ୍ୟାଦି କଂଗ୍ରେସ ସମୟରେ ପ୍ରତିଷ୍ଠା ହୋଇଥିଲା। ସେଥିରେ ହଜାର ହଜାର ଲୋକ କାମ କରୁଥିଲେ। ମାତ୍ର ବିଜେଡି ସରକାର ସମୟରେ ସେ ସବୁ ବନ୍ଦ ହୋଇଗଲା ଓ ସେଠାରେ କାମ କରୁଥିବା ହଜାର ହଜାର ଶ୍ରମିକ ଦାଣ୍ଡ ର ଭିକାରୀ ସାଜିଗଲେ। କୌଣସି ଗୋଟିଏ ବୋଲି ନୂଆ ଶିଳ୍ପ କାରଖାନା  ପ୍ରତିଷ୍ଠା କରି ପରିଲେନାହିଁ ବିଜେଡି ବିଜେପିର ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ୟୁପିଏ ସରକାର ସମୟରେ ଏଠାରେ ଏମ୍ସ, ସିପେଟ୍, ନୋସି, ତାମୁଳୀଆ, ଜଳେଶ୍ଵର ଓ ସୋରୋ ଠାରେ ଉଡନ୍ତା ପୋଲ ଇତ୍ୟାଦି ଅନେକ କଥା କରାଯାଇଛି। ମାତ୍ର ରାଜ୍ୟରେ ବିଜେଡି ଓ କେନ୍ଦ୍ରର ବିଜେପି ସରକାର ସମୟରେ କୌଣସି ଗୋଟିଏ ସେମିତି ଆଖିଦୃଶିଆ କାର୍ଯ୍ୟ ହୋଇଛି କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ l

ସୁବର୍ଣ୍ଣରେଖା ନଦୀର ବନ୍ୟା ଉତ୍ତର ଓଡ଼ିଶା ପାଇଁ ଦୁଃଖର କାରଣ ହୋଇଥାଏ l ଏଥିପାଇଁ ୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଘୋଷଣା କଲେ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ଶୀତଳ ଭଣ୍ଡାରରେ ପଡ଼ିଛି। ବନ୍ୟାରେ ପୀଡ଼ିତ ହୋଇ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଏକ ବିକଳ ଚିତ୍ର ନେଇ ଆଜି ଉଭା ହୋଇଛି। ବାଲେଶ୍ଵରରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହୋଇଛି। ମାତ୍ର ସେଠାରେ ଅଭିଜ୍ଞ ଡାକ୍ତର ନାହାନ୍ତି କିମ୍ବା ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁ ନାହିଁ। ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି। ୭୦ ରୁ ୮୦ ଶତାଂଶ ସ୍ଥାନରେ ଡାକ୍ତର ନାହାନ୍ତି। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁ ନାହିଁ। ଶିକ୍ଷା ଅବସ୍ଥା ମଧ୍ୟ ଘୋର ଅବ୍ୟବସ୍ଥା ଭିତରେ ଗତି କରୁଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲାର ପ୍ରାୟ ସମସ୍ତ କଲେଜରେ ଆବଶ୍ୟକ ଅଧ୍ୟାପକ ଓ ପ୍ରାଧ୍ୟାପକ ନାହାନ୍ତି। ସ୍କୁଲ ଗୁଡିକରେ ଶିକ୍ଷକ ମରୁଡି। ଗୁଣାତ୍ମକ ଶିକ୍ଷା ନାହିଁ। ୫ଟି ସ୍କୁଲ ନାମରେ ରୁପlନ୍ତିକରଣ ଅଳରେ କୋଟି କୋଟି ଟଙ୍କାର ଦୁର୍ନୀତି ଲୋକ ଲୋଚନକୁ ଆସିଛି। ଚାଷୀ ମାନେ ଜିଲ୍ଲାରେ ପ୍ରତାରିତ। ସେମାନେ ତାଙ୍କ ଉତ୍ପାଦିତ ଫସଲର ଉଚିତ ଦର ପାଉ ନାହାଁନ୍ତି l କାଳିଆ, ବଳିଆର କୁହୁକ ଜାଲରେ ବାସ୍ତବିକ ଜିଲ୍ଲାର ଚାଷୀ ହନ୍ତସନ୍ତ l କୃଷି ଶିଳ୍ପ ପ୍ରତିଷ୍ଠା ହେଲାନାହିଁ କିମ୍ବା ଗୋଟିଏ ବୋଲି ଶୀତଳ ଭଣ୍ଡାର ଜିଲ୍ଲା ବସି ଦେଖିଲେ ନାହିଁ l ଏବେ ଚକଡା଼ ପୋକ ଚାଷୀ ମାନଙ୍କ ଧନଖେତକୁ ଖାଇଯିବାକୁ ବସିଥିବା ବେଳେ ସରକାରଙ୍କ କୃଷି ବିଭାଗ ନିଦା ବିଷ୍ଣୁ ସାଜିଛନ୍ତି l ବାଲେଶ୍ଵରରେ ବିକାଶର ଅନେକ ସମ୍ଭାବନା ରହିଛି l ଏଠାକାର ସମୁଦ୍ର ବେଳାଭୂମି, ରେଳ ପଥ, ମାନବ ଓ ପ୍ରାକୃତିକ ସମ୍ବଳ ବାଲେଶ୍ଵର ବିକାଶ ର ଅସୁମାରୀ ସମ୍ଭାବନାକୁ ଇଙ୍ଗିତ କରେ l ମାତ୍ର ଅପାରଗ କେନ୍ଦ୍ର ଓ ରାଜ୍ୟ ସରକାର ତାକୁ କାର୍ଯ୍ଯକାରୀ କାରିତା କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି l

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ନେତା ଶ୍ରୀ ନବ ଜ୍ୟୋତି ପଟ୍ଟନାୟକ, କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ଜିଲ୍ଲା ସଭାପତି ଶ୍ରୀ ସଂଜୀବ ଗିରି ପ୍ରମୁଖ ଉପସ୍ଥିତ ଥିଲେ lପ୍ରକାଶ ଥାଉ କି ୨୧୦ କିମି ଯାତ୍ରା ପରେ ଯାତ୍ରା ବାଲେଶ୍ଵର ସହର ପରିକ୍ରମା କରି ସରିଲା ପରେ ଏହି ପରିବର୍ତ୍ତନ ଯାତ୍ରା କଳମା ନିକଟରେ ମୟୂରଭଞ୍ଜ ପ୍ରବେଶ କରିଛି l
Published by:Soumya Das
First published: