ଭାରତ ବନ୍ଦ: ରାଜ୍ୟରେ ଏ ପର୍ଯ୍ୟନ୍ତ ବନ୍ଦର ମିଶ୍ରିତ ପ୍ରଭାବ; କୌଣସି ହିଂସାକାଣ୍ଡ ଘଟି ନାହିଁ

୧୨ ଦଫା ଦାବିନେଇ ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଆଂଶିକ ସଫଳ ହୋଇଛି । ସକାଳ ଠାରୁ ରାଜ୍ୟର କେତେକ ପ୍ରମୁଖ ସ୍ଥାନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ପରେ ସ୍ବାଭାବିକ ହୋଇଥିଲା ।

ଭାରତ ବନ୍ଦ: ରାଜ୍ୟରେ ଏ ପର୍ଯ୍ୟନ୍ତ ବନ୍ଦର ମିଶ୍ରିତ ପ୍ରଭାବ; କୌଣସି ହିଂସାକାଣ୍ଡ ଘଟି ନାହିଁ
ଭୁବନେଶ୍ବର ଲୋକସେବା ଭବନ ସମ୍ମୁଖରୁ ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଉଛି
  • News18 Odia
  • Last Updated: January 8, 2020, 1:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦେଶରେ ବୃଦ୍ଧିପାଉଥିବା ଦରଦାମ, ବେକାରି ସମସ୍ୟା ଏବଂ ସାମ୍ପ୍ରଦାୟିକ ଅସ୍ଥିରତା ତଥା କେନ୍ଦ୍ରସରକାରଙ୍କ ଅପାରଗତା ଭଳି ୧୨ ଦଫା ଦାବି ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରା ରାଜ୍ୟରେ ଆଂଶିକ ଭାବେ ସଫଳ ହୋଇଛି । ଦେଶର ବିଭିନ୍ନ ଟ୍ରେଡ ୟୁନିୟନ ଏଥିରେ ସାମିଲ ହୋଇଥିବାବେଳେ ରାଜ୍ୟରେ କଂଗ୍ରେସ ଏବଂ ୬ଟି ବ୍ୟାଙ୍କ ୟୁନିୟନ ଏହାକୁ ସମର୍ଥନ କରିଥିଲେ ।

ଆନ୍ଦୋଳନକାରୀମାନେ ସକାଳୁ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନ ଗୁଡ଼ିକରେ ପିକେଟିଂ କରି କେତକ ଟ୍ରେନ ଅଟକାଇଥିଲେ । ଭଦ୍ରକରେ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର ଟ୍ରେନକୁ ଅଟକାଇଥିବାବେଳେ, କେନ୍ଦୁଝରଗଡ଼ ଷ୍ଟେଶନରେ କେନ୍ଦୁଝରଗଡ଼-ଭୁବନେଶ୍ବର ପାସେଞ୍ଜର, ଭୁବନେଶ୍ବରଠାରେ ଭୁବନେଶ୍ବର-ବଲାଙ୍ଗିର ଇଣ୍ଟରସିଟି ଟ୍ରେନ, ବ୍ରହ୍ମପୁରଠାରେ ହାଓଡ଼ା-ୟଶବନ୍ତପୁର ଏକ୍ସପ୍ରେସ ଏବଂ ଇଚ୍ଛାପୁର-କଟକ ମେମୁ, ପୁରୀଠାରେ ପୁରୀ-ରାଉରକେଲା ପାସେଞ୍ଜର ଏବଂ ବାଲେଶ୍ବରଠାରେ ବାଙ୍ଗିରିପୋସି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନକୁ  ଅଟକାଯାଇଥିଲା । ତେବେ କିଛି ସମୟ ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା ।

ସେହିପରି ଘରୋଇ ବସ୍ ମାଲିକ ସଂଘ ବନ୍ଦକୁ ସମର୍ଥନ କରିନଥିଲେ ବି ସୁରକ୍ଷା ଦୃଷ୍ଟିରୁ ବସ୍ ଚଳାଚଳ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବା ଯଥା ଆମ୍ବୁଲାନ୍ସ, ହସ୍ପିଟାଲ ପ୍ରଭୃତି ସେବାକୁ ଏଥିରୁ ବାଦ୍ ଦିଆଯାଇଥିଲା ।

ବାଲେଶ୍ବରରେ ଆନ୍ଦୋଳନକାରୀ ଟ୍ରେନ ଅଟକାଉଛନ୍ତି


ରାଜ୍ୟସରକାର ବନ୍ଦ ଯୋଗୁ ସରକାରୀ କର୍ମଚାରୀମାନଙ୍କୁ ସକାଳ ୯ଟା ୩୦ ବେଳକୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜଧାନୀର ବରମୁଣ୍ଡା, ମାଷ୍ଟରକ୍ୟାଣ୍ଟିନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ରସୁଲଗଡ଼ ଛକରେ ଆନ୍ଦୋଳନକାରୀ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ବନ୍ଦ ଯୋଗୁଁ କେତେଜଣ ସଚିବ କଡ଼ା ସୁରକ୍ଷା ଭିତରେ ଲୋକସେବା ଭବନକୁ ଆସିଥିବାବେଳେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବାଇକରେ ନିଜ କାର୍ଯ୍ୟାଳୟକୁ ଆସିଥିଲେ ।

ଭଦ୍ରକଠାରେ ଆନ୍ଦୋଳନକାରୀ ଟ୍ରେନ ଅଟକାଉଛନ୍ତି


ସକାଳ ୬ଟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ସୁନ୍ଦରଗଡ଼, ମାଲକାନଗିରି ଭଳି ଜିଲ୍ଲାମାନଙ୍କରେ ବିଶେଷ ଭାବେ ପଡ଼ିଥିଲା । ବନ୍ଦକୁ ନେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ସେପରି କୌଣସି ହିଂସାକାଣ୍ଡ ଘଟିନାହିଁ ।

ରାଉରକେଲାଠାରେ ଏକ ରାସ୍ତାରେ ହାତଗଣତି ଆନ୍ଦୋଳନକାରୀ


କଟକରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବାବେଳେ ଦିନ ୧୦ଟା ବେଳକୁ ସ୍ବାଭାବିକ ହେବା ସହ ଦୋକାନ ବଜାର ମଧ୍ୟ ଖୋଲିଥିଲା । ବଲାଙ୍ଗୀରରେ ଆନ୍ଦୋଳନକାରୀ କେତେକ ସ୍ଥାନରେ ଟାୟାରଜାଳି ରାସ୍ତା ଅବରୋଧ କରିବା ସହ ପିକେଟିଂ କରି ଦୋକାନବଜାର ବନ୍ଦ କରିଥିଲେ ଏଥିରେ ବିଭିନ୍ନ କର୍ମଚାରୀ ୟୁନିୟନ ସାମିଲ ହୋଇଥିଲେ ।

କୋରାପୁଟର ଜୟପୁର ସହରରେ ବନ୍ଦର ପ୍ରଭାବ ବିଶେଷ ଭାବେ ପଡ଼ିଥିଲା ଆନ୍ଦୋଳନକାରୀ ପତାକା ଧରି ବିଭିନ୍ନ ନାରା ଦେବା ସହ ରାସ୍ତାଘାଟ ଅବରୋଧ କରିଥିଲେ । ସେଠାର ବସ୍ ଚଳାଚଳ ବନ୍ଦ ରହିଥିଲା । ଜଗତସିଂହପୁରରେ ମିଳିତ ଟ୍ରେଡୟୁନିୟନର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଝାରସୁଗୁଡ଼ାରେ ବନ୍ଦର ସେଭଳି କିଛି ପ୍ରଭାବ ଦେଖିବାକୁ ମିଳିନଥିଲା ଦୋକାନ ବଜାର ଖୋଲିଥିବାବେଳେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା ।

ସେହିପରି ଢ଼େଙ୍କାନାଳରେ ବସ୍ ଚଳାଚଳ ବନ୍ଦ ରହିଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ଯାଜପୁରରେ ଆନ୍ଦୋଳନକାରୀ ସହରର  ମୁଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରିଥିଲେ । ରାଉରକେଲାରେ ବନ୍ଦ ପାଳନବେଳେ ଆନ୍ଦୋଳନକାରୀ ଆରଏସପିକୁ ଯାଉଥିବା କର୍ମଚାରୀଙ୍କୁ ଅଟକାଇଥିଲେ । ସେହିପରି ବାଲେଶ୍ବରର ରେମୁଣା ଗୋଲେଇ ଛକଠାରେ ୫ନମ୍ବର ଜାତୀୟ ରାଜପଥକୁ ଆନ୍ଦୋଳନକାରୀ କିଛି ସମୟ ପାଇଁ ବନ୍ଦ କରଥିଲେ । ଅନୁଗୁଳରେ ବିଭିନ୍ନ କାରଖାନା ଆଗରେ ବିକ୍ଷୋଭକାରୀ ଧାରଣା ଦେଇଥିଲେ । ଫଳରେ କାରଖାନା ଗୁଡ଼ିକରେ ଅଚଳାବସ୍ଥା ଦେଖାଦେଇଥିଲା ।

ବନ୍ଦ ଯୋଗୁଁ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟ ଫାଟକରେ ତାଲା ପଡ଼ିଥିଲା । ଆନ୍ଦୋଳନକାରୀ ଟିକେଟଘରେ ତାଲା ପକାଇଦେଇଥିଲେ । ରାୟଗଡ଼ାର କପିଳାସ ଛକରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିଲେ ।
First published: January 8, 2020, 1:11 PM IST