ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଜଳପଥ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ମଞ୍ଜୁଲତା ମଣ୍ଡଳ

ଜାତୀୟ ଜଳପଥ-୫ ଅଧୀନରେ ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ।

ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଜଳପଥ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ମଞ୍ଜୁଲତା ମଣ୍ଡଳ

ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଜଳପଥ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ମଞ୍ଜୁଲତା ମଣ୍ଡଳ

  • Share this:
News18 Odia Digital

ଭଦ୍ରକ: ଜାତୀୟ ଜଳପଥ-୫ ଅଧୀନରେ ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ଭଦ୍ରକ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟା ଓ ଦାବି ଯଥା ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର, ସାଗରତଟ ସମୃଦ୍ଧି ଯୋଜନାରେ ଉପକୂଳ ଅଞ୍ଚଳର ଭିତ୍ତିଭୂମି ପ୍ରତିଷ୍ଠା, ଧାମରାଠାରେ ଲାଇଟ୍ ହାଉସ୍, ଚାନ୍ଦବାଲିଠାରେ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ଡିଜି ସିପିଂଙ୍କ ଅନୁମୋଦନ ଓ ଚୁଡ଼ାମୁଣିଠାରେ ବନ୍ଦର ଓ ଲାଇଟ୍ ହାଉସ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ସଂସଦୀୟ କାର୍ଯ୍ୟାଳୟଠାରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କର ଲିଖିତ ପତ୍ର ସହିତ ସାକ୍ଷାତକରି ଏହି ଦାବି କରିଛନ୍ତି।

ଅନ୍ତର୍ଦ୍ଦେଶୀୟ ଜଳପଥର ବିକାଶ ପାଇଁ ଭାରତ ସରକାର ଜାତୀୟ ଜଳପଥ ଅଧିନିୟମ, ୨୦୧୬ ପ୍ରଣୟନ କରିଛନ୍ତି। ଯେଉଁଥିରେ ୧୧୧ ଗୋଟି ଜଳପଥକୁ ଜାତୀୟ ଜଳପଥ ଭାବରେ ଘୋଷଣା କରାଯାଇଛି। ଏହା ମଧ୍ୟରୁ ଓଡ଼ିଶାରେ ଛଅ ଗୋଟି ଜଳପଥ ଓଡ଼ିଶାରେ ଅବସ୍ଥିତ।

୨୦୦୮ରେ ଓଡ଼ିଶାର ପ୍ରାୟ ୫୮୮ କିଲୋମିଟର ପରିବ୍ୟାପ୍ତ ତାଳଚେର ଠାରୁ ଧାମରା ପର୍ଯ୍ୟନ୍ତ ବିସ୍ତାରିତ ନଦୀ ପ୍ରଣାଳି ଯଥା ବ୍ରାହ୍ମଣୀ-ଖରସୁଆ-ମନ୍ତେଇ ଓ କୋଷ୍ଟ କେନାଲ, ଗୋଏନଖାଲିରୁ ଚାରବାଟିଆ ପର୍ଯ୍ୟନ୍ତ ବିସ୍ତାରିତ ପୂର୍ବତଟ କେନାଲ, ଚାରବାଟିଆରୁ-ଧାମରା ପର୍ଯ୍ୟନ୍ତ ବିସ୍ତୃତ ମନ୍ତେଇ ନଦୀ ଓ ମହାନଦୀର ତ୍ରିକୋଣ ଭୂମିକୁ ଜାତୀୟ ଜଳପଥ-୫ ଭାବେ ଘୋଷଣା କରିଥିଲେ।

୨୦୧୪ ଜୁନ ୩୦ରେ ପଙ୍କପାଳରୁ ଧାମରା (୨୦୧ କିଲୋମିଟର) ଓ ପାରଦ୍ୱୀପ ବନ୍ଦର (୧୩୧ କିଲୋମିଟର) ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ବିକାଶ ପାଇଁ ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ, ଓଡ଼ିଶା ସରକାର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଓ ଧାମରା ପୋର୍ଟ କମ୍ପାନୀ ଲିମିଟେଡ ମଧ୍ୟରେ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।

ଜାତୀୟ ଜଳପଥ-୫ର ଅନ୍ୟ ସ୍ଥାନରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ସ୍ଥଳେ ଓଡ଼ିଶା କୋଷ୍ଟ କେନାଲର କୌଣସି କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ସାଂସଦ ମଣ୍ଡଳ କେନ୍ଦ୍ର ଜଳପଥ ମନ୍ତ୍ରୀ ସୋନୋୱାଲଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଏହି କୋଷ୍ଟ କେନାଲ ଦିନେ ଓଡ଼ିଶାର ନୌବାଣିଜ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ମଧୁର ଜଳ ସଂରକ୍ଷଣ ଓ ଜଳ ନିଷ୍କାସନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।

କାଳକ୍ରମେ ଏହା ପୋତି ହୋଇ ନଷ୍ଟ ହୋଇଯାଇଛି। ଦିନ ଥିଲା ଏହି କୋଷ୍ଟକେନାଲରୁ ଜଳସେଚନ କରାଯାଇ କୃଷିକ୍ଷେତ୍ରକୁ ଶସ୍ୟଶ୍ୟାମଳା କରାଯାଉଥିଲା। ଏହି କେନାଲ ଜଳକୁ କୃଷିକ୍ଷେତ୍ରରେ ଅଧିକ ବିନିଯୋଗ ଲାଗି ଉଭୟ ପାର୍ଶ୍ୱରେ ପବନ ଚାଳିତ ପାଣିପମ୍ପ କାର୍ଯ୍ୟକାରୀ କରାଯାଇଥିଲା।

ସେସବୁ ଏବେ ଅଚଳ ହୋଇପଡ଼ିଛି। କୃଷି ଓ ବାଣିଜ୍ୟ ବ୍ୟବସାୟରେ ବ୍ୟବହୃତ ହେଉଥିବା ଏହି କୋଷ୍ଟ କେନାଲ ଲୋକଙ୍କର ମୁଖ୍ୟ ପଥ ଥିଲା। ୧୮୬୬ରେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସ୍ଥିତିକୁ ନଜରରେ ରଖି ଇଂରେଜ ସରକାର ୧୮୮୦ରେ ଓଡ଼ିଶା କୋଷ୍ଟ କେନାଲ ଖନନ ହୋଇ ୧୮୮୫ରେ ଶେଷ ହୋଇଥିଲା।

ବାଣିଜ୍ୟ ବ୍ୟବସାୟ ବ୍ରିଟିଶ କମ୍ପାନୀଗୁଡ଼ିକ ଲାଗି ଜଳପଥ ହିଁ ସେତେବେଳେ ସୁଗମ ହେଉଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତାରେ ବାଣିଜ୍ୟ ବ୍ୟବସାୟର ସାମ୍ରାଜ୍ୟ ବିଛାଇଥିଲେ ମଧ୍ୟ ଉତ୍କଳ ନୌବାଣିଜ୍ୟ ଉପରେ ନଜର ରହିଥିଲା।

ଏଥିପାଇଁ ପଶ୍ଚିମବଙ୍ଗ ଗଙ୍ଗାନଦୀ ଗେଉଆଁଖାଲିରୁ କୋଷ୍ଟ କେନାଲ ଖନନ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଐତିହାସିକ ତଥ୍ୟରୁ ଜଣାପଡ଼େ। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ନସରାବାଦରୁ ଏହି କୋଷ୍ଟ କେନାଲ ୨୧୪କି.ମି. ବ୍ୟାପ୍ତ ଭଦ୍ରକ ସଂସଦୀୟ କ୍ଷେତ୍ରର ସୋରୋ, ସିମୁଳିଆ, ବାସୁଦେବପୁର, ଚାନ୍ଦବାଲି ସହ ଯାଜପୁର ଓ କଟକ ଜିଲ୍ଲାର ନଦୀପଥକୁ ସଂଯୋଗ କରାଯାଇଛି।

ଓଡ଼ିଶା ସହିତ ପଶ୍ଚିମବଙ୍ଗ କୋଲକାତା ସହରରୁ କମ୍‌ ଖର୍ଚ୍ଚରେ ମାଲ ପରିବହନ ଓ ଗମନାଗମନ ଦୃଷ୍ଟିରୁ ଏହାର ଗୁରୁତ୍ୱ ଅଧିକ ଥିଲା। ନୌବାଣିଜ୍ୟର ସୁବିଧା ସୁଯୋଗ ଥିବାରୁ ଓଡ଼ିଶାରେ ନଦୀକୂଳ ସହରଗୁଡିକର ଶିଳ୍ପ କଳକାରଖାନାର ମୂଳଦୁଆ ଭିତ୍ତିଭୂମି ଗଢ଼ିଉଠିଥିଲା।

ଅପରପକ୍ଷରେ ଦେଶ ସ୍ବାଧୀନ ହେବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି କୋଷ୍ଟ କେନାଲର ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେଉ ନ ଥିବାରୁ କେନାଲ ପୋତି ହୋଇ ସ୍ଥିତି ହରାଇବସିଛି।

ଏହାର ପୁନରୁଦ୍ଧାର ହେଲେ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ସହାୟକ ହେବା ସହିତ ବାଣିଜ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ, ଭଦ୍ରକ ସଂସଦୀୟ କ୍ଷେତ୍ରରେ ଉପକୂଳ ଅଞ୍ଚଳର ଶିକ୍ଷିତ ଓ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି, ଧାମରା ବନ୍ଦରକୁ କମ୍ ଖର୍ଚ୍ଚରେ ଯୋଗାଯୋଗ ସହିତ ଜଳପଥରେ ପରିବହନ ପରିବେଶ ପ୍ରଦୂଷଣକୁ ବହୁ ମାତ୍ରାରେ ରୋକା ଯାଇପାରିବ ବୋଲି ସାଂସଦ ମଞ୍ଜୁଲତା କେନ୍ଦ୍ର ମନ୍ତ୍ରୀ ସୋନୋୱାଲଙ୍କ ସହିତ ଆଲୋଚନା କରି ନିଜର ମତ ରଖିଥିଲେ। ଏହି ସାକ୍ଷାତ ସମୟରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ।
Published by:Lipina Das
First published: