ବ୍ରହ୍ମପୁରରେ ପ୍ରତିଦିନ ଜୋରିମନା ବାବଦକୁ ଆଦାୟ ହେଉଛି ଦେଢ଼ ଲକ୍ଷରୁ ଅଧିକ ଟଙ୍କା

ଟ୍ରାଫିକ ସମସ୍ୟାକୁ ରୋକ ଲଗାଇବା ନିମନ୍ତେ ପୋଲିସ ପକ୍ଷରୁ ସହରର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହିତ ପ୍ରତିଦିନ ସହରର ବିଭିନ୍ନ ଛକରେ ଯାଞ୍ଚ ମଧ୍ୟ ଜୋରଦାର କରାଯାଉଛି।

ବ୍ରହ୍ମପୁରରେ ପ୍ରତିଦିନ ଜୋରିମନା ବାବଦକୁ ଆଦାୟ ହେଉଛି ଦେଢ଼ ଲକ୍ଷରୁ ଅଧିକ ଟଙ୍କା

ବ୍ରହ୍ମପୁରରେ ପ୍ରତିଦିନ ଜୋରିମନା ବାବଦକୁ ଆଦାୟ ହେଉଛି ଦେଢ଼ ଲକ୍ଷରୁ ଅଧିକ ଟଙ୍କା

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଭୁଷୁଡ଼ି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା। ସହରରେ ଟ୍ରାଫିକ ସମସ୍ୟାକୁ ଉତ୍କଟ କରୁଛନ୍ତି କିଛି ଅମାନିଆ। ଏହି ଅମାନିଆମାନଙ୍କ ନିମନ୍ତେ ସହରରେ ବଢୁଛି ଦୁର୍ଘଟଣା ସାଙ୍ଗକୁ ଟ୍ରାଫିକ ଜନିତ ଅନ୍ୟାନ୍ୟ ସମସ୍ୟା।

ଟ୍ରାଫିକ ସମସ୍ୟାକୁ ରୋକ ଲଗାଇବା ନିମନ୍ତେ ପୋଲିସ ପକ୍ଷରୁ ସହରର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହିତ ପ୍ରତିଦିନ ସହରର ବିଭିନ୍ନ ଛକରେ ଯାଞ୍ଚ ମଧ୍ୟ ଜୋରଦାର କରାଯାଉଛି।

ପ୍ରତିଦିନ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଜୋରିମନା ଆଦାୟ ହେଉଛି ତଥାପି ସୁଧୁରୁ ନାହାଁନ୍ତି ଅମାନିଆ। ତେଣୁ ଅମାନିଆମାନଙ୍କ ନିମନ୍ତେ କେବଳ ଯେ ଜୋରିମନା ଆଦାୟ ନ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ।

ସେପଟେ ଅମାନିଆମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ସହରରେ ଟ୍ରାଫିକ ଉଲ୍ଲଂଘନ କରିଥିବା ଅମାନିଆଙ୍କ ନିମନ୍ତେ ନୂଆ ଭାବେ କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ବ୍ରହ୍ମପୁର ସହରରେ ଭୁଷୁଡ଼ି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା


ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାକୁ ନେଇ ଚିନ୍ତାରେ ପୋଲିସ। କାରଣ ଟ୍ରାଫିକ ସମସ୍ୟାକୁ ସୁଧାର କରିବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ କିଛି ଅମାନିଆ ଯୋଗୁଁ ତାହା ସଫଳ ହୋଇପାରୁନାହିଁ। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିଥିବା ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଜୋରିମନା ଉପରେ। ଗତ ବର୍ଷ ଜାନୁଆରୀରୁ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ପ୍ରତି ଦିନ ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମନା ଆଦାୟ ହୋଇଥିଲା।

୨୦୨୧ରେ ମୋଟ ୩ କୋଟି ୬୧ ଲକ୍ଷ ୮୨ ହଜାର ଟଙ୍କା ଜୋରିମନା ଆଦାୟ ହାଇଥିଲା । ଗତ ବର୍ଷ ୨୪୯୨ଟି ଚାରି ଚକିଆ ଓ ଦୁଇ ଚକିଆ ଯାନର ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିଶ କରିଥିଲା ପୋଲିସ।

ସେହିପରି ଚଳିତ ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ସଡ଼କ ସୁରକ୍ଷା ଦିବସ ଅବସରରେ ଲୋକଙ୍କୁ ସଚେତନ କରାଯାଇଥିଲା । କିନ୍ତୁ ସେହି ମାସରେ ହିଁ ମୋଟ ୪୮ ଲକ୍ଷ ଟଙ୍କା ଜୋରିମନା ଆଦାୟ କରାଯିବା ସହିତ ୧୯୭ଟି ଗାଡ଼ି ଚାଳକଙ୍କ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିସ କରିଥିଲା ବ୍ରହ୍ମପୁର ପୋଲିସ।

‘‘ଚଳିତ ବର୍ଷ ଜାନୁଆରୀ ମାସରୁ ମେ ମାସ ପର୍ଯ୍ୟନ୍ତ ୫ ମାସ ମଧ୍ୟରେ ମୋଟ ୨ କୋଟି ୨୮ ଲକ୍ଷ ୪୮ ହଜାର ଟଙ୍କା ଜୋରିମନା ଆଦାୟ ହୋଇଛି। ଏହି ୫ ମାସ ମଧ୍ୟରେ ୮୧୩ ଜଣଙ୍କ ଲାଇସେନ୍ସ ରଦ୍ଦ ପାଇ ଆରଟିଓଙ୍କୁ ସୁପାରିଶ ହୋଇଛି। ସେହିପରି ଗତ ମାସରେ ପ୍ରାୟ ୨୦୦ ଜଣଙ୍କ ଲାଇସେନ୍ସ ରଦ୍ଦ ପାଇ ସୁପାରିଶ ହୋଇଥିବା ବେଳେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମନା ବାବଦରେ ଆଦାୟ ହୋଇଛି। ଅମାନିଆ ଗାଡ଼ି ଚାଳକମାନେ ପୋଲିସ ଦ୍ବାରା ଧରାପିଡ଼ିବା ପରେ ଜୋରିମନା ଦେଇ ପୁଣି ତୁହାକୁ ତୁହା ଧରାପଡ଼ୁଛନ୍ତି ଓ ପୁଣି ଜୋରିମନା ଦେଇ ଯାଉଛନ୍ତି,’’ କହିଛନ୍ତି ଟ୍ରାଫିକ ଏଏସଆଇ ନରସିଂହ ପାଣିଗ୍ରାହୀ।

‘‘ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖିବାକୁ ମିଳୁଥି। ନୂଆ ଏସପି ଆସିବା ପରେ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ବ ଦେଉଛନ୍ତି। ଯାହାଫଳରେ ପ୍ରତିଦିନ ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି ହେଉଛି। ଏତେ ଯାଞ୍ଚ ପରେ ମଧ୍ୟ ସହରରେ ଅନେକ ଅମାନିଆ ରହିଛନ୍ତି ଯେଉଁମାନେ କି ଟ୍ରାଫିକ ନିୟମକୁ ପାଳନ କରିବା ନିମନ୍ତେ ଆଦୌ ଯେପରି ରାଜି ନୁହଁନ୍ତି। କାରଣ ଯେଉଁମାନେ ଆଜି ଜୋରିମନା ଦେଇଥିବେ ସେହିମାନେ ଆସନ୍ତାକାଲି ପୁଣି ଥରେ ଜୋରିମନା ଦେଇ ପୋଲିସ ନିକଟରୁ ଖସି ଯାଉଛନ୍ତି। ତେଣୁ ଏଭଳି ଅମାନିଆଙ୍କ ନିମନ୍ତେ କେବଳ ଯେ ଜୋରିମନା ନ କରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ଅଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା।

ସହରରେ ଅନ୍ୟ ସାଧାରଣ ଲୋକ ଅପେକ୍ଷା ବିଶେଷ କରି ଯୁବକ ଯୁବତୀମାନେ ଟ୍ରାଫିକ ନିୟମକୁ ଅଧିକ ମାତ୍ରାରେ ଉଲ୍ଲଂଘନ କରୁଛନ୍ତି। ଲୋକେ ନିଜେ ସତର୍କ ହୋଇ ସହରରେ ଗାଡ଼ି ଚଳାଉଥିବା ବେଳେ ଯୁବକ ଓ ଛାତ୍ରଛାତ୍ରୀମାନେ ଗାଡ଼ି ସ୍ପିଡ଼ରେ ଆସି ଧକ୍କା ଦେଇଥାନ୍ତି। କେବଳ ଯେ ସ୍ପିଡ଼ରେ ଗାଡ଼ି ଚଳାଉଛନ୍ତି ତାହା ନୁହେଁ ବରଂ ତିନି ଜଣଙ୍କୁ ଧରି ଗାଡ଼ି ଚଳାଇବା, ବିନା ହେଲମେଟରେ ଗାଡ଼ି ଚଳାଇବା ଓ ଭୁଲ ରାସ୍ତାରେ ଗାଡ଼ି ଚଳାଇବାର ଉଦାହରଣ ବିଶେଷ ଭାବେ ଛାତ୍ର ଓ ଯୁବକମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି। ତେଣୁ ଏନେଇ ପୋଲିସ ସେମାନଙ୍କ ବିରୁଦ୍ଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି ବୋଲି ମତ ରଖିଛନ୍ତି ବ୍ରହ୍ମପୁର ବାସିନ୍ଦା ଦୁର୍ଗା କୁମାର ଲାୟକ।

‘‘ବ୍ରହ୍ମପୁର ସହରରେ ପ୍ରତିଦିନ ଟ୍ରାଫିକ ନିୟମକୁ ନେଇ ଯାଞ୍ଚ ଜାରି ରହିଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ଟଙ୍କା ଜୋରିମନା ଆଦାୟ ହେଉଛି। ତେବେ ଅନେକ ଯୁବକ ଜୋରିମନା ଦେବା ପରେ ମଧ୍ୟ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଥିବା ନଜରକୁ ଆସିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ଯେଉଁମାନେ ବାରମ୍ବାର ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଚାରି ଗୁଣା ଜୋରିମନା ଆଦାୟ କରାଯିବ। ଏହାସହିତ ଆରଟିଓ ଓ ବିଏମସିର ସହାୟତାରେ ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ସହିତ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଯୋଜନା କରାଯିବ,’’ କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ।
Published by:Lipina Das
First published: