ଆହୁରି ଲୋକପ୍ରିୟ ହେବ ବ୍ରହ୍ମପୁର ପାଟ; ବୁଣାକାରମାନଙ୍କ ନିମନ୍ତେ କର୍ମଶାଳା ସହ ସୋରୁମ୍ ଖୋଲିବ BMC

ବ୍ରହ୍ମପୁର ସହରର ପ୍ରସିଦ୍ଧ ରେଶମ ପାଟ । ଯାହାକି କେବଳ ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ନିଜର ଡ଼ିଜାଇନ୍‌କୁ ନେଇ ବେଶ ନାମ କମାଇପାରିଛି । ବର୍ତ୍ତମାନ ରେଶମ ପାଟକୁ ଆହୁରି ଅଧିକ ବିକ୍ରିବଟାର ବ୍ୟବସ୍ଥା ସାଙ୍ଗକୁ ବୁଣାକରଙ୍କୁ ସୁବିଧା ନିମନ୍ତେ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ ।

ଆହୁରି ଲୋକପ୍ରିୟ ହେବ ବ୍ରହ୍ମପୁର ପାଟ

ଆହୁରି ଲୋକପ୍ରିୟ ହେବ ବ୍ରହ୍ମପୁର ପାଟ

  • Share this:
News18 Odia Digital

ବ୍ରହ୍ମପୁର: ସହରର ପାଟ ବୁଣାକରମାନଙ୍କ ନିମନ୍ତେ ଖୁସୀ ଖବର । ପାଟର ବିକ୍ରି ସହ ନୂଆ ଡ଼ିଜାଇନର ପାଟ ପ୍ରସ୍ତୁତ କରିବା ପାଇଁ ବି.ଏମ.ସି. ପକ୍ଷରୁ ଏକ କର୍ମଶାଳା ଓ ସୋରୁମ୍‌ ଖୋଲାଯାଉଛି । ଏହି ସୋରୁମ୍‌ର କୋଠାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛି ମାସ ପରେ ଶେଷ ହେବା ପରେ ସମସ୍ତ ପ୍ରକାରର ସାମଗ୍ରୀ ଏଠାରେ ରଖାଯିବ ।

ଯାହା ଦ୍ବାରା ଯେଉଁ ବୁଣାକାରମାନେ ନିଜ ଘରେ ପାଟବୁଣାରେ ଅସୁବିଧା ହେଉଥିବ ସେମାନେ ଏହି କୋଠାରେ ସହଜରେ ପାଟ ବୁଣି ବିକ୍ରିବଟା କରିପାରିବେ । ବୁଣାକାରମାନେ ପାଟ ବୁଣିବା ପରେ ବିକ୍ରି କରିବା ନିମନ୍ତେ ସମ୍ପୃକ୍ତ କୋଠାରେ ହିଁ ବ୍ୟବସ୍ଥା ରହିଛି । ସହରର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପାଟ ବିକ୍ରି ନିମନ୍ତେ ଦାୟିତ୍ବ ଦିଆଯାଇଛି । ଯାହା ଦ୍ବାରା ପାଟର ଚାହିଦା ବୃଦ୍ଧି ସହି ପାଟ ବିକ୍ରି କରି ବୁଣାକରମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ ।

ଏହା ବ୍ୟତୀତ ପାଟ ବିକ୍ରିରେ ନିୟୋଜିତ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବି ସ୍ବାବଲମ୍ବୀ ହୋଇପାରିବେ । ବୁଣାକରମାନଙ୍କ ନିମନ୍ତେ ବି.ଏମ.ସି.ର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ପାଟ ବୁଣାକାର ଓ ବ୍ୟବସାୟୀମାନେ ।

ବ୍ରହ୍ମପୁର ସହରର ପ୍ରସିଦ୍ଧ ରେଶମ ପାଟ । ଯାହାକି କେବଳ ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ନିଜର ଡ଼ିଜାଇନ୍‌କୁ ନେଇ ବେଶ ନାମ କମାଇପାରିଛି । ବର୍ତ୍ତମାନ ରେଶମ ପାଟକୁ ଆହୁରି ଅଧିକ ବିକ୍ରିବଟାର ବ୍ୟବସ୍ଥା ସାଙ୍ଗକୁ ବୁଣାକରଙ୍କୁ ସୁବିଧା ନିମନ୍ତେ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ ।

ବୁଣାକାରମାନଙ୍କ ନିମନ୍ତେ କର୍ମଶାଳା ସହ ସୋରୁମ୍ ଖୋଲିବ  BMC


ସହରର ଗଣେଶ ନଗର ଅଞ୍ଚଳରେ ବୁଣାକାରଙ୍କ ନିମନ୍ତେ ଖୋଲାଯିବ କର୍ମଶାଳା ସାଙ୍ଗକୁ ସୋରୁମ୍‌ । ଏହି ସୋରୁମ୍‌ କୋଠାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର କୋଠାର କାର୍ଯ୍ୟ ଶେଷ ହେବା ପରେ କର୍ମଶାଳା ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀକୁ ଆଣି ରଖାଯିବ । ସହରରେ ରହିଥିବା ଯେଉଁ ପାଟ ବୁଣାକାର ନିଜର ଘରେ ପାଟ ବୁଣିବାରେ କୌଣସି ଅସୁବିଧା ହୋଇଥାଏ । ତେବେ ସେହି ବୁଣାକାରମାନେ ଆସି ଏହି କର୍ମଶାଳାରେ ପାଟ ବୁଣିପାରିବେ ।

‘‘ପାଟ ବୁଣିବା ନିମନ୍ତେ କର୍ମଶାଳାରେ ସମସ୍ତ ପ୍ରକାରର ସାମଗ୍ରୀ ଉପଲବ୍ଧ ରହିବା ସହିତ ବୁଣାକାରମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହି କର୍ମଶାଳାରେ ପ୍ରାୟ ୨୦ ଜଣ ବୁଣାକର ପାଟ ବୁଣିପାରିବେ । ସେହିପରି ପାଟ ବୁଣିବା ପରେ ଏହାର ବିକ୍ରିବଟା ନିମନ୍ତେ ଏକ ସୋରୁମ୍‌ ମଧ୍ୟ ରହିବ । ପାଟ ବିକ୍ରିବଟାର ଦାୟିତ୍ବ ସହରର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦିଆଯିବ । ଯାହା ଦ୍ବାରା ଜଣେ ବ୍ୟକ୍ତି ଏହି କର୍ମଶାଳା ତଥା ସୋରୁମ୍‌କୁ ଆସି ନିଜ ମନ ପସନ୍ଦର ଡ଼ିଜାଇନ୍‌ ଓ ପକେଟ୍‌କୁ ସୁହାଇଲା ଭଳି ପାଟ କିଣିପାରିବ । ଏହା ପାଟ ବସ୍ତ୍ରର ସୋସାଇଟି ଦ୍ବାରା ପରିଚାଳନା ହେବାକୁ ଥିବା ବେଳେ ସମସ୍ତ ପ୍ରକାରର ସହାୟତା ବି.ଏମ.ସି. ତାଙ୍କୁ ଯୋଗାଇ ଦେବ,’’ କହିଛନ୍ତି ବି.ଏମ.ସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

ବ୍ରହ୍ମପୁର ସହରରେ ଅନେକ ପାଟ ବୁଣାକାରମାନେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଗଣେଶ ନଗର ଅଞ୍ଚଳର ପଲେୟା । ସେ ଦୀର୍ଘ ୬୫ ବର୍ଷ ହେଲା ଏଭଳି ନିଜ ଘରେ ପାଟ ବୁଣୁଛନ୍ତି । ପାଟ ବୁଣି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ସେଭଳି ଆଖି ଦୃଶିଆ ଲାଭ ମିଳୁନାହିଁ । କାରଣ ଗୋଟିଏ ପାଟ ପ୍ରସ୍ତୁତ କରିବା ନିମନ୍ତେ ପରିବାରର ୪ ରୁ ୫ ଜଣ ସଦସ୍ୟ ଲାଗୁ ଥିବା ବେଳେ ପାଟ ବିକ୍ରି ପରେ ମାତ୍ର ୧୫୦ ଟଙ୍କା ମଜୁରୀ ମିଳୁଛି । ଯାହାକି ପରିଶ୍ରମ ଅପେକ୍ଷା ସେତେ ପରିମାଣରେ ଫଳ ମିଳୁନାହିଁ । ତେଣୁ ବି.ଏମ.ସି. ପକ୍ଷରୁ ବୁଣାକାର ମାନଙ୍କ ନିମନ୍ତେ ଯେଉଁ ପ୍ରକଳ୍ପ କରାଯାଇଛି ତାହା ସ୍ବାଗତଯୋଗ୍ୟ। ଯାହା ଫଳରେ ବୁଣାକାରମାନେ ସେଠାରେ ପାଟ ବୁଣି ସେମାନଙ୍କ ପୂର୍ବ ମଜୁରୀ ଅପେକ୍ଷା ଅଧିକ ମଜୁରୀ ମିଳିବ ବୋଲି ଆଶା ରଖିଛନ୍ତି ସମସ୍ତେ ।

ପାଟ ବୁଣାକାର ଭାଗିରଥି କହିଛନ୍ତି, ‘‘କର୍ମଶାଳାରେ ପାଟ ବୁଣିବା ଦ୍ବାରା କିଛି ନୂଆ ଡ଼ିଜାଇନର ମଧ୍ୟ ପାଟ ବୁଣାଯାଇପାରିବ । କାରଣ ଘରେ ନିଜର ପରିବାର ସଦସ୍ୟଙ୍କ ମଧ୍ୟରେ ପାଟ ପ୍ରସ୍ତୁତ କରିବା ଦ୍ବାରା କେବଳ କିଛି ହାତଗଣତି ଡ଼ିଜାଇନ୍‌ ରହିଥାଏ । କିନ୍ତୁ ସେଠାରେ ଅନେକ ବୁଣାକାର ମିଶି ବୁଣିବା ଦ୍ବାରା ଅନ୍ୟମାନଙ୍କ ମଧ୍ୟରେ ପାଟବୁଣାର ଜ୍ଞାନ ଆଦାନ ପ୍ରଦାନ ହେବା ପରେ କିଛି ନୂଆ ଡ଼ିଜାଇନ ପାଟ ମଧ୍ୟ ବୁଣାଯାଇପାରିବ ।’’

ବୁଣାକାର ମାନଙ୍କ ନିମନ୍ତେ ବି.ଏମ.ସି. ଏଭଳି ଚିନ୍ତା କରିଥିବା ଯୋଗୁଁ ଧନ୍ୟବାଦ ଦେଇଛନ୍ତି ବ୍ୟବସାୟୀ । ବ୍ରହ୍ମପୁର ପାଟର ବେଶ ଚାହିଦା ରହିଥିବା ବେଳେ ବଜାରରେ ସେତେ ଡ଼ିଜାଇନର ପାଟ ଆସିପାରୁନାହିଁ । ତେଣୁ କର୍ମଶାଳା କରାଯିବା ସହିତ ଏଥିରେ କିଛି ନୂଆ ଡ଼ିଜାଇନ୍‌ ସହ ଡ଼୍ରାଫ୍ଟିଂ ପାଇଁ ବୁଣାକାରମାନଙ୍କୁ ତାଲିମ ଦେବା ଆବଶ୍ୟକ । ଯାହାଫଳରେ ନୂଆ ଡ଼ିଜାଇନର ପାଟ ବୁଣାକାର ମାନେ ବୁଣିବା ସହିତ ଲୋକଙ୍କ ଚାହିଦା ଅନୁଯାୟୀ ପାଟ ମଧ୍ୟ ବଜାରରେ ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି ପାଟ ବ୍ୟବସାୟୀ ଏ.ଲକ୍ଷ୍ମୀ ନାରାୟଣ ।

ପାଟ ବୁଣାକାରମାନଙ୍କୁ ସୁବିଧା ସୁଯୋଗ ଦେବା ସହ ପାଟ ବିକ୍ରିବଟା ବ୍ୟବସ୍ଥା କରିବା ନିମନ୍ତେ ବି.ଏମ.ସି.ର ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ବେଳେ ଖୁବ୍ ଶୀଘ୍ର କୋଠା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କେବେ କର୍ମଶାଳା ଓ ସୋରୁମ୍‌ ଖୋଲିବ ଏବେ ତାହାକୁ ଅପେକ୍ଷା କରିଛନ୍ତି ବୁଣାକାରମାନେ ।
Published by:Lipina Das
First published: