ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ; ୯.୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଲୁଟେରାକୁ ୨୪ ଘଣ୍ଟା ମଧ୍ୟରେ ଧରିଲା

ସହରର କୌଣସି ସ୍ଥାନରେ ଯେଭଳି ଅପରାଧିକ କାର୍ଯ୍ୟ ନ ଘଟେ ସେ ନେଇ କଡ଼ା ନଜର ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି।

ଆକ୍ସନ ମୁଡରେ ବ୍ରହ୍ମପୁର ପୋଲିସ

ଆକ୍ସନ ମୁଡରେ ବ୍ରହ୍ମପୁର ପୋଲିସ

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ ସଫଳତା । ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଲୁଟ ଘଟଣାର ପର୍ଦା ଫାସ କରିଛି ପୋଲିସ । ଲୁଟ ହୋଇଥିବା ୯ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେପଟେ ପୂଜା ପାର୍ବଣ କିଭଳି ଭାବେ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ପୋଲିସ ପ୍ରସ୍ତୁତ କରିଛି ଆକ୍ସନ ପ୍ଳାନ ।

ବିଶେଷ କରି ପାର୍ବଣ ସମୟରେ ଡ଼କାୟତି, ରାହାଜାନି, ଲୁଟ ଭଳି ଘଟଣା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାକୁ ନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ସହରର ସମସ୍ତ ଥାନାରେ ଥିବା ଅଫିସର ଓ କର୍ମଚାରୀ ମାନଙ୍କୁ ସଜାଗ କରାଯାଇଛି । ସହରର କୌଣସି ସ୍ଥାନରେ ଯେଭଳି ଅପରାଧିକ କାର୍ଯ୍ୟ ନ ଘଟେ ସେ ନେଇ କଡ଼ା ନଜର ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି।

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ ନିକଟରୁ ଜଣେ ବ୍ୟବସାୟୀଙ୍କ ଗାଡ଼ି ଡ଼ିକିରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପର୍ଦା ଫାସ କରିଛି ପୋଲିସ । ଗତ ଛଅ ତାରିଖରେ ସନ୍ଧ୍ୟା ସମୟରେ ହାଉସିଂ ବୋର୍ଡ଼ ଅଞ୍ଚଳର ସୀମାଞ୍ଚଳ ବେହେରା ୯ ଲକ୍ଷ ୪୦ ହଜାର ଟଙ୍କା ନିଜ ହଣ୍ଡା ଆକ୍ଟିଭା ଗାଡ଼ି ଡ଼ିକିରେ ରଖିଥିବା ବେଳେ ତାଙ୍କ ଡ଼ିକିରୁ ସମସ୍ତ ଟଙ୍କା ଲୁଟ ହୋଇଥିଲା । ଏ ନେଇ ସେ ବୁଧବାର ସକାଳ ସମୟରେ ଗୋଷାଣୀ ନୂଆଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଗୋଷାଣୀ ନୂଆଗାଁ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲା ।

‘‘ମାତ୍ର ୨୪ ଘଣ୍ଟା ମଧ୍ୟରେ ଲୁଟ ଘଟଣାରେ ଅଭିଯୁକ୍ତ ଥିବା ଶ୍ରୀରାମ ନଗର ଅଞ୍ଚଳର ଥବୀର ପାତ୍ରକୁ ପୋଲିସ ଗିରଫ କରିଛି । ଏହା ସହିତ ଲୁଟ ହୋଇଥିବା ୯ ଲକ୍ଷ ୪୦ ହଜାର ଟଙ୍କାକୁ ମଧ୍ୟ ଥବୀରଙ୍କ ଠାରୁ ଜବତ କରିଛି ପୋଲିସ । ସୀମାଞ୍ଚଳ ନିଜ ଗାଡ଼ି ଡ଼ିକିରେ ଲକ୍ଷାଧିକ ଟଙ୍କା ରଖିଥିବା ନେଇ ପୂର୍ବରୁ ଥବୀର ଜାଣିଥିବା ବେଳେ ସୁଯୋଗ ପାଇ ଟଙ୍କା ଲୁଟି ନେଇଥିଲେ । ଲୁଟ ଘଟଣାର ପର୍ଦା ଫାସ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ସୀମାଞ୍ଚଳ କେଉଁଠାରୁ ଆଣିଲେ ସେ ନେଇ ତଦନ୍ତ ଜାରି ରହିଥିବା,’’ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର ।

ସେ ଆହୁରି କହିଛନ୍ତି, ‘‘ଆଗକୁ ପାର୍ବଣ ଋତୁ ରହିଥିବା ବେଳେ ସହରରେ ଅଧିକ ମାତ୍ରାରେ ଚୋରି, ଡ଼କାୟତି, ରାହାଜାନି ଓ ଲୁଟ ବଢ଼ିବାର ସମ୍ଭାବନା ରହିଛି । ତେଣୁ କିଭଳି ଭାବେ ସହରବାସୀ ଶାନ୍ତିଶୃଙ୍ଖଳାର ସହିତ ପର୍ବ ପାଳନ କରିବେ ଓ ସହରରେ କୌଣସି ପ୍ରକାରର ଅପରାଧିକ କାର୍ଯ୍ୟ ହେବ ନାହିଁ ସେ ନେଇ ବ୍ରହ୍ମପୁର ପୋଲିସ ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ । ସହରରେ ବର୍ତ୍ତମାନ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ଫୁଟ ପେଟ୍ରୋଲିଂ, ନାଇଟ୍‌ ପେଟ୍ରୋଲିଂ ସହିତ ପେଶାଦାର ଚୋରି ଓ ଡ଼କାୟତ ମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିବା ।’’

ମଦ୍ୟପାନ କରି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ଗାଡ଼ି ମଧ୍ୟ ସହରରେ ବୁଲୁଛି । ମଦ୍ୟପାନ କରି ଗୋଷ୍ଠୀଗତ ଭାବେ ନିରୋଳା ସ୍ଥାନରେ ରହିଥିବା ଯୁବକ ଓ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରାଯାଉଛି । ସେମାନଙ୍କର କୌଣସି ପ୍ରକାରର ଅପରାଧିକ କାର୍ଯ୍ୟକଳାପ ରହିଛି କି ନାହିଁ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ମଧ୍ୟ କରାଯାଉଛି । ଗତ କିଛି ମାସ ମଧ୍ୟରେ ଅନେକ କୁଖ୍ୟାତ ଅପରାଧି ମାନଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ଛଡ଼ା ସହରରେ ରହିଥିବା ଚାରୋଟି ଥାନା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରହିଥିବା ନେଇ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୀନାକ ମିଶ୍ର ।

ପାର୍ବଣକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହରରେ କଡ଼ାକଡ଼ି କରାଯାଇଥିବା ବେଳେ ସହରରେ ଅପରାଧିକ କାର୍ଯ୍ୟ ରୋକିବାରେ କେତେ ସଫଳ ହେଉଛି ତାହା ଆଗକୁ ଜଣାପଡ଼ିବ ।
Published by:Lipina Das
First published: