News 18 Odia Digital
ବ୍ରହ୍ମପୁର ; ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ଼ ଡ଼ିଗ୍ରୀ । ବଦଳିଲେ ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ । ଖୁବଶୀଘ୍ର ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଟଙ୍କା ନେଣଦେଣକୁ ନେଇ ଥାନାରେ ସୁମନ୍ତଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଥାନାଧିକାରୀ । ଘଟଣା ସମ୍ପର୍କରେ ବୁଝିବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ଥାନାରେ ନିର୍ଦ୍ଧୁମ ପିଟିଥିଲେ । ଏହି ମାମଲା ହେଉଛି ବ୍ରହ୍ମପୁର ପୋଲିସ ଜିଲ୍ଳା ଅନ୍ତର୍ଗତ ଗୋପାଳପୁର ଥାନାର ।
କନ୍ଧମାଳ ଜିଲ୍ଲା ରାଇକିଆର ଜଣେ ବ୍ୟବସାୟୀଙ୍କୁ ଥାନାରେ ଥାନାଅଧିକାରୀ ନିର୍ଦ୍ଧୁମ ମାଡ଼ ମାରିଥିବା ନେଇ କନ୍ଧମାଳ ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ ଆହତ ବ୍ୟକ୍ତି । ଏହାପରେ ରାଇକିଆ ଥାନାରେ ଗୋପାଳପୁର ଥାନା ଅଧିକାରୀଙ୍କ ନାମରେ ମାମଲା ରୁଜୁ ହେବା ପରେ ଗୋପାଳପୁର ଥାନା ଅଧିକାରୀଙ୍କୁ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ବ୍ରହ୍ମପୁର ଏସପି ।
ସୂଚନା ଅନୁସାରେ ଗତ କିଛି ବର୍ଷ ପୂର୍ବରୁ ରାଇକିଆ ଅଞ୍ଚଳର ସ୍ମତିରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ସୁମନ୍ତ କୁମାର ସାହୁ ପାଖାପାଖି ୪ ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ । ସେ ସୁଧ ସହ ଧାର ଫୋନ ପେ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଫେରାଇଥିଲେ । ତେବେ ଭୁଲ୍ ବଶତଃ ଧାର ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୁତିରେଖାଙ୍କ ଠାରୁ ଆଣିନଥିଲେ । ଫଳରେ ତାର ସୁଯୋଗ ନେଇ ସ୍ମୁତିରେଖା ପୁଣି ଟଙ୍କା ଦାବି କରିବା ସହ ବିଭିନ୍ନ ଧମକ ଚମକ ଦେଉଥିଲେ । ଯାହାଫଳରେ ପୁଣି ୯ ଲକ୍ଷ ଟଙ୍କା ସ୍ମୁତିରେଖାଙ୍କୁ ଦେଇଥିବା ନେଇ କହିଛନ୍ତି ସୁମନ୍ତ ।
‘‘ଏହାପରେ ମଧ୍ୟ ଗୋପାଳପୁର ଥାନାରେ ସ୍ମୁତିରେଖା ଏକ ଲିଖିତ ଅଭିଯୋଗ ଦେବା ପରେ ଗତ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନିର୍ଦେଶରେ କିଛି ପୁଲିସ କର୍ମଚାରୀ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ବିଳମ୍ବିତ ରାତିରେ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ । ରାଇକିଆରୁ ତାଙ୍କ ଘରରୁ ଉଠାଇ ଗୋପାଳପୁର ଥାନାକୁ ନେଇ ସେଠାରେ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି,‘‘ ଥାନାଧିକାରୀଙ୍କ ମାଡ଼ରେ ଆହତ ହୋଇଥିବା ସୁମନ୍ତ ସାହୁ ।
‘‘ମାଡ଼ ଭୟରେ ଆଉ ଦେଢ଼ ଲକ୍ଷ ଟଙ୍କା ଦେବା ପାଇଁ କହି ଗୋପାଳପୁର ଥାନାରୁ ବାହାରି ଆସିଥିଲେ ସୁମନ୍ତ । ଥାନାରୁ ବାହାରି ଆସିବା ପରେ ପର ଦିନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜଣେ ଥାନା ଅଧିକାରୀ ଏକ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଏଭଳି ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଏହାଛଡ଼ା ମିଥ୍ୟା ଅଭିଯୋଗ କରିଥିବା ସ୍ମତିରେଖା ଓ ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି,‘‘ ସୁମନ୍ତଙ୍କ ପତ୍ନୀ ସୁଭଦ୍ରା କୁମାରୀ ।
ବ୍ରହ୍ମପୁର ଓ ପରେ ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ । କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ବର୍ତ୍ତମାନର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଓ ସ୍ମତିରେଖା ସାହୁଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଘଟଣାକୁ ନେଇ କନ୍ଧମାଳ ଏସପି ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲେ ।
‘‘ସୁମନ୍ତଙ୍କୁ ମାଡ଼ମାରିବା ଅଭିଯୋଗକୁ ନେଇ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି । ଚାରି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବେ ଅତିରିକ୍ତ ଏସପି । ତଦନ୍ତ ରିପୋର୍ଟ ଆସିବା ପରେ ଥାନାଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼.ଶ୍ରବଣ ବିବେକ ଏମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।