News18 Odia Digital
ବ୍ରହ୍ମପୁର: ସହରବାସୀଙ୍କ ପାଇଁ ନର୍ଦ୍ଦମା ସମସ୍ୟା ଏକ ଦୀର୍ଘ ଦିନର ସମସ୍ୟା ହୋଇ ରହିଛି । ଦୀର୍ଘ ଦିନ ହେଲା ସହରବାସୀ ଏଭଳି ନାଳ ଯନ୍ତ୍ରଣାରେ ପେଶି ହେଉଛନ୍ତି । ସାମାନ୍ୟ କିଛି ଘଣ୍ଟାର ବର୍ଷା ହେଲେ ସହରର ଅନେକ ସାହି ବସ୍ତିରେ ଆଣ୍ଠୁଏ ଆଣ୍ଠୁଏ ଲେଖାଏଁ ପାଣି ସହ ଘରେ ମଧ୍ୟ ନର୍ଦ୍ଦମା ପାଣି ପଶୁଛି । ନର୍ଦ୍ଦମା ପାଣି ଶେଷ ଶୁଖିଯିବା ପରେ ରାସ୍ତା ସଫା ହେବା ସହିତ ଘରୁ ନର୍ଦ୍ଦମା ପାଣି ବାହାରି ଯିବା ପରେ ବି.ଏମ.ସି.ର ଅଧିକାରୀମାନେ ଆସି ବୁଲି ଦେଖି ଯାଉଛନ୍ତି । ହେଲେ ଯେଉଁ ଅଞ୍ଚଳର ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ ସେଠି ବି.ଏମ.ସି.ର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନଥାଏ ।
ଏହା ଦ୍ବାରା ସହରବାସୀ ହିଁ ନିଜେ ଏହି ସମସ୍ୟାକୁ ଭୋଗିବା ପରେ ଭାଗ୍ୟକୁ ଆଦରି କରି ରହି ଆସୁଛନ୍ତି । ସମସ୍ୟାର ସ୍ଥାୟୀ ସମାଧାନ ନେଇ ସହରବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତିନି ଦିନର ଅତ୍ୟାଧିକ ପରିମାଣର ବର୍ଷା ହେବା ଫଳରେ ସହରର କିଛି ସ୍ଥାନରେ ପାଣି ଜମି ରହିଥିବା ସ୍ଥିତି ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ନୂଆ ଡ଼୍ରେନ କାମ ଚାଲୁ ରହିଥିବା ବେଳେ ଆସନ୍ତା ବର୍ଷକୁ ଆଉ ନର୍ଦ୍ଦମା ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ବି.ଏମ.ସି. କମିଶନର ।
ବ୍ରହ୍ମପୁର ସହରବାସୀଙ୍କ ପାଇଁ ନାଳ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ନର୍ଦ୍ଦମା ପାଣି ଜମି ହୋଇ ନ ରହିବା ପାଇଁ ବି.ଏମ.ସି. ପକ୍ଷରୁ ନାଳକୁ ଖାଲ କରାଯିବା ସହ ରାସ୍ତାକୁ ଉଚ୍ଚ କରାଯାଉଛି। ଏହା ପରେ ମଧ୍ୟ ନାଳର ପାଣି ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚରେ ଭାସୁଥିବା ବେଳେ ଘରେ ଘରେ ମଧ୍ୟ ନର୍ଦ୍ଦମା ପାଣି ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳୁଛି ।

ସହରବାସୀଙ୍କ ପାଇଁ ନର୍ଦ୍ଦମା ସମସ୍ୟା
ବ୍ରହ୍ମପୁର ବାସିନ୍ଦା ପ୍ରତିମା କୁମାରୀ ବର୍ଦ୍ଧନ କହିଛନ୍ତି, ‘‘ବି.ଏମ.ସି. ଯେଉଁ ପ୍ଲାନିଂ ଅନୁଯାୟୀ ଡ୍ରେନ ନିର୍ମାଣ କରୁଛି ତାହା ଆଦୌ ଯୋଗ୍ୟ ନୁହେଁ। କାରଣ ଆ ଡ୍ରେନ୍ ଗୁଡ଼ିକରେ ନର୍ଦ୍ଦମା ପାଣି ଆସୁଥିବା ବେଳେ ନିଷ୍କାସନ ନିମନ୍ତେ ଆବଶ୍ୟକ ପ୍ଳାନିଂ ଡ୍ରେନ୍ ନିର୍ମାଣ ହୋଇନାହିଁ । ଯାହା ଦ୍ବାରା ଡ୍ରେନରେ ହିଁ ପାଣି ଭର୍ତ୍ତି ହୋଇ ରହିଥାଏ। ଡ୍ରେନରେ ପାଣି ଜମି ରହି ରାସ୍ତାରେ ଭାସିବା ସହ ଡ଼େଙ୍ଗୁ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି । ତେଣୁ ବିନା ପ୍ଲାନିଂରେ ଯେଉଁ ଡ୍ରେନ ନିର୍ମାଣ କରୁଛନ୍ତି ବି.ଏମ.ସି.ର ଅଧିକାରୀ ତାହା କରିବା ଆବଶ୍ୟକ ନାହିଁ ।’’
ବ୍ରହ୍ମପୁର ବାସିନ୍ଦା କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, ‘‘ଡ୍ରେନ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଜଣାଇଥିଲେ କୌଣସି ସୁଫଳ ମିଳିପାରୁନାହିଁ । ସାମାନ୍ୟ ବର୍ଷାରେ ଯଦି ସ୍ଥିତି ଏଭଳି ତେବେ ସହରରେ ରହିବା ଅପେକ୍ଷା ବସ୍ତିରେ ରହିଲେ ଭଲ ହୁଅନ୍ତା ।’’
ବର୍ଷାର ପରିମାଣ କମିବା ପରେ କିଛି ବି.ଏମ.ସି.ର ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନ ବୁଲୁଛନ୍ତି । ହେଲେ ଯେଉଁ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ସେହି ଅଞ୍ଚଳରେ କୌଣସି ଅଧିକାରୀଙ୍କ ଦେଖା ମିଳିନଥାଏ । ପ୍ରଭାବିତ ଅଞ୍ଚଳକୁ ଆସୁଛନ୍ତି ନା କୌଣସି ପଦକ୍ଷେପ ନେଉଛନ୍ତି । ସେଭଳି ନିଜର ସମସ୍ୟାକୁ ନିଜର ଭାଗ୍ୟ ବୋଲି ମନେ କରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ । ଟିକସଦାତାମାନେ ପ୍ରତିବର୍ଷ ହଜାର ହଜାର ଟଙ୍କା ଟିକସ ଦେଉଛନ୍ତି । ହେଲେ ଟିକସ ଦାତାଙ୍କ ସମସ୍ୟା ଦୂର କରିବା ତ ଦୂରର କଥା କିଭଳ ରହିଛନ୍ତି ସହରବାସୀ ତାହା ଦେଖିବାକୁ ମଧ୍ୟ ବି.ଏମ.ସି.ର ଅଧିକାରୀମାନେ ଆସୁନଥିବା ଅଭିଯୋଗ କରିଛନ୍ତି ବ୍ରହ୍ମପୁର ବାସନ୍ଦା ରାଜେନ୍ଦ୍ର ପଣ୍ଡା ।

ବର୍ଷା ଦିନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ରହ୍ମପୁର ବାସିନ୍ଦା
ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ କହିଛନ୍ତି,‘‘ସହରରେ ତିନି ଦିନ ଧରି ଅତ୍ୟାଧିକ ବର୍ଷା ହେବା ଫଳରେ କିଛି ସ୍ଥାନରେ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଥିବା ନେଇ ଅଭିଯୋଗ ହୋଇଥିଲା । ନର୍ଦ୍ଦମା ସମସ୍ୟାର ସମାଧାନ ନିମନ୍ତେ କିଛି ଅଞ୍ଚଳରେ ନୂଆ ଡ୍ରେନ କାମ ହାତକୁ ନିଆଯାଇଛି । ଖୁବ୍ ଶୀଘ୍ର ଡ୍ରେନ କାମ ଶେଷ ହେବା ସହିତ ଆଗାମୀ ବର୍ଷରେ ଡ୍ରେନ ସମସ୍ୟା ଆଉ ରହିବ ନାହିଁ । ଏହା ଛଡ଼ା କିଭଳି ଡ଼୍ରେନ ଗୁଡ଼ିକରେ ପାଣି ଜମି ହୋଇ ନ ରହିବ ସେ ନେଇ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।’’
ବ୍ରହ୍ମପୁର ସହରର ସର୍ବ ପୁରାତନ ଡ୍ରେନ ସମସ୍ୟାକୁ ନେଇ ଅନେକ ସମୟରେ ଉଚ୍ଚସ୍ତରୀୟ ଟିମ୍ ତଦନ୍ତ ସହ ପଦକ୍ଷେପ ନିଆଯାଉଛି କିନ୍ତୁ କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିଲା ନାହିଁ । କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ଏବେ ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।